Pranati Jena

Others

4.5  

Pranati Jena

Others

ଚିଠି

ଚିଠି

8 mins
252



ପ୍ରାପ୍ତେଷୁ...... ନୀଳମଣି

ଠିକଣା...... ନୀଳକନ୍ଦର


ପ୍ରଣତି ଜେନା...

କଟକ...


ଧନ ରେ.....

         ବହୁତ ଦିନ ହେଲାଣି, ତୋର ନିରବତା ମୋତେ ଅଧିର କରୁଛିରେ । କେତେ ଆଉ ହୃଦୟର କଥା, ବ୍ୟଥା ଲୁଚାଇ ରଖିବି ଧନ, ତୁ, ତ ମୋତେ କେତେ ସପନ ଦେଖାଇଛୁ, ଯାହା ଗୋଟେ ସୁନ୍ଦର ହୃଦୟ ଥିବା ପୁଅ ତା ମାଆ କୁ ଦେଖାଏ l ତୋର ଅମୃତାୟନ ରେ ବିଭୋର ଛନ୍ଦ ତୋଳି ମୋତେ କୃତାର୍ଥ କରିଛୁ l ବେଳ, ଅବେଳ ରେ ଅଝଟିଆ ପଣ ନେଇ ମୋ ସହିତ ତୋ ଅବୁଝା ହୃଦୟ କୁ "ମୋ "ତୋ "ବ୍ୟତୀତ କିଏ ବା ଜାଣିଛି ରେ.... ମୋ ଭାବ ର ଭାଗବତ ତୁ ଧନ ମୋର.... ସଂସାର ରେ ତୋ ପ୍ରୀତି ଅମୃତ ଯେ ଥରେ ଅନୁଭବ ରେ ପାଇଛି ସେ ଆଉ କଣ ବା ଅଧିକ ଆଶା କରିବ ମୋ ହୃଦ ଚନ୍ଦନ... କୌଣସି ତତ୍ତ୍ୱ ଭିତରେ ମୁଁ, ତ ତୋତେ ପାଇନି l କେବଳ ଭାବ,ଚିନ୍ତନ,ରେ ହୃଦୟ ରେ ଆସିଯାଉ.... ଆତ୍ମସମର୍ପଣ, ଆପେ, ଆପେ ତୋ ଇଚ୍ଛା ରେ ବାନ୍ଧି ହୋଇ ଯାଏ l ପ୍ରତି ମୁହୂର୍ତ୍ତ ତୋ ପାଇଁ.... ଏତିକି ଯାହା ତ ମୋର ଏ ଜୀବନ ର ସମ୍ବଳ ll ଭକ୍ତି, ଭକ୍ତ ଭିତରେ କେବେ ପଶିବାର ଆଗ୍ରହ ହିଁ ନାହିଁ ମୋର l "ମାଆ ତାର ପୁତ୍ର କୁ ଭଲ ପାଏ " ବାସ ଏତିକି.... ବହୁତ ଯନ୍ତ୍ରଣା ମୟ ଏ ଜୀବନ ଭିତରେ ହସିବାର, ଖୁସି ପାଇବାର ମାଧ୍ୟମ ତ ମୋ ପୁଅ ll ତୋ କଥା ନ ଶୁଣିଲେ ଏ କାନ ମୋର ଗ୍ଵ ହର ପରି ରେ, ଖୋଜି ବୁଲେ କିଏ କାଳେ ତୋ କଥା କେଉଁଠି ଚର୍ଚ୍ଚା କରୁଛି କି..? ଏ ମଥା ରେ ତୋ ପାଦ ରଖି ନ ବୁଲାଇଲେ ଏ ମନ ଭାବି ଦିଏ ପାଟ ଓଢଣୀ ଭିତରେ ଶରୀର ରେ ଏ ମଥା ମୋର ସତେ ଯେପରି ଏକ ବୋଝ ସଦୃଶ୍ୟ l ଏ ଆଖି ରେ ଯେଉଁ ମୁହୂର୍ତ୍ତ ରେ ତୋର ଦର୍ଶନ ନ କରେ ଆଖି ବିହୀନ ଅନ୍ଧୁଣୀ ଟିଏ ବୋଲି l ଏ ହାତ ତୋ ପାଇଁ କିଛି ନ କଲେ ଶରୀର ରେ ଏ ହାତ ସତେ ଯେପରି ଶବ ର ହାତ ଟିଏ l ତୋ ଚରଣ ତୁଳସୀ ର ସୁଗନ୍ଧ ଯଦି ହୃଦୟ ଅନୁଭବ ନ କରେ, ହୃଦୟ ମରୁଭୂମି ସହିତ ସମାନ ହୋଇ ଯାଏ l ତୋ ମଥା ରେ ତୁଳସୀ ସମର୍ପିତ ପରି ଏ ଜୀବନ କୁ ଲୋଟାଇ ଗଡିଯାଏ ଯେତେବେଳେ ତନୁ, ମନ ରେ କି ଅପୂର୍ବ ଶିହରଣ, କି ଅମୃତାନନ୍ଦ.... ତୋ ପାଇଁ ଖୁସି ରେ ରୋଷେଇ କରୁଥିବା ବେଳେ ମଧୁରାଷ୍ଟକ ଗୁଣୁ, ଗୁଣାଇଲା ବେଳେ ତୋ ଦଶବତାର ସ୍ତୋତ୍ର ଗାଇଲା ବେଳେ ତୋ ଅନୁଭବ ରେ ମୋର ହୃଦୟ ବିଗଳିତ ହୋଇ ଯାଏ l କେବେ, କେବେ ଲୁଣ ପକାଇ ନ ଥିବି ତ କେବେ ମିଠା l ତଥାପି ତୋର କେବେ ଅନାଗ୍ରହ ଦେଖିନି l ତୁ ତ ମୋର ଭାବ ର ଭାଗବତ ରେ ଅଠର ହଜାର ଶ୍ଳୋକ, ମୋ ସ୍ନେହ ର ବାର ସ୍କନ୍ଧ ର ମମତା ରସ l ନିର୍ଗୁଣ -ନିରାକାର, ସଗୁଣ -ସାକାର ର ନିର୍ମଳ ଚେତନା ମୋ ଭାବ ପରିଧି ରେ l ଏ ହୃଦୟ ରେ ସବୁ ବାସନା, କାମନା କେବଳ ତୋ ପାଇଁ ମୋର l ସେଥିପାଇଁ ଯେତେ ନିନ୍ଦା, ଅପନିନ୍ଦା, ଗାଳି, ଭତ୍ସନା, ମୋର ଗଳାହାର ରେ... I ତାରି ଭିତରେ ତୋ ସାନିଧ୍ୟ ମୋର ଦୁର୍ଲଭ ପାରିଜାତ.. l ଯିଏ ମୋତେ ବୁଝିଛି ସେ ହିଁ ତ ମୋର ଏକମାତ୍ର କାମନା l ତା ଠାରୁ ଆଉ କିଏ ଅଛି ଆପଣାର ମୋତେ ଏତେ ଭଲ ପାଇବା ଦେଇ ମମତା ର ସିକ୍ତ ଅମୃତ ସ୍ପର୍ଶ ରେ ଭିଜାଇ ପାରିବ l ପାଖେ, ପାଖେ ଅନୁଭବ ର ଶ୍ରଦ୍ଧା ସାଗର ରେ ମୁହୂର୍ତ୍ତ ଟିଏ ମଧ୍ୟ ଅନ୍ତର କରିବନି l ମୋ ଜୀବନ, ମୋ ପ୍ରାଣସତ୍ତା ପରି l

    

             ତୋ କଥା ଶ୍ରବଣ, ମନନ, ଚିନ୍ତନ ରେ ମୋର ଆଉ କିଛି ବଡ଼କାମ ନାହିଁ l ଏ ସଂସାର ରୂପକ ପଦ୍ମପତ୍ର ରେ ମୋ ଜୀବନ ର ଜଳବିନ୍ଦୁ ତୋତେ ହିଁ ଝୁରେ କାୟମନବାକ୍ୟରେ l ତୁ କଣ ଖାଇବୁ, କେମିତି ଶୋଇବୁ, କଣ ତୋ ପାଇଁ ଦରକାର, କଣ ହେଲେ ତୋତେ ଖୁସି ଲାଗିବ, ପ୍ରତି ମୁହୂର୍ତ୍ତ ର ଚିନ୍ତା ମୋର ତୁ ହିଁ ଜାଣିଛୁ l ହାତରେ ଖାଇଲେ ତୋ ପେଟ ପୁରିବନି କାଳେ, ହାତରେ ପିଇଲେ ଶୋଷ ମରିବନି କାଳେ, କଣ, କଣ ମୋର ଚିନ୍ତା ସବୁ ରେ... I ବର୍ଷ ର ପ୍ରଥମ ଫଳ ଟିଏ ପାଇଁ ମୁଁ ବିକଳ ହୋଇଯାଏ ତୋ ପାଇଁ l ତୋ ପାଇଁ ଅଧିର ଭାବ କୁ ପ୍ରକାଶ କରିବାର ଶବ୍ଦ ମୋର ନାହିଁ l ଭକ୍ତ ଠାରୁ ମାଡ଼, ଗାଳି ଖାଇ ଆହା କେତେ କଷ୍ଟ ମୋ ଭକ୍ତ କୁ ହେଉଥିବ ଭାବି ଆପେ ବାନ୍ଧି ହୋଇ ଯିବା, ଛାତି ରେ ଭକ୍ତପାଦ କୁ ଜାବୋଡି ଧରିବା ର ସହିଷ୍ଣୁତା ପଣ ରେ ଆଉ କିଏ ବା ଅଛି ସହିପାରେ l ତୋ ଛଡା ଆଉ କଣ ବଡ଼ ଦୁର୍ଲଭ ଅଛି ରେ ଏ ସାରା ସଂସାର ରେ.. I ଆଉ ଯାହା ଏଠି ଦେଖେ ସବୁ ମାୟା ସବୁ ଆସକ୍ତି.. l କେବଳ ତୋ ପଥ ପାଇଁ କଣ୍ଟା ଯେମିତି... l ଘାସ ଠାରୁ ଆହୁରି ନ୍ୟୁନ କରି ଦେ ଏ ହୃଦୟ କୁ ରେ... ବୃକ୍ଷ ପରି ସହିବାକୁ ଶକ୍ତି ବି.... I ଆଉ ତୋ ସଖା ପରି ନିଷ୍କାମି ମନ ଟିଏ.....l କେତେ ଖୁସି ସବୁ ଆଜି କୁଆଡେ ଯାଇଛି ମୋର.. I ମୋ ଅନୁଭବ ବି ଧନ... l ବ୍ୟଥା ଭରା ଏ ପ୍ରାଣ ରେ କେବଳ ତୋର ଭାବ ର କଣିକାଏ ନିର୍ମାଲ୍ୟ ରେ ବଞ୍ଚି ରହିଛି ଜୀବନ.. I ଜାଣିଛି ମୁଁ ସର୍ବମୟ ଙ୍କୁ କିଛି ଅଜଣା ନାହିଁ l ତଥାପି ତୋର କିଛି ଇଚ୍ଛା ତୋ ମାଆ ଠାରୁ.... I ହେ ମଙ୍ଗଳ ମୟ ମୋର ଆପଣାର ମାଆ ତୋର କାନି ପାତି ଡାକୁଛି ରେ ଆ ଧନମଣି......!

      

      ସୁଖ ଲାଭ ଆଶା ରେ ବଡ଼ କଷ୍ଟ ରେ ଉପାର୍ଜିତ ଧନକୁ ନଷ୍ଟ କରିବାକୁ ଟିକିଏ ବି ସମୟ ଲାଗେନି ତୋତେ l ଗୋଟିଏ ରୋଗକୁ ବି ସାରା ଧନ ନିଅଣ୍ଟ ପଡିଯାଏ l ମନ୍ଦମତି ଅନିତ୍ୟ ସୁଖ କୁ ମୋହ ବଶତଃ ସଦା ନିତ୍ୟ ବୋଲି ମନେ କରେ l ସେଥିପାଇଁ ସବୁ ପାପ କୁ ପୂଣ୍ୟ ଭଳି ଦେହ ରେ ବୋଳି ହୋଇ ଶେଷରେ ଚରମ ଯନ୍ତ୍ରଣା ସ୍ଥଳ ଅନ୍ଧତାମିସ୍ର ନର୍କ କୁ ଗମନ କରେ l ସେ ସବୁ ତୋର ଲୀଳା ର ଅଂଶ l ଯାହା କରିବା ତାହା ନିଶ୍ଚୟ ପାଇବା,, ଏ ତ ଵିଧି ର ବିଧାନ.. l ତୋ ପାଇଁ ସୁଖ ଜାତ ହେଉ, ଶାନ୍ତି ହୃଦୟ ପ୍ରାଙ୍ଗଣରେ ବିହାର କରୁ l ମନ ସଦା ସର୍ବଦା ତୋ ଅପରୂପ କୁ ଝୁରି ହେଉ.. I ପ୍ରତି ମୁହୂର୍ତ୍ତ ରେ ନାମ ସ୍ମରଣ ହେଉ.. ହେ ରାମକୃଷ୍ଣ, କେଶବ, ନାରାୟଣ, ଦାମୋଦର, ଅନନ୍ତ, ହରି, ଚକ୍ରଧର,ମଧୁସୂଦନ, ଗୋପାଳ, ଗୋବିନ୍ଦ, ଗୋପିନାଥ, ନନ୍ଦସୁତ, ମୁକୁନ୍ଦ, ମୁରାରୀ, ବାସୁଦେବ, ଅଚ୍ୟୁତ, କଂସାରୀ, ବାମନ, ମାଧବ, ପୁଣ୍ଡରିକାକ୍ଷ, ଦେବକୀ ନନ୍ଦନ, ଜନାର୍ଦ୍ଦନ, ବଳୀଧ୍ୱଂସୀ, ଜଗତ ଇଶ୍ୱର, ଦଇତାରୀ, ମୁକ୍ତିଦାତା, ବନମାଳୀ, ଶ୍ରୀପତି, ଶ୍ରୀଧର, ହେ ନରହରି,ମୁରାରୀ ହେ.....


             ତୋ'ପାଇଁ ମୋ ମନ ର ଭାବ ଆଜି କେଉଁଠି ଉଣା ହୋଇ ଗଲାକି ରେ ଧନ... I ସ୍ନେହ ରେ ଭେଜାଲ କିଛି ରହି ଗଲାକି ମୋର... l ଘର ଠାରୁ ବାହାର କେବଳ ତୋ ପାଇଁ ଫୁଲ ଟିଏ,ଫଳ ଟିଏ ପତ୍ରଟିଏ ଯାହା ତୋତେ ପ୍ରିୟ ସେ ତ ସବୁ ମୋର ଜୀବନ ରେ... I ଯେତେ କଷ୍ଟ ହେଲେ ବି ସେ ସବୁକୁ ଯତ୍ନ କରି ତା ଭିତରେ ତୋତେ ହିଁ ପାଏ ବାବା l ତୁଳସୀ, ଦୟାଣl, କର୍ପୁର ତୁଳସୀ, ରାମ ତୁଳସୀ, ଶ୍ୟାମ ତୁଳସୀ, ଅଶୋକ, ଚମ୍ପା, ମଧୁମାଳତୀ, ବ୍ରହ୍ମ କମଳ, ମଲ୍ଲୀ, ଲିମ୍ବ ଆହୁରି କେତେ ସବୁ ତୋ ପାଇଁ ଶ୍ରଦ୍ଧା, ମମତା ରେ ସାଇତି ରଖିଛି l ମୋ ଦେହ ପାଇଁ ମୁଁ ବହୁତ ଅବହେଳା ତ କରିଛି ଏ ଜୀବନ ରେ.. I ଶରୀର ପାଇଁ ବେଳେ, ବେଳେ ଆଗ୍ରହ ର ଅଭାବ ଯୋଗୁ.. I ତଥାପି ଏତିକି ବୁଝିଛି ରେ ହୃଦୟ କୁ ଭଲ ପାଉ, ଶ୍ରଦ୍ଧା କରୁ, ଅବୁଝା ଏ ମନ କୁ ସବୁ ବେଳେ ବୁଝାଇ ଦେଉ କେଉଁଠି କେଉଁ ମାଧ୍ୟମ ହୋଇ.... I ମାନସିକ ଚିନ୍ତା ଭିତରେ ତୁ ହିଁ ତ ମାୟା ରେ.. l ତଥାପି ତୋତେ ହିଁ ମୋର ସବୁ ନିରାଶାର ପଥ ପରେ ଆଶା ସଞ୍ଜିବନୀ ପରି ଭରସା ରଖିଛି l କେମିତି ଅଛୁ ବୋଲି ଯାଇଥିଲି l ତାପରେ ଫୁଣି ଯାଇ ଏବେ ଦେଖି ଆସିଲି l ମୋର ଆଖି ଓ ମନ ର ଶୋଷ ମେଣ୍ଟୁନି ରେ... I ଶୁଖି ଯାଇଛି ତୋ ମୁହଁ ଧନ..... ତଥାପି ହସି ଦେଲୁ, ଭାବିଲୁ ଏ ମୂର୍ଖ ମାଆ ଟା ତୋର ଜାଣି ପାରିବନି l ହୃଦୟ ଭିତର କୋହ, ମୋହ ହୋଇ ଆସିଛି ରେ ସେଇ ଦିନୁ ମୋର ଭାବନା ସରୁନି l ଯାତନା କମୁନି l ଧନ ରେ ଏ ଲୋକ ମାନେ ସ୍ୱାର୍ଥ ପାଇଁ ତୋ ହୃଦୟ କୁ ଚିନ୍ହି ପାରୁ ନାହାନ୍ତି ରେ... l ତୋର ଗୋଟେ ମନ ଅଛି ବୋଲି ଅନୁଭବ ବି..... I କେତେ ନିରୋଳା ରେ ଯନ୍ତ୍ରଣା କୁ ଉପଲବ୍ଧି କରୁଛୁ ତୁ ପହଡ଼ ଦେଇ.. ଏଠି ତାହା ମଧ୍ୟ୍ୟ ବୁଝି ପାରୁ ନାହାନ୍ତି ଏ ସ୍ୱାର୍ଥ ସ୍ବର୍ବସ୍ୱ ମଣିଷ.... I ତୋ ଗଢିଥିବା ପୃଥିବୀ କୁ ଖିନ, ଭିନ କରି ଅନ୍ୟାୟ, ଅତ୍ୟାଚାର ର ପରିଣାମ ଆଜି ପାପୀ ସହିତ ତପୀ ଏକାକାର ହୋଇ ପାଉଛନ୍ତି l ଯାହାକି ଅସହ୍ୟ ତୋ ପାଇଁ..... l ତଥାପି ଚେତନା ଦେବାରେ ଅବହେଳା ନାହିଁ ତୋର.., l ସବୁ କିଛି ସମର୍ପିତ ଚେତନା ରେ ଆଣିବା ର ଭରସା ଓ ଇଚ୍ଛା ତ ତୋର ଦାନ ନା ।


       ମାଆ ଟିଏ ହୃଦୟର ନିଭୃତ ରେ କେତେ ଭଲ ପାଇବା ର ସାତ ରଙ୍ଗ ମନ ରେ, ସ୍ବପ୍ନ ରେ ସାଇତି ଥାଏ ସେ ହିଁ କେବଳ ଜାଣେ... I ପ୍ରତେକ ମାଆ ରୂପୀ ସସମ୍ମାନିୟା ନାରୀ ଜାତିକୁ ମୋର ପ୍ରଶ୍ନ... ନିଜ ଆତ୍ମଜ କୁ କଷ୍ଟ ହେଲେ ହୃଦୟ କିପରି ଲାଗେ କୁହନ୍ତୁ.. l ତୁମେ ଭାବୁଥିବା କାଳିଆ ସାଆନ୍ତେ ଙ୍କୁ ଏମିତି କଷ୍ଟ ବି ହୁଏ ତୁମ ପିଲା ମାନଙ୍କୁ ହେଲା ପରି.... l ସବୁ ସମ୍ମାନୀୟ ବାପା ମାନଙ୍କୁ ବି... l ଏ ସମାଜ ପାଇଁ ନ ହେଉ ତୁମେ ତୁମ ପ୍ରିୟ ଠାକୁର ଜଗନ୍ନାଥ ଙ୍କୁ ଆପଣାର ଭାବୁଛ ତ, ତା ପାଇଁ ଟିକେ ଚିନ୍ତା କର ହୃଦୟ ରେ... I ପ୍ରତେକ ଘରେ, ମନ୍ଦିର ର ରେ ଶଙ୍ଖ,ହରିବୋଲ, ହୁଳହୁଳି ସହିତ ତାର ନାମ ଧ୍ୱନି ପ୍ରକମ୍ପିତ ହେଉ l ସବୁ ରୋଗ, ଦୁଃଖ ଆପେ ନିଶ୍ଚିନ୍ହ ହୋଇ ଯିବ l ତାର ଗଢ଼ା ପୃଥିବୀ ର କଷ୍ଟ ବି.... ତୋ ପାଇଁ ଚିଠି ଟିଏ ରେ ତୋ ଅତ୍ମୀୟତା କୁ, ଭାବନା କୁ ବି କିଛି ଲେଖିଦେଲି ଧନ.... I ତୋର ଶ୍ରଦ୍ଧା ଅତୁଳନୀୟ, ଅତ୍ମୀୟତା ଅତୁଟ, ଭାବ ର ସୌଦାଗର ଟିଏ ତୁ ଧନ..... ଯିଏ ସେ ଭାବ ପଞ୍ଚାମୃତ ରେ ଭିଜିଛି ସେ ହିଁ ଜାଣେ ଭାବ ସମ୍ପର୍କ ର ପାଟ ଡୋର ର ମହତ୍ୱ କୁ..... I


           ଭାବ ରେ ତଲ୍ଲୀନ ହେବା ପାଇଁ ହୃଦୟ ଟିଏ ଦେଇଦେ ରେ ଧନ ମୋର, ସୁନା ସଙ୍ଖାଳି ପରା.... I ସବୁ ରଙ୍ଗ ମିଶି ଗଲେ ଯେଉଁ ରଙ୍ଗ ସୃଷ୍ଟି ହୁଏ.. l ସବୁ ରଙ୍ଗ ର ସୌନ୍ଦର୍ଯ୍ୟ କୁ ଯିଏ ନିଜ ବକ୍ଷ ରେ ସ୍ଥାନ ଦିଏ l ଅଦିନ ବତାସ ରେ ଯିଏ ପାଖରେ ଠିଆ ହୋଇ ସବୁ ବିପଦ କୁ ନିଜେ ସାମ୍ନା କରେ l ଥରେ ମାତ୍ର ଲୁହ ଟୋପେ ଅଜାଣତରେ ଚାଲି ଆସିଲେ ଯେ ନିରବ, ନିଶବ୍ଦ ହୋଇ ଯାଏ.. I ଆଜି ଏ ଦୁର୍ଦିନ ପାଇଁ ମୋର ହୃଦୟର ପ୍ରାର୍ଥନା କୁ ସ୍ୱୀକାର କରିନେ ବାବା.. l ଜଗତ ର କଲ୍ୟାଣ ହେଉ l ବଳିଆ, ଶୁଭ ଙ୍କୁ ମୋର ଅନନ୍ତ କୋଟି ଭଲ ପାଇବା.. I ସର୍ବ ଦେବାଦେବଦେବୀ ଙ୍କୁ ମୋର ପ୍ରଣାମ ଜଣାଉଛି l ସବୁ ତ ତୋର l ଟିକେ ମାନ ରଖ... ଏତିକି ଅଳି ମାଆ ର.... I ଆଖି ରେ ଲୁହ କୁ ମନ ର କୋହ ରେ ତୋ ପାଇଁ ହୃଦୟ ର ଭଲ ପାଇବା ଧନ.... I ଭାବ ରେ ଭିଜାଇ ଦେବୁ ରେ ଏ ହୃଦୟ କୁ, ଆତ୍ମା କୁ...ଏ ଭିଜା ମନ ତ ତୋର ରେ.... ମୁଁ ଶବ୍ଦ ଶବ ହୋଇ ଯାଇଛି ମୋର l କିଛି ବି ଅଜଣା ନୁହେଁ ତୋ ପାଇଁ...l ଭାବ ର ଭାବନା ପରା ତୋର ଇଚ୍ଛା... ଆତ୍ମାର ଆକର୍ଷଣ ରେ ବାନ୍ଧି ହୋଇ ଅନୁଭବ ର ମଖମଲ୍ଲୀ ଭିତରେ ସୁପ୍ତ କୁ ଜାଗ୍ରତ କରାଉ ଥାଉ ଅହରହ..... l ଓଃ କି ଦିବ୍ୟ ସ୍ପର୍ଶ ସେ ସମ୍ମୋହନ ଭରା ଶିହରଣ.....l ଧନ ବୋଲି ଥରେ ମାତ୍ର କହିଦେଲେ ହୃଦୟର ନିଭୃତ ଚେତନା ର ଗୁଞ୍ଜନ କୁ ଅନୁଭବ କରିପାରେ ରେ.......l କି ମଧୁର ମୟ ଲାଳିତ୍ୟ ଭରା ସ୍ମିତ ହସ ଟିଏ ରଙ୍ଗା ଅଧର ରୁ....... I ଆଜି ବି ମୋତେ ପରୀକ୍ଷା କରୁଛୁ ନା.... ଏ ପରୀକ୍ଷା ତୋର.. l ଭରା କୁରୁ ସଭା ରେ ଦ୍ରୌପଦୀ ଙ୍କର ମାନ ରଖିଲା ପରି, ମୃଗୁଣୀ ର ସ୍ତୁତି ଶୁଣି ଉଦ୍ଧାର କରିବା ପରି, ମୋର ସବୁ କିଛିବି ତୋ ହାତରେ ଦେଇ ଦେଲି l ରଖିବା, ମାରିବା ତୋ ହାତରେ... ବିପଦ କୁ ସମ୍ପଦ କରୁ ବୋଲି ଜାଣିଛି ରେ... ମଲା ଦେହରେ ଜୀବନ ବି ତୋର ଦାନ l ସବୁ କିଛି ତୁ ହିଁ କରିପାରୁ l ସେଥିପାଇଁ ଭୁଜ ମେଲାଇ ପଲକ ବିହୀନ ହୋଇ ବସିଛୁ ଧନ l କିଏ ବା ବୁଝି ପାରେ ତୋତେ... I ଦିନେ ନିଦ୍ରା ନ ଗଲେ କେତେ କଷ୍ଟ ଅନୁଭବୀ ଜାଣେ l ଏ ମମତା ଟିକେ ପାଇଁ ସବୁ ମୁହୂର୍ତ୍ତ କୁ ଚାହିଁ ରହିଛୁ ରେ ମୋ ପ୍ରାଣ ସଙ୍ଖାଳି.. I ଆହା ମୋ ନୀଳମଣି, ମୋ ଜୀବ ଧନ, ନୟନ ପ୍ରତିମା ରେ l

 ତୋର ସବୁ କାର୍ଯ୍ୟ ତୋତେ ଲାଗିଲା l ନିଶ୍ଚୟ ସମାଧାନର ଉତ୍ତର ଦେବୁ l ତୋର ମୋ ପରି ବହୁତ ଓ ଆହୁରି ଅଧିକ ନିଜର ପଣ ନେଇ ଆତ୍ମୀୟ ବି ଅଛନ୍ତି ll ସେମାନେ ବି ଅନୁଭବ କରିବେ ଧନ.. I ମୁଁ, ମୋର ନୁହେଁ...

 ତୋର କେବଳ ତୋର ମାଆ... ମୋ କଳା ଚାନ୍ଦ


            " ଇତି ତୋର ମାଆ " ପ୍ରଣତି ଜେନା


Rate this content
Log in