STORYMIRROR

Sachidananda Kar

Others

3  

Sachidananda Kar

Others

ବର୍ଷା ଲଭଲୀ ପ୍ରୀୟା ଓ ମୁଁ

ବର୍ଷା ଲଭଲୀ ପ୍ରୀୟା ଓ ମୁଁ

2 mins
380


       ମେଘ ଭର୍ତ୍ତି ଆକାଶ। ତା'ସାଙ୍ଗକୁ ବିଜୁଳି ଓ ଘଡଘଡି। ଆମେ ଦୁଇଜଣ ମୁହାଁମୁହିଁ ହୋଇ ଗୋଟେ ପାର୍କରେ ଥିଲୁ।

        ପ୍ରୀୟା କହିଲା - ' ଏଇ ବର୍ଷାଋତୁଟା ଭାରି ଭଲ ।'

        - ' ହଁ, ଭଲ। ମିଳନର ଋତୁ ଇଏ।' ମୁଁ କହିଲି।

        ମୁର୍କି ହସିଲା ପ୍ରୀୟା।

        ମୁଁ ପୁଣି କହିଲି - ' ବର୍ଷାଋତୁ ଉପରେ ରଚନା ଲେଖିବାକୁ ପଡିଲେ ତୁମେ କେମିତି ଲେଖିବ ?'


        ଅଳ୍ପ ହସିଲା ପ୍ରୀୟା । ପରେ କହିଲା - ' ବର୍ଷାରେ ଏକାଏକା ଭିଜିବାକୁ ମଜାଲାଗେ । ଗରମ ଛଣାଛଣି ଖାଇବାକୁ ମନହୁଏ । ମମି ପକୁଡି ଛାଣନ୍ତି। କୋଠା ଉପରେ ଥିବା ଫୁଲକୁଣ୍ଡରେ ପାଣି ଦେବାକୁ ପଡେନାହିଁ।ଘର ଭିତରକୁ ବର୍ଷାପାଣି ଗଳିବାର ଚାନ୍ସ ନ ଥାଏ।ଘରେ ଚିକେନ୍,ମଟନ୍ ହୁଏ। ନାଲିଆ ନାଲିଆ ଝୋଳ।ଆଃ!କି ବଢିଆ ! ସ୍କୁଟି ଆଉ ରେନକୋଟରେ ମୁଁ ମୋର କଲେଜ,ଟ୍ବିସନ୍, ମାର୍କେଟିଂ ସବୁ ସହଜରେ କରିପାରେ।ଶୋଇଶୋଇ ବର୍ଷାର ଗଜଲ ଶୁଣିଲେ ବହୁତ ମଜା ଆସିଯାଏ। ଦିନ ସବୁ ସୁଖରେ ସୁଖରେ ବିତିଯାଏ। କିଛି ଅସୁବିଧା ନ ଥାଏ।


        ଚାହିଁଥିଲି ତା' ମୁହଁ ଆଡେ। ଭାବୁଥିଲି ବୋଧହୁଏ ଆଉ କିଛି କହିବ ସେ।

        ସେ ପୁଣି କହିଲା - ' ଯଦି ତୁମକୁ କୁହାଯାଏ , ତୁମେ କେମିତି ଲେଖିବ ବର୍ଷାଋତୁ ରଚନା ?'

        ଅଳ୍ପ ହସି ମୁଁ କହିଲି - ' ଆମ ଗାଁରେ ବହୁତ ବର୍ଷା ହୁଏ। ଚାଳଘର ଉପରେ ଆମେ କଳା ପଲିଥିନ ଢାଙ୍କିଦେଉ। ବୁନ୍ଦେ ପାଣି ଘରକୁ ଗଳେନା। ବାହାରେ ଚୁଲିରେ ପାଣି ଭର୍ତ୍ତି ହୋଇଯାଏ। ବୋଉ ଗୋଟେ ଉଠାଚୁଲି ରଖିଥାଏ। ସେଇଥିରେ ଶୁଖୁଆ, ଭେଣ୍ଡି, ଆଳୁ, ବାଇଗଣ ପୋଡିଦିଏ। ଘରେ ଟଙ୍କିକିଆ ଚାଉଳର ହାଣ୍ଡି ଭର୍ତ୍ତି ପଖାଳ। ପୋଡାପୋଡି ଲଗେଇ ଆମେ ପେଟେପେଟେ ପଖାଳ ଖାଇଦେଉ। ମୁଣ୍ଡରେ ଗୋଟେ ପଖିଆ ଦେଇ ବାପା ବିଲକାମକୁ ଯାଆନ୍ତି। ଗାଁ ଠାକୁରଘରେ ଲୁଡୁ,ତାସଖେଳ ଭଲ ଜମେ। କେତେବେଳେ ସଞ୍ଜ ହୋଇଯାଏ ଜଣାପଡେନି। ହେଉ ଯେତେ ବର୍ଷା ହେଉଛି। ସୁଖ ଶାନ୍ତିରେ ଆମେ ଦିନ କାଟୁ।କିଛି ଅସୁବିଧା ନ ଥାଏ।


        ମୋ କଥା ସାରିଦେଲି।ପ୍ରୀୟାର ମୁହଁଆଡେ ଚାହିଁଲି। ଦେଖିଲି ଧୀରେ ଧୀରେ ମେଘ ଓହଳି ପଡୁଛି ତା' ଆଖିରେ। ଏଇନା ବର୍ଷିଯିବ କି କ'ଣ,ସେପରି ଅବସ୍ଥା।ବର୍ଷିଗଲା ବି । ଶୁଣି ପାରୁଥିଲି ବର୍ଷାର ଟପଟପ ଶବ୍ଦ।ଭିଜିଗଲି ସେଇ ବର୍ଷାରେ।


        କିଛି ସମୟ ପରେ ଆକାଶକୁ ଚାହିଁଲି। ଆକାଶରେ ମେଘ ନ ଥିଲା। ବିଜୁଳି, ଘଡଘଡି ସବୁ ଯେମିତି ଶାନ୍ତ ପଡି ଯାଇଥିଲେ। ମାଟିକି ଚାହିଁଲି। ମାଟି,ଅସରାଏ ବର୍ଷାରେ ଭିଜିଥିବା ମାଟି ପରି ଦିଶୁଥିଲା। ବାସ୍ନା ଛୁଟୁଥିଲା ମାଟିରୁ।

         ବିମୋହିତ ହୋଇ ରହିଥିଲି।


         ଟିକେ ପରେ ମାଟି ଆଡୁ ଆଖି ଫେରାଇ ଲଭଲି ପ୍ରୀୟାର ଆଖି ଆଡେ ଚାହିଁଲି ମୁଁ।ତା'ର ଆଖି ଯୋଡିକ ମୋତେ ବର୍ଷା ପରର ଆକାଶ ପରି ପରିଷ୍କାର, ସୁନୀଳ ଦିଶୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍