Sachidananda Kar

Others

2.5  

Sachidananda Kar

Others

ବନ୍ଧୁ

ବନ୍ଧୁ

2 mins
527



      ସେ ମୋର ଜଣେ ଭଲ ବନ୍ଧୁ । 

      ବନ୍ଧୁ ପରି ବନ୍ଧୁଟିଏ ସେ ଏକା । 

      ଜନ୍ମରୁ ମୋ ସହିତ ରହିଛନ୍ତି ସେ । 

      ଅବଶ୍ୟ ଖୁବ୍ ଡେରିରେ ମୁଁ ତାଙ୍କୁ ବନ୍ଧୁ ବୋଲି ଚିହ୍ନିଲି,ଜାଣିଲି । ତାଙ୍କ ପରିଚୟ ବି ପାଇଲି । 

 ସେଇଦିନଠୁଁ ସବୁବେଳେ ଛାଇ ପରି ସେ ମୋ ପାଖେପାଖେ ରହିଛନ୍ତି । ମୁଁ ତାଙ୍କୁ ମୋର ଖୁବ୍ ପାଖରେ ଥିବା ଦେଖି ଆସୁଛି ସବୁବେଳେ । 

       ପୁଣ୍ୟ ସହିତ ପାପ ଥାଏ । 

       ଲାଭ ସହିତ କ୍ଷତି ଥାଏ । 

       ଭଲ ସହିତ ମନ୍ଦ ଥାଏ । 

       ସୁଖ ସହିତ ଦୁଃଖ ଥାଏ । 

  ଠିକ୍ ସେମିତି ମୋ ଜୀବନ ସହିତ ସେ ଅଛନ୍ତି । ତାଙ୍କୁ ମୋର ଜଣେ ଭଲ ବନ୍ଧୁ ବୋଲି ମାନି ନେଇଛି ମୁଁ । 

       ସେ ମୋ ସହିତ ଅଛନ୍ତି ବୋଲି ମୁଁ ସମୟର ଅପଚୟ କରି ପାରୁନି । ତାଙ୍କ ପାଇଁ ମୁଁ ଆଜି ସମୟର ପ୍ରତି କ୍ଷଣକୁ ଉପଭୋଗ କରୁଛି । ଆର କ୍ଷଣକୁ ଥିବି,ଆଉ ଗୋଟିଏ ନିଃଶ୍ୱାସ ନେବି - ଏ ବିଶ୍ୱାସ ମୋ ଭିତରେ ନାହିଁ । ତେଣୁ ମୁଁ ସେପରି କରୁଛି । 

       ମୋ ବନ୍ଧୁ ମୋର ସମସ୍ତ ପ୍ରେରଣାର ଉତ୍ସ । ମୋତେ ସଦବୁଦ୍ଧି ଦେଉଛନ୍ତି ସେ । ସତକର୍ମରେ ଲିପ୍ତ କରାଉଛନ୍ତି । 

       ସତକର୍ମ ବ୍ୟକ୍ତିକୁ ସ୍ମରଣୀୟ କରେ । 

       ଜୀବନ ତ ଏଠି ଏକ ପାଣିଫୋଟକା ପରି । କେତେବେଳେ ମିଳେଇଯିବ । ତେଣୁ କିଛି କୃତୀ ଦୁନିଆରେ ଛାଡିଯିବାକୁ ଲାଗିଛି । ସଦବୁଦ୍ଧି ଓ ସତକର୍ମ ବଳରେ ତାହା ହୋଇପାରିବ ବିଶ୍ବାସ ଅଛି । 

  

     ହଁ,ଆଉ ଗୋଟିଏ କଥା ବନ୍ଧୁଙ୍କ ପାଇଁ କହିବି । ସେ ମୋର ଏମିତି ବନ୍ଧୁ ଯେ ମୋତେ କାହାର ଅନିଷ୍ଟ କରିବାକୁ ଦିଅନ୍ତି ନାହିଁ । କ୍ରୋଧ, ହିଂସା, ବାଦ,ଅହଂକାର, ଅସହିଷ୍ଣୁତା ଠାରୁ ମୋତେ ସବୁବେଳେ ଦୂରେଇ ରଖିଥାନ୍ତି । ଅନ୍ୟର ମନରେ କଷ୍ଟ ଦେଲେ ତାହା ନିଜ ଉପରକୁ ଆସେ, ମୋତେ ବୁଝାଇ ଦିଅନ୍ତି ସେ । ଯେତେ ସବୁ ବଦଗୁଣ ତାହା ଦିନେ ନା ଦିନେ ମୁଠାଏ ପାଉଁଶରେ ପରିଣତ ହୁଏ - ଏକଥା ବି ବୁଝାଇ କହନ୍ତି । 


       ଏହି ସବୁ କାରଣରୁ ମୋର ସେହି ବନ୍ଧୁ ମୋର ଚେତନା କହିଲେ ଆଦୌ ଭୁଲ ହେବନାହିଁ । 


       ଯଦି ମୁଁ ନିରଳସ ଜୀବନ ବଞ୍ଚିଲି..., ଯଦି ମୁଁ ନିଷ୍କପଟ ମନୋଭାବ ରଖିଲି..., ଯଦି କିଛି ଭଲ କାମ କରି ପାରିଲି.., ଯଦି ଏଠି ସମସ୍ତଙ୍କୁ ଭଲପାଇଲି... ଯଦି ସଦଭାବ ପୋଷଣ କରିଚଳିଲି..., ତେବେ ଏସବୁ ମୂଳରେ ସେ ହିଁ ସେ - ମୋର ଆଜନ୍ମ ବନ୍ଧୁ । 

       ବନ୍ଧୁ ଜଣେ ଏପରି ହେବା କଥା ନୁହେଁ କି !


       ଦିନକର ଦ୍ବିପହର । ଆଖି ବୁଜି କ'ଣ ଏଣୁ ତେଣୁ ଭାବୁଥିଲି । ପଛରେ ଛାଡି ଆସିଥିବା ଦୀର୍ଘ ବର୍ଷର ଜୀବନକୁ ମନେ ପକାଉଥିଲି । ହଠାତ୍ ଆଖି ଖୋଲି ଦେଖେ ତ ମୋ ପାଦ ପାଖରେ ବସିଛନ୍ତି ସେ । ପିନ୍ଧିଛନ୍ତି ଶୁଭ୍ର ବସନ । ତାଙ୍କୁ ଦେଖୁ ଦେଖୁ ଚିହ୍ନି ପାରିଲି । 


       ସେ ଉଠି ଠିଆ ହେଲେ । ମୋ ଆଡକୁ ହାତ ବଢାଇଲେ । ମୋତେ ଡାକି କହିଲେ - ' ଏବେ ମୋ ସହିତ ଆସ । ବହୁତ ଧାଇଁଛ । ବହୁତ କରିଛ । ଆଉ ତୁମର ଧାଇଁବାର ନାହିଁ । ଆଉ ତୁମର କିଛି କରିବାର ନାହିଁ । '


       ବୁଝି ପାରିଲି । ତାଙ୍କ ହାତରେ ହାତ ରଖିଲି । ବରଫ ପରି ଥଣ୍ଡା ସେ ହାତ । ତଥାପି ମୋତେ ଭଲ ଲାଗୁଥିଲା । ସବୁ ଭୁଲିଲି । ସବୁ ବନ୍ଧନରୁ ନିଜକୁ ମୁକ୍ତ କଲି । ଆଖି ବୁଜିଲି । ମୋ ପ୍ରିୟ ପୃଥିବୀରୁ ବିଦାୟ ନେଇ ନୀରବରେ ତାଙ୍କ ସହିତ ଚାଲିଲି । 

 

      ପ୍ରତ୍ୟେକ ଜୀବର ବନ୍ଧୁ ସେ - ଆଜନ୍ମ ବନ୍ଧୁ । 

       ଚିହ୍ନନ୍ତୁ ...ଜାଣନ୍ତୁ । 



Rate this content
Log in