ବିଶ୍ବାସ ଘାତକ ମାଙ୍କଡ
ବିଶ୍ବାସ ଘାତକ ମାଙ୍କଡ
ନିରୋଳା ଘଞ୍ଚ ଜଙ୍ଗଲ, ଝରଣାର କୁଳୁକୁଳୁ ଶବ୍ଦ ଏବଂ ପକ୍ଷୀ ମାନଙ୍କର କିଚିରି ମିଚିରି ସ୍ୱରରେ ଗୁଞ୍ଜରୀତ ହୋଇ ଉଠେ ଏହି ଅରଣ୍ୟ । ନାନା ପ୍ରକାର ରଙ୍ଗୀନ ଫୁଲରେ ଶୋଭିତ ସୁମଧୁର ଫଳରେ ମଣ୍ଡିତ ହୋଇଥାଏ ଏହି ସବୁଜିମା ଭରା ବନ । କେଉଁଠି କେଉଁଠି ରହିଛି ପାହାଡ଼ ପର୍ବତ ତ କେଉଁଠି ରହିଛି ଛୋଟବଡ଼ ଗୁମ୍ଫା । ତା' ମଧ୍ୟରେ ବାସ କରନ୍ତି ଅନେକ ଜାତି ପ୍ରଜାତିର ଜୀବଜନ୍ତୁ । ଠିକ୍ ଏହି ଜଙ୍ଗଲ ତା'ର ମଝିରେ ଅଙ୍କାବଙ୍କା ହୋଇ ଏକ ରାସ୍ତା ଲମ୍ବି ଯାଇଛି ଅନେକ ଦୂରକୁ ।
ଏକ ଗଛ ଡାଳରେ ବସି ମାଙ୍କଡ଼ଟିଏ ଚିନ୍ତାମଗ୍ନ ହୋଇ ଚାହିଁ ରହିଥାଏ ସେହି ରାସ୍ତା ଆଡ଼କୁ । ଠିକ୍ ସେହି ସମୟରେ ସେଇ ବାଟ ଦେଇ ତା'ର ପରିଚିତ ଗଧଟି ଆସିଲା ଯାହା ଉପରେ ନଜର ଥିଲା ଏହି ମାଙ୍କଡ଼ର ! ମାଙ୍କଡ଼ ଖୁବ ଉଚ୍ଚ ସ୍ୱରରେ ଡାକିଲା ସେହି ହୃଷ୍ଟପୃଷ୍ଟ ବଳିଷ୍ଠ ଚେହେରା ଥିବା ଗଧକୁ ।
ହୋ ଗଧ ଭାଇନା !ଏତେ ସକାଳୁ ସକାଳୁ ଉଠି କୁଆଡ଼େ ଯାଉଛ ? କ'ଣ କେଉଁଠି ନିମନ୍ତ୍ରଣ ଅଛି ନା କ'ଣ ? ମୁଁ ତ ସମସ୍ତଙ୍କ ମୁହଁରୁ ତୁମର ପ୍ରଶଂସା ଶୁଣୁଛି ! ସତରେ ତୁମେ ଜଣେ ନିରୀହ ଏବଂ ପରିଶ୍ରମୀ ପଶୁ । କାହିଁକି ନା ମଣିଷ ତୁମ ପିଠିରେ ଯେତେ ବି ଭାରି ଜିନିଷ ରଖିଦିଏ ତୁମେ ତାହା ପ୍ରାଣପଣେ ବୋହି ନେଇଯାଅ । କାହାରିକୁ କିଛି କୁହ ନାହିଁ । ବିନା ପ୍ରତିବାଦରେ ସବୁ କାମ କରିଥାଅ । ହେଲେ ମୁଁ ଆଜି ଗୋଟେ କାମ କହିବି ଦୟାକରି ମୋ କାମଟି କରିଦେବ ତ ?
ଏଥର ଗଧ ଭାଇନା ହସି ହସି କହିଲା । ହଁ ଭାଇ ମୁଁ ନିଶ୍ଚୟ କରିବି ହେଲେ କାମଟି କ'ଣ କୁହ ତ ? ମାଙ୍କଡ କହିଲା "ମୁଁ ଅନେକ ଦିନ ହେଲାଣି ମୋ ମାମୁଁ ଘରକୁ ଯାଇନାହିଁ । ମୋ ବାଘ ମାମୁଁ ଆଉ ବାଘୁଣୀ ମାଇଁ ଖବର ଦେଇଛନ୍ତି ମୁଁ ଯିବି । ତୁମେ ଟିକେ ତୁମ ପିଠିରେ ମୋତେ ବସେଇ ନେଇ ସେଠାରେ ଛାଡ଼ି ଦିଅ।"
ହେଲେ ମାଙ୍କଡ଼ର ଚତୁରତାକୁ ଗଧ ଆଗରୁ ଜାଣିଥିଲା ବୋଲି ମାଙ୍କଡ଼କୁ ଜଣା ନଥାଏ । ପୂର୍ବ ଦିନ ମାଙ୍କଡ଼ ସେହି ଜଙ୍ଗଲରେ ଥିବା ଗୁମ୍ଫା ଆଡ଼କୁ ବୁଲିବାକୁ ଯାଇଥିଲା । ବୁଲୁ ବୁଲୁ ସେଠାରେ ବାଘ ଓ ବାଘୁଣୀଙ୍କ ହାବୁଡରେ ପଡିଥିଲା । ମାଙ୍କଡ଼ର ନରମ ଶରୀରକୁ ଦେଖି ବାଘୁଣୀ ଖାଇବ ବୋଲି କହିବାରୁ ବାଘ ମାଙ୍କଡ଼କୁ ଅଟକାଇଥିଲା । କିନ୍ତୁ ମାଙ୍କଡ଼ ତ ଅତି ଚତୁର ! ସେ ବାଘକୁ କହିଲା "ବାଘ ମାମୁଁ, ମୋତେ ଖାଇଲେ କିଛି ଲାଭ ହେବ ନାହିଁ । କାହିଁକି ନା ମୋ ଶରୀର ଏତେ ଛୋଟ ତୁମ ପେଟ ଭରିବ ନାହିଁ । ମୋତେ ଗୋଟେ ସୁଯୋଗ ଦିଅ, ମୁଁ ଯାଉଛି ମୋର ଜଣେ ଚିହ୍ନା ଗଧ ଅଛି ତା'ର ବିଶାଳ ଆକାର ଶରୀର । ତାକୁ ଖାଇଲେ ତୁମ ଦୁହିଁଙ୍କର ପେଟ ଭରିଯିବ ଏବଂ ସ୍ଵାଦିଷ୍ଟ ଲାଗିବ ।
ଏହି କଥାଟିକୁ ଦୂରରୁ ଛକି ବସି ଶୁଣୁଥିଲା ବିଲୁଆ । ସେ ଯାଇ ତା'ର ମଇତ୍ର ଗଧକୁ କହିଥିଲା। ଏବେ ଗଧ ମାଙ୍କଡ଼କୁ କହିଲା, "ହୋ.. ମାଙ୍କଡ଼ ନନା ମୁଁ ତ ଦେଖୁଛି ତୁମେ ବଡ଼ ବିଶ୍ଵାସ ଘାତକ ! ମୁଁ ଜଣେ ଗଧ ହୋଇଥାଇ ପାରେ, ହେଲେ ମୋରବି ତ ଅଳ୍ପ ବହୁତ ଜ୍ଞାନ ଅଛି । ବାଘମାମୁଁ ଗୁମ୍ଫାକୁ ଯାଇ କେହି ଫେରିଲାଣି ? ତୁମେ ଚତୁର କୁମ୍ଭୀରକୁ ସିନା ଠକିଦେଇ ମଝି ନଈରୁ ପଳେଇ ଆସିଥିଲ । ଗଛ କୋରଡରେ କଲିଜା ରଖିଛ ବୋଲି କହି । ସେମିତି ମୋତେ ଠକିଦେଇ ବାଘ ଓ ବାଘୁଣୀ ମୁହଁରେ ଦେବାକୁ ବସିଛ । ତୁମେ ବିଶ୍ୱାସ ଘାତକ କାହାଣୀ ମୋର ବିଲୁଆ ମଇତ୍ର ଠାରୁ ମୁଁ ଶୁଣି ସାରିଛି।" ଏଥର ମାଙ୍କଡ଼ ନିରୁପାୟ । ବାଘ ବାଘୁଣୀଙ୍କୁ ଯେତେ ବାଟ ଭାଙ୍ଗି ଯିବାକୁ ଚେଷ୍ଟା କଲା ଦିନେ ଧରା ପଡିଗଲା । ଉଚିତ ଶିକ୍ଷା ପାଇଲା, ବାଘୁଣୀ ତାକୁ ଖାଇଲା ।
