STORYMIRROR

Sachidananda Kar

Children Stories

3  

Sachidananda Kar

Children Stories

ଭୂତ ମାମୁଁ

ଭୂତ ମାମୁଁ

2 mins
531



   ଦିନେ ଆଈଙ୍କ ପାଖରୁ ଭୂତ ଗପ ଶୁଣିବାକୁ ଜିଦି କଲା ନାତି ସତ୍ୟ।ଛୋଟ ପିଲା।କାଳେ ଡରିବ ସେଥିପାଇଁ ତାକୁ ଭୂତ ଗପ କହନ୍ତିନି ଆଈ।ସେଦିନ କିନ୍ତୁ ତା' ଜିଦି ଆଗରେ ମୁଣ୍ଡ ନୁଆଁଇଲେ ସେ।ତାକୁ ଭୂତ ଗପ କହିବାକୁ ଆରମ୍ଭ କଲେ।କହିଲେ - ' ଭୂତମାନେ ରାତିରେ ବୁଲନ୍ତି।ଅନ୍ଧାରରେ ଯୁଆଡେ ଇଚ୍ଛା ସିଆଡେ ଯାଇପାରନ୍ତି।ଯାହା ଚାହାନ୍ତି ତାହା କରନ୍ତି।ସେମାନେ ବହୁତ ବଡ଼।ସେମାନଙ୍କର ବହୁତ ଶକ୍ତି।ମଣିଷଟେ ପରି ଦିଶୁଥିବେ,ଦେଖିଲାବେଳକୁ ତାଳଗଛ ପରି ହୋଇଯିବେ।ରାତିରେ ତାଙ୍କ ହାବୁଡ଼ରେ ପଡ଼ିଗଲେ ମଣିଷ ମଲା ଜାଣ।ସେମାନେ କାହାକୁ ଛାଡ଼ନ୍ତିନି।ଭୟ ଦେଖାନ୍ତି।ଡରାନ୍ତି।ତାଙ୍କୁ ଦେଖି ଲୋକେ ଦୌଡି ପଳାନ୍ତି।ଆଉ କେହି କେହି ଡରି ମୂତି ହଗି ପକାନ୍ତି।ହୀରାନୀଳା,ମୋତିମାଣିକ, ଟଙ୍କାପଇସା,ସୁନାରୁପାରେ ସେମାନଙ୍କର ଭାରି ଲୋଭ।ଯାଚିଦେଲେ ନିଅନ୍ତି।ନ ହେଲେ ବାନ୍ଧିନେଇ ମନ ଇଚ୍ଛା ପିଟନ୍ତି।ବହୁତ ହଇରାଣ କରନ୍ତି।'

   - ' ଆଈ ! ମୁଁ ଭୂତ ଦେଖିବି। ' ସତ୍ୟ କହିଲା ତାଙ୍କ କଥା ଶେଷରେ।

   ହେଲେ ତାକୁ କିପରି ଭୂତ ଦେଖାଇବେ ଜାଣିନପାରି ସେଦିନ ଅନ୍ୟ ପ୍ରସଙ୍ଗ ଆଡ଼କୁ କଥା ନେଇଗଲେ ଆଈ।


  ନୂଆ ନୂଆ ପୋଲିସ ଚାକିରୀ କରୁଥାନ୍ତି ସତ୍ୟର ମାମୁଁ।ଦିନ ଡିଉଟି ପୁଣି ରାତିରେ ଡିଉଟି।ନିଜ ଏରିଆରେ ବୁଲିବା କାମ।ସେ ଘରକୁ ଆସିଥ

ିଲେ।ସେଦିନ ସଂଜବେଳେ ସେ ମାଆଙ୍କ ପାଖରେ ବସି ନିଜ ଅନୁଭୂତି କହୁଥାନ୍ତି।ଅନୁଭୂତି ସବୁ ବେଶ୍ ଲୋମଟାଙ୍କୁରା।ଶୁଣି ଭୟ ପାଇଗଲେ ତାଙ୍କ ମାଆ।କହିଲେ - ' ଏତେ ରିସ୍କ କାହିଁକି ନେଉଛୁ ? କିଛି ଗୋଟେ ବାହାନା କରି କୋଉଠି ଶୋଇ ପଡିଲେ ଚଳନ୍ତା ନାହିଁ?କେତେ ଟଙ୍କା ଦରମା ପାଉଛୁ?'


   ମାଆର କଥା ପରେ ସେ ହସିଦେଇ କହିଲେ - ' ଦରମା ପାଞ୍ଚ ହଜାରରୁ କିଛି ଅଧିକ ମିଳେ।'

  -' ହେଲେ ତୁ ତ ଘରକୁ ସବୁ ମାସରେ ଦଶ ହଜାର ପଠାଉଛୁ !'ମାଆ କହିଲେ।


   ସେ ଆଗ ହସିଲେ ଖୁବ୍।ପରେ କହିଲେ - ' ଯୋଉମାନେ ଆମ ହାବୁଡ଼ରେ ପଡ଼ନ୍ତି, ସେମାନେ କ'ଣ ଆମକୁ କମ୍ ଦିଅନ୍ତି କି? କହିବାକୁ ପଡେନି।ପକେଟକୁ ଆପେଆପେ ଆସେ।ନ ହେଲେ ମାମୁଁଘରେ ନେଇ ପୂରାଇଦେବୁ।ମନ ଇଚ୍ଛା ପିଟିବୁ।ହଇରାଣ କରିବୁ।ଏମିତି ଡରେଇବୁ ଯେ, ଭୂତ ଦେଖିଲେ ବି ସେମିତି ଡରିବନି।'


   ମାଆ ଶୁଣୁଥିଲେ।ଶେଷରେ କ'ଣ ଭାବିଲେ କେଜାଣି ସତ୍ୟକୁ ଡାକ ପକାଇଲେ।ସତ୍ୟ ଆସି ପାଖରେ ପହଞ୍ଚିଲାରୁ ମାମୁଁକୁ ଦେଖେଇ ତାକୁ କହିଲେ - ' ଭୂତ ଦେଖିବାକୁ କହୁଥିଲୁ ପରା?ଏଇ ଦେଖ୍ ,ଗୋଟେ ଭୂତ ତୋ ଆଗରେ ଠିଆ ହୋଇଛି।'

  ଭୂତ ! 

  ମାମୁଁଙ୍କ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥଲା ସତ୍ୟ।କିଛି ବୁଝି ପାରୁନଥିଲା।


Rate this content
Log in