ଭଲ ମଣିଷ
ଭଲ ମଣିଷ
କାଲି ବସରେ ଗାଁକୁ ଆସିବା ବେଳେ ହଠାତ ମୋ’ ନଜରରେ ପଡିଲା ଜଣେ ବୃଦ୍ଧ ଲୋକ ସିଟ ଖଣ୍ଡେ ପାଇଁ କଣ୍ଡକ୍ଟର ପାଖରେ କାକୁତି ମିନତି ହେଉଛନ୍ତି । ଅବିକଳ ତାଙ୍କ ଚେହେରା ମତେ ପିଲାଦିନେ ଚାହାଳିରେ ପଢାଇଥିବା ଶ୍ୟାମସାରଙ୍କ ଭଳି ଲାଗୁଥିଲା ।
ମୋ’ ଆଖି ଆଗରେ ନାଚୁଥିଲା ଶ୍ୟାମସାରଙ୍କ କଥା । ସେତେ ବେଳେ ପ୍ରାୟତଃ ଶ୍ୟାମସାର ସବୁ ପିଲାଙ୍କୁ ପଚାରୁଥିଲେ ....... ତମେ ବଡ ହେଲେ କ’ଣ ହେବ । ସବୁପିଲା ବିଭିନ୍ନ ଉତ୍ତର ଦେଲା ବେଳେ ମୁଁ କହୁଥିଲି ମୁଁ ବଡ ହେଲେ ଜଣେ ଭଲ ମଣିଷ ହେବି ବୋଲି ଆଉ ପ୍ରତ୍ୟେକ ଥର ସେ ମତେ ଭଲ ମଣିଷର ମାନେ ପଚାରିବା ବେଳେ ମୁଁ କହୁଥିଲି .... ଯିଏ ବାପା ମା’ଙ୍କୁ ବେଶି ଭଲପାଏ ସେ ହିଁ ଭଲ ମଣିଷ ।
ସାରଙ୍କୁ ଦେଇଥିବା କଥା ସାରାଜୀବନ ରଖିବାକୁ ମୁଁ ସର୍ବଦା ଚେଷ୍ଟା କରିଛି ହେଲେ କେତେ ସଫଳ ମୁଁ ଜାଣିନି । ଆଉ ବେଶି ଭାବିଲିନି ବୃଦ୍ଧ ଲୋକଟିକୁ ଯାଚିକରି ମୋ’ ସିଟଟି ଦେଲାରୁ ସେ ମତେ କହିଲେ ....ଏତେ ଲୋକଙ୍କ ଭିତରେ ତୁ ଗୋଟେ ଭଲ ମଣିଷ ।
ବାଟ ପାଖେଇ ଆସୁଥିଲା ଫୋନ ରିଂ ରେ ବାସ୍ତବତାକୁ ଫେରିଲି । ମୋ’ ସ୍ତ୍ରୀ ମତେ ଫୋନ କରି ଘରକୁ ଆସିବାକୁ ପଚାରୁଥିଲା ମୁଁ କିନ୍ତୁ ତାକୁ ବୋକା ବନେଇ ତା’ ଇଚ୍ଛା ବିରୁଦ୍ଧରେ ଗାଁକୁ ଫେରୁଥିଲି ବାପା ମା’ଙ୍କ ପାଖକୁ । କଥାଥିଲା ସ୍ତ୍ରୀକୁ ନେଇ ଆଜି ଇଭନିଂ ଶୋ ସିନେମା ଦେଖେଇବା ପାଇଁ । ସେ ମତେ ଗାଳି ଦେଇ କହୁଥିଲା ମୁଁ କାଳେ ଗୋଟେ ଅମଣିଷ ମୁଁ କିନ୍ତୁ ବେଦମ ହସୁଥିଲି ମୋ’ ମଣିଷ ପଣିଆକୁ ଯତ କିଞ୍ଚିତ ବଞ୍ଚେଇ ରଖିବାର ପ୍ରୟାସରେ ।