Ayiswarya Maharana

Others

3  

Ayiswarya Maharana

Others

ଭିନ୍ନ ଏକ ସନ୍ୟାସିନୀ

ଭିନ୍ନ ଏକ ସନ୍ୟାସିନୀ

4 mins
234


କାହାଣୀଟି ସେହି ସମୟର ଯେତେବେଳେ ରାଜତନ୍ତ୍ର ଧୀରେ ଧୀରେ ଅପସରି ଯାଉଥିଲା ଓ ଗଣତନ୍ତ୍ରର ପ୍ରବେଶ ହେଉଥିଲା।ରତ୍ନଗିରି ଗଡଜାତ ଅଞ୍ଚଳରୁ ରାଜତନ୍ତ୍ର ସମାପ୍ତ ହୋଇସାରିଥାଏ।କର୍ପୂର ଉଡିଯାଇଥିଲା କିନ୍ତୁ ବାସ ଛାଡି ଯାଇଥିଲା।ରାଜତନ୍ତ୍ରବିହୀନ ଗଡଜାତ ଅଞ୍ଚଳରେ ରାଜକୁମାରୀ ଥିଲେ କୁମାରୀ ଅପର୍ଣ୍ଣା।ଦେଖିବାକୁ ଠିକ୍ ପରୀଟିଏ।ରୂପ ଗୁଣରେ ସେ ନିଜକୁ ମହାକାଇ ଦେଇଥିଲେ।ସେ ସର୍ବକାର୍ଯ୍ୟରେ ନିପୁଣ ଥିଲେ ମଧ୍ୟ ନୃତ୍ୟ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା।

ଈଶ୍ୱରଙ୍କ ସୃଷ୍ଟିରେ ପ୍ରତ୍ୟେକ କୋଣାନୁକୋଣରେ କିଛିନା କିଛି ବିଶେଷତ୍ୱ ଭରି ରହିଛି।ସମୟେ ସମୟେ ସେହି ବିଶେଷତ୍ୱ ହିଁ ସୃଷ୍ଟିର ଭାଗ୍ୟ ନିର୍ଦ୍ଧାରଣ କରିଥାଏ।ସେହିପରି କିଛି ଘଟିବାକୁ ଯାଉଥିଲା କୁମାରୀ ଅପର୍ଣ୍ଣାଙ୍କ ଜୀବନରେ।

ସେ ପିତା ମହରାଜଙ୍କର ଅତ୍ୟନ୍ତ ପ୍ରିୟ ଥିଲେ ମଧ୍ୟ ରାଜକୁମାରୀଙ୍କର ନୃତ୍ୟ ପ୍ରତି ଥିବା ଦୁର୍ବଳତାକୁ ସେ ନାପସନ୍ଦ କରୁଥିଲେ।କୁମାରୀଙ୍କର ବାଲ୍ୟାବସ୍ଥାରେ ସ୍ୱଳ୍ପ ବାରଣ କରୁଥିଲେ।କିନ୍ତୁ କୁମାରୀ ସେସବୁକୁ ଭ୍ରୂକ୍ଷେପ କରିନଥିଲେ।ସମୟ ଅତିକ୍ରାନ୍ତ କରିବା ସହ ଚନ୍ଦ୍ରକଳା ପରି ବୃଦ୍ଧି ହୋଇ କୁମାରୀ ଅପର୍ଣ୍ଣା କୁମାରୀରୁ ଯୁବତୀ ହୋଇସାରିଥିଲେ।

ପିତାଙ୍କର ଦୃଷ୍ଟି ଅଗୋଚରରେ ସେ ନୃତ୍ୟଶିକ୍ଷା କରି ନୃତ୍ୟରେ ନିପୁଣ ହୋଇସାରିଥିଲେ।ରାତ୍ରିରେ ପିତା ନିଦ୍ରାଦେବୀଙ୍କ କୋଳରେ ଥିବା ସମୟରେ ଅପର୍ଣ୍ଣା ନୁପୁର ଖୋଲିଦେଇ ପିନ୍ଧା ଶାଢ଼ୀରେ ହିଁ ନୃତ୍ୟାଭ୍ୟାସ କରୁଥିଲେ।ସେହି ସମୟରେ ସେ ନୃତ୍ୟରେ ଏତେ ମଗ୍ନ ହୋଇଯାନ୍ତି ଯେ ଚତୁଃପାର୍ଶ୍ୱରେ ଘଟୁଥିବା ଘଟଣା ପ୍ରତି ସେ ସମ୍ପୂର୍ଣ୍ଣ ଅଜ୍ଞ ରୁହନ୍ତି। ତାଙ୍କର ସ୍ୱପ୍ନ ଥିଲା କେବେ ସେ ମୁକ୍ତ ପ୍ରାଙ୍ଗଣରେ ନୁପୁର ପିନ୍ଧି ନୃତ୍ୟ କରିବେ.....କେବେ ପିତା ନୃତ୍ୟ ପାଇଁ ସହମତି ଦେବେ.....।ପରନ୍ତୁ ସେହି ସ୍ୱପ୍ନ ମରୀଚିକା ସଦୃଶ୍ୟ ଥିଲା।

ଏକଦା ରାଜା ରାତ୍ରିରେ ଅପର୍ଣ୍ଣାଙ୍କ ସମ୍ବନ୍ଧରେ ଏକ ଦୁଃସ୍ୱପ୍ନ ଦେଖି ତାଙ୍କୁ କୁଶଳ ଦେଖିବା ନିମନ୍ତେ ଭାରାକ୍ରାନ୍ତ ମନରେ ଅପର୍ଣ୍ଣାଙ୍କ କକ୍ଷକୁ ଚାଲିଆସିଲେ।ନୃତ୍ୟମଗ୍ନା ଅପର୍ଣ୍ଣାଙ୍କୁ ଦେଖି ରାଜା କ୍ରୋଧ ଜର୍ଜରିତ ହୋଇ କୁମାରୀ ଅପର୍ଣ୍ଣାଙ୍କୁ ଡାକିଲେ।କିନ୍ତୁ କୁମାରୀ ନୃତ୍ୟରେ ଏତେ ବିଭୋର ଥିଲେ ଯେ ନିଜ ପିତାଙ୍କ ଡାକକୁ ଶୁଣିପାରିଲେ ନାହିଁ। ରାଜାଙ୍କର ଏହି ସ୍ୱର ଶୁଣି ଅପର୍ଣ୍ଣାଙ୍କ ମାତା ତାଙ୍କ କକ୍ଷକୁ ଛୁଟିଆସିଲେ।ନୃତ୍ୟମଗ୍ନା କୁମାରୀ ଓ କ୍ରୋଧିତ ପତିଙ୍କୁ ଦେଖି ଘଟଣାଟିକୁ ବୁଝିଗଲେ।ତେଣୁ ସେ ଯାଇ କୁମାରୀଙ୍କ ହାତଟିକୁ ଧରିନେଇ ତାଙ୍କୁ ନୃତ୍ୟରୁ ବିରତ କରାଇଲେ।ଅପର୍ଣ୍ଣା ସମ୍ମୁଖରେ ପିତାଙ୍କୁ ଦେଖି ନତମସ୍ତକରେ ଦଣ୍ଡାୟମାନ ହୋଇଗଲେ।କକ୍ଷଟିରେ କୁମାରୀଙ୍କ ଗୁଣୁଗୁଣୁ ସଙ୍ଗୀତର ସ୍ୱର ତଥା ପାଦର ଛନ୍ଦ ଥମିଯିବା ସହ ଏକ ଭୟଙ୍କର ନୀରବତା ଖେଳିଗଲା।ଏହା ପରେ ତାଙ୍କ ପିତା କୌଣସି ବାକ୍ୟ ବିନିମୟ ନକରି ନିଜ କକ୍ଷକୁ ପ୍ରତ୍ୟାବର୍ତ୍ତନ କରିଗଲେ।ମାତା ଅପର୍ଣ୍ଣାଙ୍କୁ କହିଲେ କୁମାରୀ ତୁମକୁ କେତେ ବୁଝାଇଲି,ତୁମେ ଏ କି ଅନର୍ଥ କରିଦେଲ।ଅପର୍ଣ୍ଣା ଭୟରେ ମାତାଙ୍କ ନିକଟରେ କାନ୍ଦିବାକୁ ଲାଗିଲେ।ତେଣୁ ମାତା ତାଙ୍କୁ ବୋଧଦେଇ ନିଜ କକ୍ଷକୁ ଫେରିଗଲେ।କକ୍ଷରେ ଯାଇ ଦେଖିଲେ ରାଜା ଗମ୍ଭୀର ଭାବେ ଚୁପଚାପ ବସିଛନ୍ତି।ଏହିଭଳି ଏକ ଅଭାବନୀୟ ପରିସ୍ଥିତିରେ ରାଜା ଭଲା କିଛି କଠୋର ଭାବେ କହିଥାନ୍ତେ ,ତାହା ସ୍ୱଭାବିକ ହୋଇଥାନ୍ତା;ପରନ୍ତୁ ଏଭଳି ନୀରବତା ଝଡର ପୂର୍ବଭାସ ପରି ପ୍ରତୀତ ହେଉଥିଲା।

ପରଦିନ ରାଜା କୁମାରୀ ଅପର୍ଣ୍ଣାଙ୍କୁ ଡକାଇ କହିଲେ,"କୁମାରୀ ମୁଁ ତୁମକୁ ବାଲ୍ୟକାଳରୁ ଏସବୁରୁ ନିବୃତ୍ତ ହେବାପାଇଁ ଅନେକ ଥର କହିଛି।କିନ୍ତୁ ତୁମେ ମୋ ଦୃଷ୍ଟି ଅଗୋଚରରେ ଏସବୁ କରିଲ।ମୋ ସହ ଏହା ବିଶ୍ୱାସଘାତକତା ହେଲା।ଜଣେ ନୃତ୍ୟାଙ୍ଗନା ହୋଇ ତୁମେ କି ସଫଳତା ପାଇବ??ମୁଁ ବହୁତ ଦେଖିଛି ଏହି ଗନ୍ଧର୍ବ କଳାର ଅଧିକାରିଣୀ ହୋଇ ନାରୀର କି ପ୍ରକାରର ଗତିହୁଏ।କେବଳ ଇତରର ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ମାତ୍ର।ଏକ ଲଜ୍ଜାର ଵିଷୟ ଯେ ଜଣେ ପିତା ହୋଇ ତୁମକୁ ଏହି ସତ୍ୟ କହିବାକୁ ପଡୁଛି।"

ଏକ କଳାର ଏହିପରି ଅପମାନ ସହ୍ୟ କରିବା ଅପର୍ଣ୍ଣାଙ୍କ ପକ୍ଷେ ସମ୍ଭବ ହେଉନଥିଲା।ତେଣୁ ଅପର୍ଣ୍ଣା କହିଲେ ,"ପିତା ମହାରାଜ ଏହି କଳା ଈଶ୍ୱର ପ୍ରଦତ୍ତ ଏବଂ ଈଶ୍ୱର ପ୍ରଦତ୍ତ କୌଣସି ଚିଜ ଲଜ୍ଜାଜନକ ହୋଇପାରେନା।"

ରାଜା କହିଲେ ,"କୁମାରୀ ତୁମେ ଶିଷ୍ଟାଚାରକୁ ପାଶୋରି ଦେଲକି??ଜଣେ ରାଜବଂଶୀ ହୋଇ ନୃତ୍ୟ କରିବା ପାଇଁ ପିତାଙ୍କ ସହ ବାକ୍ ଯୁଦ୍ଧ କରୁଛ।ଜଣେ କ୍ଷତ୍ରିୟର ସମ୍ମାନ ହିଁ ତା ପ୍ରାଣଠାରୁ ବଳି ପ୍ରିୟ ଏବଂ ତୁମେ ଯଦି ଏହି ସମ୍ମାନରେ କୁଠାର ଘାତ କରିବାକୁ ପୁନଃ ଚେଷ୍ଟା କର ତେବେ ମୋତେ ତୁମକୁ ତ୍ୟାଗ କରିବାକୁ ହେବ।"

ଏହାପରେ ରାଜା କୁମାରୀ ଅପର୍ଣ୍ଣାଙ୍କୁ ନେଇ ତାଙ୍କ କକ୍ଷରେ ବନ୍ଦୀ କରି ପତ୍ନୀଙ୍କୁ ଆଦେଶ ଦେଇଗଲେ ଯେ ଯେପର୍ଯ୍ୟନ୍ତ କୁମାରୀ ତାଙ୍କର ମତ ପରିବର୍ତ୍ତନ ନକରିବେ ତାଙ୍କୁ ଅନ୍ନ ଜଳ ସୁଦ୍ଧା ଯାଚନା କରିବ ନାହିଁ।ତେଣେ ମାତୃ ମନ ବ୍ୟକୁଳ ହେଉଥାଏ;ଚିନ୍ତା କରୁଥାଏ ଏତେ ଆଦର ଯତ୍ନ କରୁଥିବା ପିତା ସାମାନ୍ୟ କଥାରେ ପୁତ୍ରୀକୁ ଏପରି ନିଷ୍ଠୁର ବ୍ୟବହାର କିପରି କରିପାରିବେ।

କକ୍ଷରେ ବନ୍ଦୀ ଥିବା ଅପର୍ଣ୍ଣା ପିତାଙ୍କର ଏପରି ବ୍ୟବହାରରେ କ୍ରୋଧିତ ତଥା ମର୍ମାହତ ହୋଇ ନିଜ ପାଦରେ ପେନ୍ଥି ନୁପୁର ଦୁଇଟିକୁ ବାନ୍ଧିଦେଇ ନୃତ୍ୟରେ ନିମଗ୍ନ ହୋଇଗଲେ।ଖାଦ୍ୟ ଜଳ ବିହୁନେ ତାଙ୍କ ଶରୀର ଦ୍ରୁମପ୍ରାୟ ଭୂପତିତ ହେଲା।ବଜେଣି ନୁପୁର ଦ୍ବୟ ଶାନ୍ତ ହୋଇଗଲେ।

ରାଜା ଏହା ଜାଣିପାରି ମହଲରେ କାର୍ଯ୍ୟରତ କିଛି ସେବକଙ୍କୁ ଡାକି କହିଲେ କୁମାରୀ ଜୀବିତ ଥାନ୍ତୁ କି ମୃତ ମୋର ସେଥିରେ ପ୍ରୟୋଜନ ନାହିଁ।ଯେଉଁ ପୁତ୍ରୀ ପିତାର ସମ୍ମାନ ରକ୍ଷା ନିମନ୍ତେ ଅସମର୍ଥ ସେଭଳି ପୁତ୍ରୀକୁ ମୁଁ ତ୍ୟାଗ କରୁଛି।ତାଙ୍କୁ ନେଇ ବନରେ ଛାଡିଦିଅ।କୁମାରୀଙ୍କର ମାତା ପତିଙ୍କର ଏତାଦୃଶ୍ୟ କ୍ରୁରତାରେ ମ୍ରିୟମାଣ।

ବନର ଶୀତଳ ପବନ ,ସୂର୍ଯ୍ୟଙ୍କର କୋମଳ କିରଣରେ ଅପର୍ଣ୍ଣା ତାଙ୍କର ଚେତନା ଶକ୍ତି ଫେରିପାଇଲେ।ପରଦିନ ପ୍ରତ୍ୟୁଷରେ ଅପର୍ଣ୍ଣା ନିଜକୁ ଅନ୍ୱେଷଣ କଲେ ଘଞ୍ଚ ବନସ୍ତରେ।ପାଦରେ ବନ୍ଧାଥିବା ନୁପୁରକୁ ଦେଖି ଘଟଣାକୁ ଅନୁମାନ କରିଲେ।ଏକାକୀ ବସି କାନ୍ଦୁଥାନ୍ତି।ଘଞ୍ଚ ଅରଣ୍ୟରେ ଏକାକୀ ଖୁବ ଭୟ ପାଉଥିଲେ।ଏହି ସମୟରେ ଜଣେ ସାଧୁ ସେହି ରାସ୍ତାରେ ଯାଉଥିଲେ।ଅପର୍ଣ୍ଣା ସାଧୁଙ୍କୁ ଦେଖି ସାହସ ପାଇଲେ।ସାଧୁ ତାଙ୍କ ନିକଟକୁ ଆସି ପଚାରିଲେ ,"ତୁମେ ଏକାକୀ ଏହି ଅରଣ୍ୟରେ କଣ କରୁଛ।ପଥହରା ହୋଇଯାଇଛ ବୋଧହୁଏ।"ଅପର୍ଣ୍ଣା ନିଜ ସହ ଘଟିଥିବା ସମସ୍ତ ଘଟଣା ଖୋଲି କରି କହିଲେ।

ସାଧୁ ସମସ୍ତ ବୃତ୍ତାନ୍ତ ଶୁଣି କହିଲେ,"ଲାଗୁଛି ଈଶ୍ୱର ତୁମକୁ ବହୁତ ସ୍ନେହ କରନ୍ତି।"ଅପର୍ଣ୍ଣା ଆଶ୍ଚର୍ଯ୍ୟ ହୋଇ ସାଧୁଙ୍କୁ ଚାହିଁଲେ।ପୁନଃ ସାଧୁ କହିଲେ,"ହଁ ରେ ମାଆ।ମୁଁ ଠିକ୍ କହୁଛି।ଯେତେବେଳେ ଜଣେ ସର୍ବହରା ହୋଇଯାଏ ବୁଝିନେବାକୁ ହୁଏ ଯେ ଈଶ୍ୱର ତାଠାରୁ ସମସ୍ତ ମୋହ ଛିନ୍ନ କରାଇ,ପ୍ରାଣୀଟିକୁ ନିଜ ଶରଣକୁ ଆସିବା ପାଇଁ ନିର୍ଦେଶ ଦେଉଛନ୍ତି।ଯେତେବେଳେ ସଂସାରର ସମସ୍ତ ସମ୍ପର୍କରେ ନିରାଶା ପ୍ରାପ୍ତ ହୁଏ ସେହି ସମ୍ପର୍କକୁ ସେହି ଈଶ୍ୱରଙ୍କ ସହ ଯୋଡିଦିଅ।ନିର୍ବାଣ ପ୍ରାପ୍ତି ହେବ।"

ଅପର୍ଣ୍ଣାଙ୍କ ମୁଖରେ ଏକ ତେଜ ପ୍ରସ୍ଫୁଟିତ ହେଲା।ସଂଗେ ସଂଗେ କହି ଉଠିଲେ ,"ଆଜି ବୁଝିଲି ବୁଝିଲି ଜୀବନର ଏକ ଗୂଢ ସତ୍ୟକୁ।ଆପଣ ମୋର ମାର୍ଗଦର୍ଶକ ।ତେଣୁ ଆପଣ ମୋର ଗୁରୁ ହୋଇ ମୋତେ ସନ୍ୟାସ ଦିଅନ୍ତୁ।"

ସାଧୁ କହିଲେ,"ସେଥିରେ ମୋର କୌଣସି ଆପତ୍ତି ନାହିଁ।କିନ୍ତୁ ପରେ ଯେବେ ତୁମ ଆତ୍ମୀୟ ଜନ ଖୋଜିବେ ସେତେବେଳେ ସନ୍ନ୍ୟାସରୁ ବିମୁଖ ହେବନାହିଁ ତ??ପୁଣି ଏତେ ଦୀର୍ଘ ଜୀବନ ,ତୁମେ ପୁଣି ରାଜବଂଶୀ,କଠୋର ହେବ।"

ଅପର୍ଣ୍ଣା କହିଲେ,"ଏସବୁ ପରେ ମୋର ଆତ୍ମୀୟ କିଏ??କୌଣସି ଆତ୍ମୀୟ କଣ ଏଭଳି ବ୍ୟବହାର କରନ୍ତି।ଯେବେ ପ୍ରଶ୍ନ ଉଠିଛି ମୋ ଜୀବନର.....ଯଦି ଈଶ୍ୱରଙ୍କ ଇଛା ମୁଁ ତାଙ୍କର ଶରଣାପନ୍ନ ହୁଏ,ତେବେ ଆଉ ମୋର ଜୀବନ ଚିନ୍ତନର ପ୍ରଶ୍ନ ଉଠୁଛି କେଉଁଠି।ଈଶ୍ୱର ଦତ୍ତ ସେହି କଳାକୁ ମୁଁ ତାଙ୍କୁ ଉତ୍ସର୍ଗୀକୃତ କରୁଛି।ମୁଁ ସନ୍ନ୍ୟାସିନୀ ହୋଇ କେବଳ ଈଶ୍ୱରଙ୍କ ନିମିତ୍ତ ନୃତ୍ୟାଙ୍ଗନା ସାଜିବି।ମୋ ନୁପୁର ବାଜିବ ସେହି ଈଶ୍ୱରଙ୍କ ନିମିତ୍ତ।"

"ସାଧୁ ସାଧୁ "କହି ସାଧୁ ଜଣଙ୍କ ଅପର୍ଣ୍ଣାଙ୍କୁ ଶିଷ୍ୟା ରୂପେ ଗ୍ରହଣ କଲେ।

ଏହାପରେ କୁମାରୀ ଅପର୍ଣ୍ଣାରୁ ସାଜିଥିଲେ ସନ୍ନ୍ୟାସିନୀ।ଆପଣେଇ ନେଇଥିଲେ ସାଧ୍ୱୀର ଜୀବନ।



Rate this content
Log in