Nandini RayMohapatra

Others

5.0  

Nandini RayMohapatra

Others

ବହି

ବହି

2 mins
757



ପିଲା ବେଳେ ବାପା ଆମ ପାଇଁ ପାଠ ବହି ସହ ଗୀତା ପ୍ରେସ ର ବିଭିନ୍ନ ସଦ୍ ଚରିତ, ବିଭିନ୍ନ ମହାପୁରୁଷ ଙ୍କ ଜୀବନୀ,କମିକ୍ସ୍ ବହି ଇତ୍ୟାଦି ଆଣୁଥିଲେ। ପ୍ରତି ରବିବାର ବାପା ସନ୍ଧ୍ୟା ରେ ଘରକୁ ଫେରି, ଡାକୁଥିଲେ, “ପିଲା ମାନେ ଦେଖ ଆଜି କୋଉ ବହି ଆଣିଛି? “
ସେତେବେଳେ ବହି ଥିଲା ଆମ ପାଇଁ ଉତ୍ସୁକତାର ଗୋଟେ ପରମ ଉତ୍ସ। ଚାତକ ପରି ଆମେ ବହି ର ବାଟ ଚାହିଁ ବସୁଥିଲୁ।

ଏବେ ମୁଁ ଟିକେ ବଡ଼ ହେଇଯାଇଥିଲି। ସ୍କୁଲ ର ପାଠ ବଢୁଥିଲା।ଏବେ ଗଳ୍ପ ଏବଂ ନୀତିଶିକ୍ଷା ବହି ପଢ଼ିବା ଟିକେ କମିଯାଇଥିଲା।ବହି କହିଲେ ଏବେ ପାଠ ବହି କଥା ମୁଣ୍ଡ କୁ ଆସୁଥିଲା। ଏବେ ବାପା ଯେବେ ବହି ଆଣୁଥିଲେ, ସେତେବେଳେ TBW, MBD କିମ୍ବା ଅନ୍ୟାନ୍ୟ ଗାଇଡ୍ ବହି ର ସଂଖ୍ୟା ବଢ଼ି ଯାଇଥିଲା।
ଏବେ ବହି କଥା ଶୁଣିଲେ ଦାୟିତ୍ଵବୋଧ ବଢ଼ି ଯାଉଥିଲା।

ଏବେ ନୂଆ ନୂଆ କଲେଜ ଜଏନ୍ କରିଥିଲି ମୁଁ। ପ୍ରଥମ ବର୍ଷ ସରୁ ସରୁ ବହି ସହ ସମ୍ପର୍କ ଅନେକାଂଶ ରେ କମିଯାଇଥିଲା। ଗୋଟେ ଖାତା ଆଉ ପେନ୍ ରେ କଲେଜ ଚଳି ଯାଉଥିଲା।ଦିନେ ମୋତେ ଆଶ୍ଚର୍ଯ୍ୟ ଚକିତ କରିଦେଇ ଲିସା (ଯାହାକୁ ଦେଖିବାରେ ମୋର ପୁରା କ୍ଲାସ ଟିଏ ସରିଯାଉଥିଲା) ମୋ ହାତ କୁ ଫିଜିକ୍ସ ବହି ଟିଏ ବଢ଼େଇ ଦେଇଥିଲା। ହଷ୍ଟେଲ୍ ରେ ପହଁଞ୍ଚିବା ପରେ ବହି ଟି ର ମଝି ପୃଷ୍ଠା ମଧ୍ଯ ରେ ଥିଲା ଚିଠି ଟିଏ, ମୋ ପାଇଥିବା ପ୍ରଥମ ପ୍ରେମପତ୍ର। ଏବେ କ୍ଲାସ କୁ ମୁଁ ସବୁବେଳେ ବହି ନେଇ ଯାଉଥିଲି। ଏବେ ବହି ବହୁତ୍ ଭଲ ଲାଗୁଥିଲା।

ସମୟ ଦୌଡ଼ି ଚାଲିଥିଲା। ମୋର ବିବାହ ହୋଇ, ମୁଁ ଦୁଇଟି ପିଲା ଙ୍କ ବାପା ମଧ୍ୟ ହେଇ ସାରିଥିଲି। ପିଲା ମାନେ ବଡ ହେଉଥିଲେ ଆଉ ତା ସହ ତାଙ୍କ ବହି ଥାକ ବି। ଏବେ ବହି କଥା ଉଠିଲେ ଚିନ୍ତା ଆସୁଥିଲା। କେତେ ଟଙ୍କା ଲାଗିବ, କେତେ ଦିନ ଭିତରେ ପିଲାମାନଙ୍କୁ ବହି କିଣି ଦେବାକୁ ହେବ ସେ ନେଇ ଭାବିବା କୁ ପଡୁଥିଲା।

ପିଲା ମାନେ ବଡ ହେଇ ଯାଇଥିଲେ। ଚାକିରି ବାକିରି କରି ନିଜ ସ୍ତ୍ରୀ ପିଲା ଙ୍କ ସହ ବିଦେଶ ରେ ରହୁଥିଲେ। ସ୍ତ୍ରୀ ଙ୍କ ର ବି ଦେହାନ୍ତ ହେଇ ଯାଇଥିଲା। ଏବେ ମନେ ପଡୁଥିଲା ବାପା ଙ୍କ କଥା,ଗପ ବହି କଥା। ଏବେ ମୋ ଘର ଛୋଟ ଲାଇବ୍ରେରୀ ରେ ତଡିତ୍ ବେଗ ରେ ରୂପାନ୍ତର ହେବାକୁ ଯାଉଥିଲା। ଏବେ ବହି ମାନଙ୍କ ସହ ସମ୍ପର୍କ ଢେର୍ ନିବିଡ଼ ହେଇ ସାରିଥିଲା। ବହି ମାନେ ଲାଗୁଥିଲେ ସବୁଠୁ ନିଜର ନିଜର।

ନନ୍ଦିନୀ ରାୟ ମହାପାତ୍ର।



Rate this content
Log in