ତୁମେ ଚାଲିଗଲା ପରେ
ତୁମେ ଚାଲିଗଲା ପରେ
ତୁମେ ଚାଲିଗଲା ପରେ ଦୁନିଆଁ ରୁ
ସୁଖ ସରିଗଲା ମୋର
ହାତରୁ ତୁଟିଲା ଶଙ୍ଖା ମୋ ମଥାରୁ
ଲିଭି ତ ଗଲା ସିନ୍ଦୁର l
ସ୍ତମ୍ଭିଭୂତ ହେଲା ଗଗନ ପବନ
କାନ୍ଦିଲେ ଯେ ବୃକ୍ଷ ଲତା
ଛାଡି ଚାଲିଗଲ ଅନାଥ କରିଣ
ପତ୍ନୀ ର ସଙ୍ଗେ ଦୁହିତା l
ନୀଳ ଆକାଶରେ କଳା ବଉଦର
କୋଳେ ଲୁଚିଗଲା ଚାନ୍ଦ
ସରସୀ ଜଳରେ ନୀଳକଇଁ ହୃଦେ
ଭରିଣ ଗଲା ବିଷାଦ l
ଦୁଃଖରେ ମଉଳିଲା ରଜନୀ ଗନ୍ଧା
କାନ୍ଦୁଥିଲେ ଯୁଇ ଯାଇ
ହେନାର ବାସନା ଦୂର ହୋଇଗଲା
କାନ୍ଦିଲା ଲୁହ ଗଡ଼ାଇ l
ଗୋଲାପ ଫୁଲର ହସ ମରିଗଲା
ପାଖୁଡା ତା ଗଲା ଝଡି
ମନ୍ଦାର, କେତକୀ, ସେବତୀ ମାଳତୀ
କାନ୍ଦୁଥିଲେ ମୁହଁ ମାଡି l
ପରାଜିତ ହୋଇ ଅପରାଜିତା ଟି
ମାଟିରେ ଯେ ଗଲା ମିଶି
ବସନ୍ତ ଋତୁରେ ଗାଇଲାନି ପୀକ
ଆମ୍ବ ଗଛ ଡାଳେ ବସି l
ବରଷା ହୋଇଲେ ନାଚିଲାନି କେକୀ
ପୁଛକୁ ଟେକିଣ ତାର
ଟଗର, ତରାଟ ଗଛ ମରିଗଲା
ଗୁଣ ସୁମରି ତୁମର l
ତୁମ ଉପବନ ହୋଇଗଲା ଶୂନ୍ୟ
ତୁମକୁ ଯେ ଝୁରି ଝୁରି
ଚତୁର୍ଦ୍ଦିଗ ଦିଶୁଅଛି ଅନ୍ଧକାର
ସବୁ ଦିଶେ ହତ ଶିରି l
ତୁମରି ହାତର ଯାଦୁର ସ୍ପର୍ଶରେ
ଥିଲେ ସିଏ ଆନନ୍ଦରେ
ସବୁଜ ଉଦ୍ୟାନ ହେଲା ପତ୍ରହୀନ
ଲୁହ ଆସେ ନୟନରେ l
ଜୀବନ ଯୁଦ୍ଧ କ୍ଷେତ୍ରରେ ତୁମେ ଥିଲ
ଅପରାଜେୟ ସୈନିକ
ଅଧୁରା ସ୍ୱପ୍ନକୁ ପୂରଣ ନ କରି
ଛାଡି ଦେଲ ଇହଲୋକ l
ହିମାଳୟ ପରି ଉଚ୍ଚଚିନ୍ତାଧାରା
ତୁମ ପରି କିଏ ହେବ
ତୁମ ବିହୁନରେ କାନ୍ଦୁଅଛି ବସି
ସାନ୍ତ୍ୱନା କିଏ ସେ ଦେବ l