ତୁମ ବିନା ପ୍ରଭୁ କିଏ ଅଛି ମୋର
ତୁମ ବିନା ପ୍ରଭୁ କିଏ ଅଛି ମୋର
ତୁମ ବିନା ପ୍ରଭୁ କିଏ ମୋର ଅଛି
କା ଆଗେ କହିବି ଦୁଃଖ
ଭାବିଥିଲି ମନେ ଦୁଃଖ ବଖାଣି ମୁଁ
ନିଜକୁ ମଣିବି ସୁଖ ।
ସ୍ନାହାନ ବେଦୀ ରେ ବିଜେ କରିଅଛ
ଭକ୍ତଙ୍କ ଦର୍ଶନପାଇଁ
ଭକ୍ତଶୂନ୍ୟ ଆଜି ତୁମ ବଡ଼ଦାଣ୍ଡ
କାନ୍ଦୁଛି ବୁକୁ ଫଟାଇ ।
ଏକି କଲ ପ୍ରଭୁ ଆହେ ଦୁଃଖହାରୀ
କଳି କଳୁଷନାଶନ
ମହାମାରି ଭୟେ ସର୍ବେ ଥରହର
ଏ କଥା କିଆଁ ବୁଝୁନ ।
ସେଥିପାଇଁ ମୌନ ଆଉ ନିରୁପାୟ
ପାରୁନାହଁ କିଛି କରି
ଦୂରାରୋଗ ଟାକୁ ଟାଳିପାରିଥାନ୍ତ
ତୁମେ ଇଚ୍ଛା ଥିଲେ କରି ।
ଏହି ରୋଗ ପ୍ରଭୁ ଘର ଉଜାଡିଛି
ଦେଇଛି ଦାରୁଣ ଦୁଃଖ
ଅକାତ ରେ କେତେ ନିରୀହ ନିଷ୍ପାପ
ହୋଇଛନ୍ତି ହେ ନିରେଖ।
ସବୁ ସହି ଭକ୍ତ ଅପେକ୍ଷାରେ ଥିଲା
ତୁମ ରଥଯାତ୍ରା ପାଇଁ
ଅପେକ୍ଷା ର ଅନ୍ତ ଘଟିଛି ଏଥର
ଆଉ ଧୈର୍ଯ୍ୟ କା'ର ନାହିଁ ।
ସବୁ କଟକଣା ଭାଙ୍ଗି ଦେଇ ଆସି
ଭକ୍ତଙ୍କୁ କର ପ୍ରସନ୍ନ
ମହ ମହ ବାସୁ ତୁମ ଆବିର୍ଭାବ
. ତୁମ ପ୍ରେମ ଆସ୍ୱାଦନ ।
ଅନ୍ତର ର ଭାଷା ବୁଝିପାର ବୋଲି
ତୁମେ ତ ଅନ୍ତରଯାମୀ
ବେଳୁ ଏ ଅନ୍ତର ଦେଇଛି ଅରପି
ହେ ମୋର ଜୀବନସ୍ୱାମୀ ।
ହେ ପ୍ରାଣଠାକୁର ହେ ଅନ୍ତରତମ
ପାଦ ତଳେ ମତି ରଖି
ଅବଶିଷ୍ଟ ମୋର ସଂସାର ବୋଝ କୁ
ଦେଉଛି ତୋତେ ସମର୍ପି ।
ତୁମ ସାଥେ ଥରେ ଦେଖା କରି ଦିଅ
କରୁଣା ବରଷି ବାରେ
ଶିଥିଳ ହାତରେ ଜଣାଏ କାତରେ
ପ୍ରଣାମ ଘେନ ହଜାରେ ।
ତୁମ ସାଥେ ମୋର ଭାବ ଦିଆନିଆ
ଲାଗୁ ହେ ସାତ ଜନ୍ମକୁ
ସେଥିଲାଗି ଥରେ କାଟିଦିଅ ପ୍ରଭୁ
ଭଵମାୟା ବନ୍ଧନ କୁ ।
ହେ ଭାବଗ୍ରାହୀ ତୁମ ସତ୍ତା ପାଇ
ପାଇବି ସରଗ ସୁଖ
ଭକତ ଇଚ୍ଛାକୁ ବଳିଦିଅ ନାହିଁ
ସଙ୍କଟ ଫେଡ଼ ବାରେକ ।
