ସୁନ୍ଦର
ସୁନ୍ଦର
ଦୂରକୁ ସୁନ୍ଦର ଉଚ୍ଚ ପରବତ
ପାଖକୁ ସୁନ୍ଦର କଇଁ
ରାତି ପାହିଗଲେ ସକାଳ ସୁନ୍ଦର
ସୂରୁଯ ଆସିଲେ ଉଇଁ ।
ଆହୁରି ସୁନ୍ଦର ଦୂରୁ ଦେଖିଦେଲେ
ସୋରିଷ ଫୁଲର କ୍ଷେତ
ସୁନ୍ଦର ଲାଗଇ ଆମ୍ବ ଗଛ ଡାଳେ
କୋଇଲି ଗାଇଲେ ଗୀତ ।
ଜହ୍ନ ତାରା ଥିଲେ ଆକାଶ ସୁନ୍ଦର
ଘାସକୁ କାକର ଟୋପା
ଗହଣାରେ ସଜା ବୋହୂଟି ସୁନ୍ଦର
ମୁହଁକୁ ଚନ୍ଦନ ଟିପା ।
ଅଗଣା ସୁନ୍ଦର ଚଉରାଟି ଥିଲେ
ପଡିଥିଲେ ସେଠି ଝୋଟି
ଛୋଟ କୁଡିଆଟି ସୁନ୍ଦର ଲାଗଇ
ଲିପା ହୋଇଥିଲେ ମାଟି ।
ଦରିଆ ସୁନ୍ଦର ଢେଉ ମାଳ ମାଳ
ନଈକୁ ସୁନ୍ଦର ନାଆ
ଟିକି ଓଠେ ଟିକି ହସଟି ସୁନ୍ଦର
ଶିଶୁକୁ ସୁନ୍ଦର ମାଆ ।
ମାଟି କୋଳେ ପରା ଗଛଟି ସୁନ୍ଦର
ଫୁଲ ଫଳ ଥିଲେ ଭରା
ଆହୁରି ସୁନ୍ଦର ଦେଖାଯାଉ ଥାଏ
ପଡିଲେ ସକାଳ ଖରା ।
ପ୍ରକାଶ କୁମାର ଚାନ୍ଦ ,ଜୟପୁର ଶାସନ ପିପିଲି ପୁରୀ
ମୋ୯୮୫୩୫୪୯୩୮
