ଶୀତ ସହର
ଶୀତ ସହର
ସକାଳ ପ୍ରହର ଶୀତର ସହର
ଲାଗେ ଗୁମ୍ ସୁମ୍ କୁହୁଡିଘେରା
ହେମାଳ ପବନ କହିଯାଏ କାନେ
ଶୀତବସ୍ତ୍ର ବେଶ ସକାଳ ଫେରା ।୧
ପଉଷ ସକାଳ ବିଷାକ୍ତ ବିକଳ
ଆଣେ ଅଳସୁଆପଣ ଡାକି
ଧସେଇ ପସଇ ଜାବୋଡି ଧରଇ
କମ୍ୱଳରେ ବାନ୍ଧେ ଜୀବନ ବାକି ।୨
ସନ୍ନ୍ୟାସିନୀ ଶୀତ ଶୁଭ୍ର ପରିହିତ
ମାର୍ବଲ ଚାଦରେ ନିରବେ ରହେ
ଧ୍ୟାନୀ ଯୋଗାସନୀ ମୌନୀ ତପସ୍ଵିନୀ
ଶାନ୍ତି ମୈତ୍ରୀ ବାରତା କହେ ।୩
ଧଳା ପଣତରେ ଅଭୟ ହସ୍ତରେ
କୋଳେଇ ଧରେ ଜୀବସକଳ
ଆଖି ମୁଦିଯାଏ ଚେଇଁ ଶୋଇଥାଏ
ଜାକିଜୁକି ଭୀରୁ ମଣିଷ ଦଳ ।୪
ପତ୍ରଝଡା ବୃକ୍ଷ ଦିଶେ ଦେଖ ରୁକ୍ଷ
ବିକ୍ଷିପ୍ତ ରୂପଯୌବନ ଧାରେ
ଶୀତର ପରସେ ନଇଁଯାଏ ଧାସେ
ଜରାକୁ ବରଣ କରିଣ ବସେ ।୫
ଶୋରିଷ ଫୁଲର ହଳଦି ନଜର
ଦିଶେ ନାହିଁ ଦୂରେ ଚକ୍ରବାଳେ
ପାଚିଲା ଧାନର ସ୍ୱର୍ଣ୍ଣ।ଭ ବେଭାର
ସରିଲାଣି ବିକ୍ରି ମଣ୍ଡିଭୋଳେ ।୬
ଅଲାଜୁକୀ ଶୀତ ହୁଏ ଉଗ୍ରମାତ
ସୁରୁଜ ଆସିଲେ ଲୁଚଇ ଙ୍କୁଜେ
ନୂଆ କିଶଳୟ ଫଂଗୁଣ ମଳୟ
ଦେବ ଘଉଡେଇ ବରସେ ଲାଜେ।୭
ଶୀତର ସହର ଲାଗେ ଆପଣାର
ଘୁମେଇ ପଡିଛି କ୍ଲାନ୍ତ ଶରୀରେ
ମୁରୁକି ହସରେ ମାନିନୀ ଛନ୍ଦରେ
ଝରା ବଉଳର ମାଦକ ଗନ୍ଧରେ ।୮