STORYMIRROR

Prakash Kumar Chand

Others

3  

Prakash Kumar Chand

Others

ଶୀତ ଆସିଲାଣି

ଶୀତ ଆସିଲାଣି

1 min
13.8K


ଶୀତ ଆସିଲାଣି


ପାଦ ଚିପି ଚିପି ଆମରି ଗାଆଁକୁ

ଆସିଲାଣି ଶୀତ ମାଉସୀ

କାଲୁଆ ହାତରେ ସବୁରି ଦେହକୁ

ଦେଲାଣି ତ ସିଏ ଆଉଁସି ।


ପାହାନ୍ତା ପହରୁ ପାଇଟିକୁ ସାରି

ବୋଉ ମୋ ପଡିଛି ଗାଧୋଇ

ଚଉରା ମୂଳରେ ଜାଳେ ସଂଜବତୀ

ଝୋଟି ମୁରୁଜକୁ ପକେଇ ।


ଶୀତ ଲାଗିବାରୁ ବୁଢୀ ମାଆ ମୋର

କୁଣ୍ଡେଇ ବସିଛି ଚୁଲିକି

ବଙ୍କୁଲିକୁ ଧରି ଜେଜେ ଆସିଲେଣି

ଖଣ୍ଡେ ବାଟ ପରା ଚାଲିକି ।


ଶୀତୁଆ ପବନ ପରଶେ କ୍ଷେତରେ

ଧାନ ଗଛ ଖେଳେ ଦୋଳିରେ

ସୂରୁଯ କିରଣେ କାକର ଟୋପାଟି

ଦିଶଇ ମୁକୁତା ଭଳିରେ ।


ଶୀତ ସକାଳର କଅଁଳ ଖରାଟି

ଦେହକୁ ଲାଗଇ ବଢିଆ

ନିଆଁ ପୂଇଁବାକୁ ଖଳାକୁ ଦଉଡେ

ଆମ ଘର ପାଖ ଧଡିଆ ।


ଦେହରେ ପଡିଲେ ପାଣିର ଛିଟିକା

ହାତ ଗୋଡ଼ ଥରି ଉଠେରେ

ସୁନ୍ଦର ଦିଶଇ ବାଡ଼ି ବଗିଚାଟି

ଗଛେ ଫୁଲ ମାନ ଫୁଟିରେ ।


ନାନା କିସମର ପରିବାରେ ଭରା

ହସୁଅଛି ପରା ଵଜାର

କୁଆଁରପୂନେଁଇ ଦୀପାବଳି ସାଥେ

ଶୀତ ହୋଇଲାଣି ହାଜର ।


ପ୍ରକାଶ କୁମାର ଚାନ୍ଦ ଜୟପୁର ଶାସନ ପିପିଲି ପୁରୀ

ମୋ ୯୮୫୩୩୫୪୯୩୮


Rate this content
Log in