ରଜ
ରଜ
ଜୀବନ !
ରଜ ଦୋଳି ଭଳି
ଟିକେ ଆଗକୁ, ଟିକେ ପଛକୁ
କେତେବେଳେ ଆକାଶ କୁ ଛୁଇଁବାର ଦୁର୍ବାର ଅଭିପ୍ସା
ତ ବେଳେବେଳେ କଚାଡି ପଡିବାର ଭୟ
ଠିକ କାଠ ଘୋଡ଼ା ପରି
ଖାଲି ଦୋହଲିବାର ଅଭିନୟ ।
ଏଇତ ଜୀବନ !
ଗ୍ରୀଷ୍ମର ଅଂଶୁଘାତ ରୁ ବର୍ତ୍ତି ପାରିଲେ
ଶ୍ୟାମଳିମା
ବର୍ଷାର ଅମୃତ ସ୍ପର୍ଶରେ
ଶୁଷ୍କ ମରୁ ରେ ବି କଅଁଳେ ଘାସ ।
ରଜ !
ଏକ ବିଶ୍ୱାସ,
ଏକ ଆଶ୍ୱାସନା,
ନୂତନ ସୃଷ୍ଟିର ସମ୍ଭାବନା
ରଜସ୍ୱଳା ଧରଣୀର ଅଭିଷେକ
ନବ ଆଶାର ସଞ୍ଚାର
କୃଷକର,
ତରୁଣୀର,
ନବ ବଧୂର ।
ରଜ !
ଜୀବନ ଯାତ୍ରାର ଏକ ବିରାମ ସ୍ଥାନ
କ୍ଳାନ୍ତି ଟିକେ ମେଣ୍ଟି ଗଲେ
ଆଗକୁ ବଢ଼ିବାର ଅଫୁରନ୍ତ ମନୋବଳ
ଜୀବନର ଜୟକାର ଛକେ ଛକେ ।
ରଜ !
ଏକ ନିର୍ଭର ପ୍ରତିଶ୍ରୁତି
ପ୍ରକୃତିର ଅନୁପମରହସ୍ୟ
ଗ୍ରୀଷ୍ମ ପରେ ବର୍ଷା ନିଶ୍ଚୟ ଆସିବ ।
ଜୀବନ ଜୀଇଁବାକୁ
ଭାଇଚାରା ଲୋଡ଼ା
ମୁଁହ ମିଠା କରିବାକୁ ହେବ
ପୋଡ଼ ପିଠାର ସ୍ଵାଦରେ
ବୈର କୁ ଏଡ଼ାଇ
ସ୍ନେହ ପ୍ରେମର ନୂଆ ବସନ ଟେ
ପିନ୍ଧି ବାକୁ ହେବ
ଗାଇବା କୁ ହେବ
ପ୍ରେମର ସଙ୍ଗୀତ
ରଜ ଦୋଳି ଗୀତ ପରି।
ବାହୁ ବଳ ରେ,ରଣ କୌଶଳ ରେ
ହରାଇ ବାକୁ ହେବ
ଅହଂ, କ୍ଷୁଧା, କୁସଂସ୍କାର
ଦଳ ବାନ୍ଧି
ବାଗୁଡି ଖେଳ, ପଶା ପାଲି
ମାଧ୍ଯମ ମାତ୍ର।
ପାଟିର ଆମ୍ବିଳ ବାସ୍ନା କୁ ହରି
ସୁବାସିତ ଖିଲି ପାନ ସ୍ଵାଦରେ
ଝଙ୍କୁରିତ ହେବ
ମଧୁର ବିନୟ ବଚନ ।
ଏଇତରଜ !
କୁଆଁରୀ ମନର ସ୍ବପ୍ନ
ଆଖିରେ କଜଳ, ପାଦରେ ଅଳତା
ନାଚୁ ଥାଏ ମୟୂରୀ ଟେ ଭଳି
ଦେହେ ତାର ଭିଜା ଭିଜା ପ୍ରେମର ଶିହରଣ
ଆସିବ ରାଜକୁମାର
ସାତ ନଈ ତେର ଦରିଆ ଡେଇଁ।
ଏଇ ଯେମିତି ମେଘ...
କାହା ଇଙ୍ଗିତରେ କି ଆକର୍ଷଣରେ
ଧାଇଁ ଆସେ ଆକାଶର ବୁକୁ ଚିରି
ମାଟି ସହ ମିଶିବା ପାଇଁ
ପାଲଟେ ଚିରନ୍ତନୀ ସ୍ରୋତସ୍ୱିନୀ
ଲମ୍ବି ଯାଏ ଜୀବନ ଧାରାଟିଏ
ପର୍ବତ ଶିଖର ରୁ
ସାଗରର ଗଭୀର ବକ୍ଷ ଦେଶ ଯାଏ।
ରଜ ଏକ ପର୍ବ ନୁହେଁ
କଳ କଳ ଛଳ ଛଳ ଝରଣାର ସୁଅଟିଏ
ଗାଉ ଥାଏ ଜୀବନର ସ୍ୱର
ଗ୍ରାମ୍ୟ ଜୀବନର ଅମୃତ ମହ୍ଲାର
ଓଡ଼ିଆଙ୍କ ଐତିହ୍ୟର ଗାଥା
କୃଷକର ହୃଦୟର ବ୍ୟଥା ।
ବରଗଛ, ଆମ୍ବ ତୋଟା
ଖିଲି ପାନ,ପୋଡ଼ ପିଠା
ରଜ ଦୋଳି, ପଶା ପାଲି
ଯିଏ ଯାଇ ଅଛି ଭୁଲି
ସିଏ ନିଶ୍ଚେ
କଂକ୍ରିଟ୍ ମଣିଷ !!!