STORYMIRROR

Abhaya Kumar ଅଭୟ କୁମାର Pradhan ପ୍ରଧାନ

Others

4.6  

Abhaya Kumar ଅଭୟ କୁମାର Pradhan ପ୍ରଧାନ

Others

କେହି ଜଣେ ଝିଙ୍କୁଛି

କେହି ଜଣେ ଝିଙ୍କୁଛି

1 min
26.7K


ଆଜି ଭାରି ଏକା ଏକା ଲାଗୁଛି ।

ସେଦିନ ତ ଜଳିଥିଲା ନିଆଁ, ଆଜି ବି ଜଳୁଛି,

ଯାହା ଖାଲି ବଦଳିଛି ସ୍ଥାନ,

ଅନ୍ତୁଡିଶାଳରୁ ମଶାଣି ଘାଟ ।

ସେଦିନ ବି ଝରିଥିଲା ଲୁହ, ଆଜି ବି ଝରୁଛି,

ସ୍ଵାଦ ଟିକେ ବଦଳିଛି ।

ସେଦିନ ବି ଉଠିଥିଲା କୋହ, ଖୁସିରେ ପାଦ ଲାଗୁନଥିଲା ଭୂମିରେ,

ଆଜି ବି ଉଠୁଛି କୋହ, ହେଲେ ପାଦ ଥାପିବାକୁ ଭୂମିଟେ ମିଳୁନି ।

ଅନ୍ତୁଡିଶାଳରୁ ମଶାଣି ଭୂଇଁ ଯାଏ ଲମ୍ବିଥିବା ଅହମିକା ଲତା ସବୁ,

ଜଳିପୋଡ଼ି ପାଉଁଶ ହୋଇଯାଉଛି .... ଧୂ ଧୂ ନିଆଁରେ ।

ଏନ୍ତୁଡ଼ିଶାଳରେ ଗଢ଼ିଥିବା ସମ୍ପର୍କ କେବେଠୁ ତୁଟି ସାରିଥିଲା,

ସ୍ଵାର୍ଥରେ, ଇର୍ଷାରେ, ଅହଂକାରରେ.......

ଯୋଡ଼ିଥିବା ସମ୍ପର୍କ ସବୁକୁ ଚଉଦିଗେ ଖୋଜୁଛି,

କାହିଁ...କେହି ତ କୁଆଡେ ନାହାଁନ୍ତି !!!

ଆଜି ଭାରି ଏକା ଏକା ଲାଗୁଛି ।

କେହିଜଣେ ଝିଙ୍କୁଛି ମୋତେ ଆଗକୁ,

ମୁଁ ତ ସ୍ଥିର ଅଛି,

ଅଥଚ,

କେମିତି ସବୁ ଲମ୍ବି ଯାଉଛି, ମୋ ହାତ ପାହାନ୍ତାରୁ, ଦୂରକୁ..ଦୂରକୁ ।

ଘରବାଡ଼ି-ଦାମୀ ଗାଡ଼ି, ଆତ୍ମୀୟ ସ୍ଵଜନ-ବନ୍ଧୁ ପରିଜନ,

ଏପରିକି ପ୍ରାଣପ୍ରୀୟା ଅର୍ଦ୍ଧାଙ୍ଗିନୀ, ସନ୍ତାନ-ସନ୍ତତି,

ଚଉଦିଗରେ ଯାହା ଖାଲି ସୀମାହୀନ ଦିଗ୍ ବଳୟ ।

ଅସହାୟତାରେ ମୁଁ ଯେତେ ଚିତ୍କାର କଲେ ବି

ଶବ୍ଦଟିଏ ଫିଟୁନି ମୋ ପାଟିରୁ,

ଆପେ ଆପେ ଲମ୍ବି ଯାଉଛି ମୋ ପାଦ, ଆଗକୁ ...ଆଗକୁ ।

ନିସ୍ତବ୍‌ଧ ରାତି, କିଟିମିଟି ଅନ୍ଧାର, ଶୂନ୍ ଶାନ୍ ଏହି ମଶାଣି ଘାଟଟା,

ଜଳିଯାଇଥିବା ପାଉଁଶ ଭିତରୁ ମୁଁ ନିଜକୁ ଖୋଜୁଛି,

ଆଜି ଭାରି ଏକା ଏକା ଲାଗୁଛି ।

କେହି ଜଣେ କାନ ପାଖରେ ପଢ଼ି ଯାଉଛି,

ହିସାବ ସବୁ,

କ'ଣ କରିବାର ଥିଲା...କ'ଣ କରିଛି !

ପାପ-ପୁଣ୍ୟ ର ହିସାବ ନିକାଶରେ ଭାରାକ୍ରାନ୍ତ, ଅବସନ୍ନ ମନ,

ଡହଡହ ନିଆଁରେ ଜଳିଯାଇଥିବା ଶରୀରକୁ ନେଇ,

ଇଚ୍ଛା ହେଉଛି ---

ଲୋଟି ଯା'ନ୍ତି କି ଆଉଥରେ, ମା' କୋଳରେ,

ଛୁଇଁ ଯା'ନ୍ତି ପାଦ ଯୁଗଳକୁ, ବୋଳି ଦିଅନ୍ତି ପାଦଧୂଳି,

ମୋ ମଥାରେ, ଅଙ୍ଗାର ହୋଇଯାଇଥିବା ଶରୀରରେ,

ଧୋଇ ଦିଅନ୍ତି ପାପକୁ, ପ୍ରାୟଶ୍ଚିତ କରି ।

ଅସହାୟତାରେ ମୁଁ ଯେତେ ଚିତ୍କାର କଲେ ବି

କେହିଜଣେ ଝିଙ୍କୁଛି ମୋତେ,

ଆପେ ଆପେ ଲମ୍ବି ଯାଉଛି ମୋ ପାଦ, ଆଗକୁ ..ଆଗକୁ..

ଅଫେରା ରାଇଜକୁ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Abhaya Kumar ଅଭୟ କୁମାର Pradhan ପ୍ରଧାନ