କେହି ଜଣେ ଝିଙ୍କୁଛି
କେହି ଜଣେ ଝିଙ୍କୁଛି
ଆଜି ଭାରି ଏକା ଏକା ଲାଗୁଛି ।
ସେଦିନ ତ ଜଳିଥିଲା ନିଆଁ, ଆଜି ବି ଜଳୁଛି,
ଯାହା ଖାଲି ବଦଳିଛି ସ୍ଥାନ,
ଅନ୍ତୁଡିଶାଳରୁ ମଶାଣି ଘାଟ ।
ସେଦିନ ବି ଝରିଥିଲା ଲୁହ, ଆଜି ବି ଝରୁଛି,
ସ୍ଵାଦ ଟିକେ ବଦଳିଛି ।
ସେଦିନ ବି ଉଠିଥିଲା କୋହ, ଖୁସିରେ ପାଦ ଲାଗୁନଥିଲା ଭୂମିରେ,
ଆଜି ବି ଉଠୁଛି କୋହ, ହେଲେ ପାଦ ଥାପିବାକୁ ଭୂମିଟେ ମିଳୁନି ।
ଅନ୍ତୁଡିଶାଳରୁ ମଶାଣି ଭୂଇଁ ଯାଏ ଲମ୍ବିଥିବା ଅହମିକା ଲତା ସବୁ,
ଜଳିପୋଡ଼ି ପାଉଁଶ ହୋଇଯାଉଛି .... ଧୂ ଧୂ ନିଆଁରେ ।
ଏନ୍ତୁଡ଼ିଶାଳରେ ଗଢ଼ିଥିବା ସମ୍ପର୍କ କେବେଠୁ ତୁଟି ସାରିଥିଲା,
ସ୍ଵାର୍ଥରେ, ଇର୍ଷାରେ, ଅହଂକାରରେ.......
ଯୋଡ଼ିଥିବା ସମ୍ପର୍କ ସବୁକୁ ଚଉଦିଗେ ଖୋଜୁଛି,
କାହିଁ...କେହି ତ କୁଆଡେ ନାହାଁନ୍ତି !!!
ଆଜି ଭାରି ଏକା ଏକା ଲାଗୁଛି ।
କେହିଜଣେ ଝିଙ୍କୁଛି ମୋତେ ଆଗକୁ,
ମୁଁ ତ ସ୍ଥିର ଅଛି,
ଅଥଚ,
କେମିତି ସବୁ ଲମ୍ବି ଯାଉଛି, ମୋ ହାତ ପାହାନ୍ତାରୁ, ଦୂରକୁ..ଦୂରକୁ ।
ଘରବାଡ଼ି-ଦାମୀ ଗାଡ଼ି, ଆତ୍ମୀୟ ସ୍ଵଜନ-ବନ୍ଧୁ ପରିଜନ,
ଏପରିକି ପ୍ରାଣପ୍ରୀୟା ଅର୍ଦ୍ଧାଙ୍ଗିନୀ, ସନ୍ତାନ-ସନ୍ତତି,
ଚଉଦିଗରେ ଯାହା ଖାଲି ସୀମାହୀନ ଦିଗ୍ ବଳୟ ।
ଅସହାୟତାରେ ମୁଁ ଯେତେ ଚିତ୍କାର କଲେ ବି
ଶବ୍ଦଟିଏ ଫିଟୁନି ମୋ ପାଟିରୁ,
ଆପେ ଆପେ ଲମ୍ବି ଯାଉଛି ମୋ ପାଦ, ଆଗକୁ ...ଆଗକୁ ।
ନିସ୍ତବ୍ଧ ରାତି, କିଟିମିଟି ଅନ୍ଧାର, ଶୂନ୍ ଶାନ୍ ଏହି ମଶାଣି ଘାଟଟା,
ଜଳିଯାଇଥିବା ପାଉଁଶ ଭିତରୁ ମୁଁ ନିଜକୁ ଖୋଜୁଛି,
ଆଜି ଭାରି ଏକା ଏକା ଲାଗୁଛି ।
କେହି ଜଣେ କାନ ପାଖରେ ପଢ଼ି ଯାଉଛି,
ହିସାବ ସବୁ,
କ'ଣ କରିବାର ଥିଲା...କ'ଣ କରିଛି !
ପାପ-ପୁଣ୍ୟ ର ହିସାବ ନିକାଶରେ ଭାରାକ୍ରାନ୍ତ, ଅବସନ୍ନ ମନ,
ଡହଡହ ନିଆଁରେ ଜଳିଯାଇଥିବା ଶରୀରକୁ ନେଇ,
ଇଚ୍ଛା ହେଉଛି ---
ଲୋଟି ଯା'ନ୍ତି କି ଆଉଥରେ, ମା' କୋଳରେ,
ଛୁଇଁ ଯା'ନ୍ତି ପାଦ ଯୁଗଳକୁ, ବୋଳି ଦିଅନ୍ତି ପାଦଧୂଳି,
ମୋ ମଥାରେ, ଅଙ୍ଗାର ହୋଇଯାଇଥିବା ଶରୀରରେ,
ଧୋଇ ଦିଅନ୍ତି ପାପକୁ, ପ୍ରାୟଶ୍ଚିତ କରି ।
ଅସହାୟତାରେ ମୁଁ ଯେତେ ଚିତ୍କାର କଲେ ବି
କେହିଜଣେ ଝିଙ୍କୁଛି ମୋତେ,
ଆପେ ଆପେ ଲମ୍ବି ଯାଉଛି ମୋ ପାଦ, ଆଗକୁ ..ଆଗକୁ..
ଅଫେରା ରାଇଜକୁ !!!