ପ୍ରଭାତରେ ଦେବି ଫୁଲମାଳ ପ୍ରଭୁ
ପ୍ରଭାତରେ ଦେବି ଫୁଲମାଳ ପ୍ରଭୁ
ଟଗର, ମନ୍ଦାର ହେନା କରବୀର
ମିଶାଇ ଗୁନ୍ଥିଛି ମାଳ
ତୁମରି ଗଳାରେ ପିନ୍ଧାଇବି ପ୍ରଭୁ
ଏତିକି ସୁଦୟା କର |
ଫୁଲରେ ଶରଧା ଯେତିକି ତୁମର
ତା 'ଠୁ ତୁଳସୀରେ ଅତି
ସେଥିଲାଗି ପ୍ରଭୁ ଆଣିଛି ସରାଗେ
ତୁଳସୀର ମାଳ ଗୁନ୍ଥି |
ସତ ମୁଁ କହୁଛି ପ୍ରାଣର ଠାକୁର
ତୁମ ହସ ମୁହଁ ଦେଖି
କଳାବଦନକୁ ଚକା ଚକା ଆଖି
ମନ ମୋର ଯାଏ ଲାଖି |
ଷଢ ଋତୁ ଯାକ ବାଡ଼ି ବଗିଚାରୁ
ନାନା ଫୁଲ ଆଣେ ତୋଳି
ପ୍ରଭାତେ ଦିଅଇ ଫୁଲମାଳ ପ୍ରଭୁ
ସନ୍ଧ୍ୟାରେ ଦୀପଟେ ଜାଳି |
ଦିନପରେ ଦିନ ଗଡିଚାଲେ ପ୍ରଭୁ
ମାସ ବର୍ଷ ଯାଏ ଗଡି
ମନର ଆଶା ମୋ ମନରେ ରହିଲା
ଯମ ଧରିଲାଣି ଭିଡି |
ଅସହାୟେ ଜଳି ଜୀବନ ଦୀପ ମୋ
କେତେବେଳେ ଯିବ ଲିଭି
ଏତେ ନିରିଦୟ କାହିଁକି ମୋ ଠାରେ
ଅନ୍ୟଥା ପାରୁନି ଭାବି |
ତଥାପି ତୁମକୁ ଡାକି ଚାଲୁଥିବି
ଶୋଇବା ଯଏ କୋକେଇ
ମରଣ ବେଳାରେ ତୁମ ସ୍ୱର୍ଗଦ୍ୱାରେ
ଜଳିବ କି ମୋର ଜୁଇ?
ତୁମ ପାଦ ତଳେ ରହୁ ମୋର ମତି
ସମୟ ଅସମୟରେ
ଫୁଲ କି ତୁଳସୀ ଅବା ଦୀପ ହୋଇ
ଲାଗିହେବି ଶ୍ରୀପୟରେ |
ମନଅଗଣାରେ ଥାପି ତୁମ ମୂର୍ତ୍ତି
କରେ ଏତିକି ଗୁହାରୀ
ସେ ରଙ୍ଗାଚରଣେ ନିଜକୁ ସମର୍ପେ
ସବୁଠି ଦିବା ଶର୍ବରୀ |
