ପ୍ରବାସୀର ଯାତନା
ପ୍ରବାସୀର ଯାତନା
ପିଲାବେଳେ ମୋତେ କହୁଥିଲେ ବାପା
ନାନା ଉପଦେଶ ମାନ
ମାନିକି ଚଳିଲେ ଭଲ ମଣିଷଟେ
ହୋଇ ପାରିବୁରେ ଧନ।।
ଧନମଣି ମୋର ଭଲ ପାଠ ପଢ
ଘେନ ମୋର ଉପଦେଶ
ଦେଶ ପାଇଁ ଭଲ କାମ କଲେ ନିଶ୍ଚେ
ଲଭିବୁ ଅନେକ ଯଶ
ଦାଦା ଦେଖ ତୋର ପାଠ ନ ପଢିକି
ହେଉଛି କେଡ଼େ ହତାଶ।
ଆମର ତ ବେଶୀ ଜମି ବଡ଼ି ନାହିଁ
ଯାଇଛି ତେଣୁ ପ୍ରବାସ।।
ଯେତେକ ଯାତନା ପାଉଛି ରେ
ପୁଅ ଶୁଣିଲେ କି ଯିବୁ ସତ?
ଘରୁ ବାହାରି ସେ ଗଲାବେଳୁ ତାର
ମୁଖରେ ନ ଥାଏ ହସ।।
ରାମ ସାହୁ ଠାରୁ କରଜ ଆଣିକି
ଖାଉ ଅଛେ ଆମେ ଭାତ।
ଅଳ୍ପ ଟଙ୍କା ଦେଇ ଦାଦା କୁ ତୋହର
ନେଇ ଯାଇଛି ବିଦେଶ।।
ଯାହା ଯାହା ଦୁଃଖ କହୁଥାଏ ଦାଦା
ଶୁଣ ରେ ମୋହର ଧନ
ଦାଦା କୁ ମୋ ମନ ଛାଡ଼ିବାକୁ ନୁହଁ
ପାଖେ ଯଦି ଥାନ୍ତା ଧନ।।
ମଜୁରୀ ମିଳୁଛି ଖଟି ଖଟି ଯାହା
ସେଥିରୁ ତା ସାହୁକାର
ଅଧା ନେଇଯାଏ ବସି ବସି ସେ ତ
ହୁକୁମ କରି ଜାହିର।।
ସକାଳୁ ସକାଳୁ କାମ କରିଯାଏ
କିବା ଗ୍ରୀଷ୍ମ କି ବରଷା
ସନ୍ଧ୍ୟା ହେଲେ ତାକୁ ଛୁଟି ମିଳିଥାଏ
ନାହିଁ ପ୍ରତିବାଦ ଭାଷା।।
ବଗଡା ଚାଉଳ ରନ୍ଧା ଅନ୍ନ
ପୁଣି ଡାଲି ଅଟଇ ପାଣିଆ
ତୁଣ୍ଡ ଖୋଲି ଲେ ତାମୁଣ୍ଡ ଚାଲିଯିବ
ଭୋକେ ଲାଗେ ସୁଆଦିଆ।।
ରାତିରେ ଶୋଇଲେ ସପନ ଦେଖଇ
ଗାଁ ମାଟି ଆଉ ମାଆ
କସରା କାଳିଆ ବଳଦ ସାଙ୍ଗକୁ
ବୁଢ଼ା ବାପା ବୁଢ଼ୀ ମା।।
ଜ୍ଵର ରୋଗ ହେଲେ ସାହୁକାର ତାର
ଛୁଟି ମଧ୍ୟ ନ ଦିଅଇ
ଡାକ୍ତର ଖାନାକୁ ନେବା ଦୂର କଥା
ଓଲଟି ଗାଳି କରଇ।।
ତୋର ଜେଜେବାପା ଜେଜେ ମା ମଲେ
ତଥାପି ସେ ନ ଆସିଲା
ବରଷ କ ପରେ ଆସି କେତେ ମନ
ଦୁଃଖେ ବାହୁନି କାନ୍ଦିଲା।।
ଏମିତି ବହୁତ ଦୁଃଖ କଷ୍ଟ କରି
ପ୍ରବାସରେ ସେ ରହଇ
ତାହା ଅନୁଭୂତି ସିଏ ଏକା ଜାଣେ
ଯାହା କହେ ମୁଁ କହଇ।।
ସେଦିନ ଆଉ ତ ନାହିଁ ମୁଁ ଦେଖୁଛି
ସମୟ ଯାଇଛି ଚାଲି
ପ୍ରବାସ କୁ ବହୁ ଶିକ୍ଷିତ ଯାନ୍ତି
ବହୁତ୍ ଦରମା ବୋଲି।।
ତଥାପି ତାଙ୍କର ମନଟା ନୁହଇ
ଛାଡ଼ି ଯିବାକୁ ସ୍ବଦେଶ
ଗାଁ, ମାଆ, ମାଟି,ତିନିହେଁ କାହାକୁ
କେତେବେଳେ ନୁହଁ ବିଷ।।
ଯାହା ଯାହା ଥିଲା କରୋନା ଭୁତାଣୁ
ଡ଼ରେଇଦେଲା ସଭିଙ୍କୁ
ସେ ଯାତନା ଠାରୁ ଏ ଯାତନା
ବଳିପଡେ ଭାବିଲେ ମନକୁ।।
ରତ୍ନଗର୍ଭା ଭାରତ ଭୂମିରେ ଜନ୍ମ
ଓଡ଼ିଶା ଶସ୍ୟ ଶ୍ୟାମଳା
ତଥାପି ଓଡ଼ିଆ ହେଉଛି ପ୍ରବାସୀ
କାହାର ଏ ଅବହେଳା?।।
ହେ ସୁଧୀ ପାଠକେ କହୁଛି ମୁଁ ବୋଲି
ନଧରିବ ମୋର ଦୋଷ
ପ୍ରକୃତ ଯାତନା ଶୁଣିଛି ମୁଁ ଯିଏ
ଯାଇ ଅଛନ୍ତି ପ୍ରବାସ।।
କହୁଛନ୍ତି ଯଦି ମିଳନ୍ତାକି ଯାହା
ମିଳୁଛି ତାର ଅର୍ଦ୍ଧେକ
କାହିଁକି ପ୍ରବାସ ଯାଉଥାନ୍ତୁ ଆମ୍ଭେ
ମୁଖେ ନାହିଁ ଆମ ହସ।।
