ପଞ୍ଚମହାଭୂତ
ପଞ୍ଚମହାଭୂତ
_ମାଟି _
ପଞ୍ଚ ମହାଭୂତେ ଗଢା ଏ ଶରୀର
ପ୍ରକୃତିର ଅଟେ ସେ ଅବଦାନ
ମାଟିରେ ଜନମ ମାଟିରେ ମରଣ
ମାଟିରେ ହୁଅଇ ସେ ପୁଣି ଲୀନ।
ମାଟି ଯୋଗୁଁ ଗଛ ପତରର ସୃଷ୍ଟି
ମାଟିରୁ ହୁଏ ଖାଦ୍ୟ ଉତ୍ପନ୍ନ
ସଚରାଚରରେ ଯେତେ ଜୀବଜନ୍ତୁ
ତିଷ୍ଠି ରହିଛନ୍ତି ଧରି ଜୀବନ।
ମାନବ ସମାଜ ସବୁ ଜାଣିଶୁଣି
ପରିବେଶ ପ୍ରଦୂଷିତ କରଇ
ମାଟିକୁ କରଇ ପୁଣି କିଣାବିକା
ହାତର ଖେଳନା ସେ ତ ଭାବଇ।
_ଜଳ _
ଜଳ ଆମ ପ୍ରାଣ ଜଳ ହିଁ ଜୀବନ
ଜଳ ହିଁ ଆମର ଶ୍ରେଷ୍ଠ ସମ୍ପଦ
ଜଳ ବିନା ଜୀବ ଜଗତରେ କେହି
ବଞ୍ଚିବାଟା କେବେ ନୁହେଁ ସମ୍ଭବ।
ଏ ମୂଢ ମଣିଷ ପ୍ରକୃତିକୁ ଧୋକା
ଦେଇ ଚାଲୁଅଛି ହୋଇ ଭ୍ରମିତ
ବ୍ୟକ୍ତି ସ୍ୱାର୍ଥ ପାଇଁ ସମୂହ ସ୍ୱାର୍ଥକୁ
ଜଳାଞଳି ଦେବାରେ କୁଣ୍ଠା ନାହିଁ ତ!
_ ଅଗ୍ନି_
ଆଦିମ କାଳରୁ ଅଗ୍ନିର ଉତ୍ପତି
ତା ବିନୁ ତିଷ୍ଠେନା ଜୀବଜଗତ
ପ୍ରକୃତିର ଏହି ଶ୍ରେଷ୍ଠ ଅବଦାନ
ତାକୁ ଛାଡି କିଛି ହୋଇ ନାହିଁ ତ!
ସ୍ୱାର୍ଥପରତାର ସୀମା ଲଙ୍ଘିଗଲା
ମଣିଷ ଜାତିର ଦିନ ଅନ୍ଧାର
ବସ୍ତୁ ଜଗତରେ ଅଗ୍ନିର ବେପାର
ପ୍ରକୃତିକୁ ଦେଲା ଦୁଃଖ ଅପାର।
_ବାୟୁ _
ବାୟୁରେ ବନ୍ଧା ଜୀବନ ନାଟିକା
ବାୟୁ ବିନା ସୃଷ୍ଟି ସର୍ଜନା ନାହିଁ
ବାୟୁରେ ସପନ ବାୟୁରେ ଜୀବନ
ପ୍ରକୃତିର ଦାନ ଏହା ଅଟଇ।
ଶୁଦ୍ଧ ଅମ୍ଳଜାନ ପ୍ରକୃତିର ଦାନ
ନଥିଲା କେବେ ତା'ର ଅଭାବ
ସ୍ବାର୍ଥରେ ମଣିଷ କାଟଇ ଜଙ୍ଗଲ
ବିନାଶ କାଳେ ବିପରୀତ ସ୍ୱଭାବ।
_ଆକାଶ _
ଅନନ୍ତ ଆକାଶ ବିଶାଳ ହୃଦୟେ
ଜୀବଜଗତର ବଞ୍ଚିବା ରାହା
ପୃଥିବୀ ଗ୍ରହର ଉତ୍ପତ୍ତି କାଳରୁ
ସେ ପରା ଅଟଇ ଆମରି ସାହା।
ନ ଥାଏ ତାହାର ସୀମା ସରହଦ
କିଏ ବା କଳିବ ତାହାର ସତ୍ତା
ଦେଶ ଦେଶ ମଧ୍ୟେ ଆକାଶ ବି ବଣ୍ଟା
ପ୍ରକୃତି ଆଜି ଅତ୍ୟାଚାରିତା।
