STORYMIRROR

Kabiratna Nutan Kumar Behera

Children Stories Action Inspirational

4  

Kabiratna Nutan Kumar Behera

Children Stories Action Inspirational

ପିଲା ଦିନରୁ ଏ ଯାଏଁ

ପିଲା ଦିନରୁ ଏ ଯାଏଁ

1 min
372

    

ପଛରେ ଛାଡ଼ି ଆସିଛି ବହୁତ ବାଟ

ମନେ କଲେ ଲାଗେ ଆଜି ପରି

ଏଇ ଏବେ ଏବେ ଫେରିଛି

ଦାଣ୍ଡର ଧୂଳି ଖେଳରୁ ସାଙ୍ଗ ମେଳରୁ

ବାପା କାଳେ ଦେଖି ପକାଇଛି କି

ଆକଟ କରି ପାଟି କରିବ ନାଲି ଆଖିରେ

ବୋଉ ବସିଥିବ ପିଣ୍ଡାରେ

ଆସିବା ବାଟକୁ ମୋର ଚାହିଁ

ଆଉ ତା' ପଣତରେ ମୋ ଝାଳୁଆ ଧୂଳିଆ

ମୁହଁକୁ ପୋଛି ଦେଇ ଆଙ୍କି ଦେବ

ସ୍ନେହ ଶରଧାର ପପିଟିଏ

ପିଲା ଦିନର ସେ ମିଠା ସ୍ମୃତି ସବୁ

ଲେସି ହୋଇ ରହିଛି ମନରେ

ନିଦରୁ ଚେଇଁ ଉଠିଲେ ଯେମିତି

ମନେ ପଡ଼ିଯାଏ ଶୋଇବାର ଆଗ କଥା

ସେମିତି ସବୁ ସତେଜ ଜୀବନ୍ତ ଲାଗେ

ଗାଁ ସଡ଼କରେ ସାଇକେଲ୍ ଗଡ଼ାଇ

ତୂରୀ କି ହୁଇସିଲ୍ ବଜାଇ ଡାକୁଥାଏ

ଫେରିବାଲା ଆଇସକ୍ରିମ ବାଲା

ବେଲୁନ୍ ବାଲା କି ବୁଟ ଚଣା 

ବାରମଜା ସୁନୁ ପାମ୍ପଡି ବିକାଳୀ

ତୀର ବେଗେ ଛୁଟି ଯାଉଥିଲି ଏକା ଏକା

ବୋଉର କାନି ଫିଟାଇ ଅଝଟରେ 

ନେଇ ଯାଉଥିଲି ପାଞ୍ଚ ଦଶ କି ପଇସା

ନ ଦେଲେ କାନ୍ଦି ଗଡୁଥିଲି ଧୂଳିରେ

କି ଆନନ୍ଦ ଥିଲା ଏଇଟା ସେଇଟା 

କିଣି ଖାଇବାରେ ଗାଁ ଦାଣ୍ଡରେ ବିକାଳୀଠୁ

ବୋଉ ଖୁଆଇ ଦେଲେ କରୁଥିଲି

ଥୁ...ଥୁ...ରୁଚୁ ନଥିଲା ଜମାରୁ

କିଣି ଖାଇଲେ ଲାଗୁଥିଲା ଭାରି ମଜା

ବିତି ଯାଇଥିଲେ ବି ସେ ଦିନ ସେ ସମୟ

ଆଜି ବି ତ ସେମିତି ହିଁ ଲାଗେ ଜୀବନ

ବାଟରୁ ହାଟରୁ ବଜାରରୁ ଚାଲିଛି କିଣି

ତେଲ ଲୁଣ ସଂସାରର ଗୁଜୁରାଣ ମେଣ୍ଟାଇବାକୁ

ନିଜ ପାଇଁ ନିଜ ପିଲାପିଲିଙ୍କ ପାଇଁ

ତଫାତ୍ କେବଳ ଏତିକି ଅନୁଭବ ହୁଏ

ପିଲାଦିନେ କିଣୁଥିଲି ବାପାଙ୍କ ପଇସାରେ

ଏବେ କିଣୁଛି ନିଜ ରୋଜଗାରରେ

ଅବୁଝା ବୁଝା ଜୀବନ ଗଣିତରେ

ଲାଭକ୍ଷତିର ପ୍ରଶ୍ନ ସମାଧାନ କରୁଛି

ଚାପ ଆଉ ମାପକୁ ନେଇ ପରିବାରର

ଯା' ନଥିଲା ସେ ପିଲାଦିନର ଚପଳାମୀରେ

ଜୀବନଟା ଲାଗେ ଏମିତି ହିଁ ଲୁଣିଆଁ ଅଲଣା

ଗୋଟିଏ ଅଲେଖା ହିସାବ ଖାତାର

ପୃଷ୍ଠା ସବୁ ସରି ଆସେ କିନ୍ତୁ ସରୁନି ହିସାବ

ପିଲା ଦିନରୁ ଏ ଯାଏଁ.......।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍