ପାନ୍ଥଶାଳା
ପାନ୍ଥଶାଳା
ପଥିକ ନିବାସ ବୋଲି ମୋର ନାମ
ହୋଇଅଛି ପାନ୍ଥଶାଳା
ସମସ୍ତେ ମୋ ବକ୍ଷେ ନିଅନ୍ତି ଆଶ୍ରୟ
କରିଥାନ୍ତି ଲୀଳା ଖେଳା।
ଚାରି କାନ୍ଥରେ ମୋ ଶରୀରଟି ଗଢା
ଇଟା ବାଲି ସିମେଣ୍ଟରେ
ପଥରରେ ମଧ୍ଯ ଗଢ଼ିଥାନ୍ତି ମୋତେ
ପ୍ରାଣ ନାହିଁ ମୋ ଶରୀରେ।
ରାତ୍ରୀରେ ଆଶ୍ରୟ ନିଅନ୍ତି ମନୁଷ୍ୟ
ସକାଳେ ଯାଆନ୍ତି ଚାଲି
କେହି କେବେ କିନ୍ତୁ ମନେ ରଖନ୍ତିନି
ଯାଇଥାନ୍ତି ମୋତେ ଭୂଲି।
କାହାକୁ କେବେ ମୁଁ ପଚାରି ବୁଝେନା
କାହିଁକି ଲେଖୁଛ ନାଆଁ
ସମସ୍ତଙ୍କ ସେବା ଅଟେ ମୋର ଲକ୍ଷ୍ୟ
ମାନେନି ଛୁଆଁ ଅଛୁଆଁ।
ଆଶ୍ରୟ ସ୍ଥଳୀ ମୁଁ ଆଶ୍ରୟ ଦେବାକୁ
ଜୀବନର ବ୍ରତ କରି
ଭଗ୍ନ ହୋଇଯିବା ପର୍ଯ୍ୟନ୍ତ ମୁହିଁ
ଯିବି ନାହିଁ କେବେ ହାରି।
ରୋଗୀ ଅବା ଭୋଗୀ ଧନୀ କି ଗରିବ
ସମସ୍ତେ ମୋର ସମାନ
ଉଚ୍ଚ ନୀଚ ଭେଦ ଭାବ ମୋ ମନରେ
ଜମାନ୍ତି ନାହିଁ ଆସ୍ଥାନ।
ସମସ୍ତଙ୍କ ସୁଖ ଶାନ୍ତି ଚାହେଁ ମୁହିଁ
ଯିଏ ଆସନ୍ତି ମୋ ପାଶେ
ଖରା ବରଷା ଓ ଶୀତରେ ଆଶ୍ରୟ
ଦେଇଥାଏ ମୁଁ ହରଷେ।
ସଭିଙ୍କର ମିତ୍ର ହେବାପାଇଁ ମୁହିଁ
ପାନ୍ଥଶାଳା ନାମ ମୋର
ରାତ୍ରୀ ପାହିଗଲେ ଭୁଲିଯାନ୍ତି ମୋତେ
ଯାତ୍ରୀଙ୍କର ଏ ବିଚାର।
କାହାରି ଉପରେ ଅଭିମାନ କେବେ
କରିନାହିଁ ଜୀବନରେ
ସମସ୍ତଙ୍କ ସେବା କରୁଥାଏ ମୁହିଁ
ଅତି ଆନନ୍ଦ ମନରେ।
ପାନ୍ଥଶାଳା ଠାରୁ ସାହାଯ୍ୟ କରିବା
ଶିଖ ହେ ମନୁଷ୍ୟ ଜାତି
ସେବା ମନୋବୃତ୍ତି ଜାଗ୍ରତ ହେଉ
ପୃଥିବୀ ହୋଇବ ଶାନ୍ତି ।