ନିଦର ସମ୍ପର୍କ ସପନ ସାଥେ
ନିଦର ସମ୍ପର୍କ ସପନ ସାଥେ
ନିଦର ସମ୍ପର୍କ ସପନ ସାଥିରେ
ମନ ଏକା ପାରେ ବୁଝି
କେତେବେଳେ ଖୁସି କେବେ ଲୁହ ନେସି
ଆଖି କୋଣେ ଯାଏ ହଜି ।
ସପନ ବୁଝେନି ଦିନ ଅବା ରାତି
ନିଦ ସାଥେ ସେ ତ ମିତ
ନିଦୁଆ ଆଖିରେ ପରଶ ମାଖି ସେ
ଗାଉଥାଏ ନୂଆ ଗୀତ ।
କେତେବେଳେ ରାଗ ଶିବରଞ୍ଜନୀ ସେ
କେତେବେଳେ ରାଗ ଚୋଖି
ଆଖିରେ ହୁଏନି ଦେଖି ସିନା ତାକୁ
ହୃଦୟରେ ହୁଏ ଲେଖି ।
ବହଳ ନିଦକୁ ମିଠା ସପନ ତ
ଆହୁରି ବହଳ କରେ
ରାତି ସରିଯାଏ ସପନ ସରେନି
ଅଜଣା ପୁଲକ ଭରେ ।
ମନ୍ଦ ସପନର ଗପ ନସରୁଣୁ
ଭାଙ୍ଗିଯାଏ ଗାଢ ନିଦ
ନିଦ ଭାଙ୍ଗିଗଲେ ଆଶଙ୍କା ଆତଙ୍କେ
ଟଳମଳ ହୁଏ ପାଦ ।
ଯାହା ସବୁ କେବେ ନୁହଁଇ ସମ୍ଭବ
ଦିବା ସପନଟି ସେହି
ମିଛଟାରେ ସିଏ ମନକୁ ଝୁମାଏ
ଅନେକ ଯାତନା ଦେଇ ।
ଜୀବନରେ ଯଦି ସପନ ନଥାଏ
ଆଗକୁ ହୁଏନି ବଢି
ସପନ ଯୋଗାଏ ଉତ୍ସାହ, ଯିବାକୁ
ବିକାଶର ସିଡ଼ି ଚଢି।
