ମେଲାଣି ବେଳର ମେଲଣ
ମେଲାଣି ବେଳର ମେଲଣ
ରାତି ସିନା ପାହିଯିବ ସରିଯିବ ମେଲଣ,
ହେଲେ କେବେ ସରିବନି ତମର ଏ ଝୁଲଣ।
ତୁମେ ଝୁଲି ଝୁଲାଉଛ ସାରା ସଂସାରକୁ,
ଜୀବନର ମେଲଣରେ ରଙ୍ଗମୟ ପରମ ପୁରୁଷ,
ମେଲାଣି ବେଳରେ ଆଜି,ମନ ଖୋଜେ
ତମ ପ୍ରେମ ରଙ୍ଗର ପରଶ।
ସଂସାର ଆମ୍ବ ଗଛର ପତ୍ର ଗହଳରୁ
ମନ କୋଇଲି ମୋ ଯେବେ କୁହୁ କୁହୁ କରେ
ତୁମଠୁ ପ୍ରତିଧ୍ବନିତ ହୋଇ ଫେରିଆସେ ସବୁ ଧ୍ୱନି,ସବୁ କୁହୁତାନ
ତମେ ଲୁକ୍କାୟିତ କେଉଁ ଦୂର ଦିଗ୍ ବଳୟେ
ଯେଉଁଠାରେ ଶବ୍ଦସବୁ କବିତାରେ ହୁଏ ରୂପାନ୍ତର
ହୃଦୟର କେଉଁ ଏକ ନିଭୃତ କୋଣରେ।
ସବୁ ରଙ୍ଗେ ରଙ୍ଗାଇ ମୁଁ ଦେଖିଛି ମୋ
ଦେହ ଓ ମନକୁ,
କ୍ଷୀଣସ୍ଥାୟୀ ରଙ୍ଗସବୁ ଫିକା ଫିକା ଲାଗେ ମତେ,
ଅଧୂରା ସେ କେବେ ପୁଣି ବିରହ ବିଧୂରା,
ତମ ସନାତନୀ ରଙ୍ଗେ ଥରେ ମତେ କର ରଙ୍ଗାୟିତ।
ଦୁନିଆର ପଡିଆରେ ଭଳି ଭଳି କେତେ ଯେ ବିମାନ,
ସବୁଥିରେ ତୁମର ସେ ଏକ ପ୍ରତିଛବି,
ମୋ ମନର ବିମାନରେ ରଖିଛି ମୁଁ ତୁମରି ପ୍ରତିମା,
ଜୀବନ ବିମାନ ଲାଗେ ଭାରି ଓଜନିଆ ତୁମେ ନ ଥିଲେ ସେଠି,
ଜୀବନର ଭାରୀ ବିମାନକୁ କେମିତି ବୋହିବି ତୁମ ବିନା?
ଶେଷ ଏ ମେଲଣ ଆଜି ମେଲାଣି ବେଳରେ,
ତମ ପ୍ରେମ ଅବିରକୁ , ଯେତେ ଇଛା ବୋଳିଦିଅ ଦେହ,ମନ,ଆତ୍ମା ଆଉ ହୃଦୟରେ ମୋର
ତେବେ ସିନା ଯୋଗ୍ୟ ହେବି
ପାଇବାକୁ ଯାଗାଟିଏ ତମ ଚରଣରେ!!
© Kalandi Rout
