STORYMIRROR

Kalandi Rout

Others

2  

Kalandi Rout

Others

ଗାଁ ରାସ୍ତା

ଗାଁ ରାସ୍ତା

1 min
490



ମଦନକୁ ଦାଦନରୁ ଫେରାଇ ଆଣିଛୁ ତୁ
ବିକାଶର ନୂଆ ବାର୍ତ୍ତା ଦେଇ,
ତୁ ଆଜି ପକ୍କା ସଡକ, ଆଉ ନାହିଁ ପଙ୍କ କାଦୁଅରେ ସରସର
ପ୍ରଗତିର ନୂଆ ଆଲୋକରେ ଉଦ୍ଭାସିତ,
ନୂଆ ରାହା ଆଉ ନୂଆ ମନ୍ତ୍ରରେ ଦୀକ୍ଷିତ।

ଅବହେଳିତର ଅନ୍ଧାର ଗଳିରୁ ବାହାରି,
ଯୋଡ଼ି ହୋଇଯାଇଛୁ ତୁ ଏକ୍ସପ୍ରେସ ହାଇୱେ ସାଥେ,
କେବେ ଥିଲୁ ଧୂଳି ଧୂସରିତ, ଆଜି କିନ୍ତୁ ସ୍ୱପ୍ନ ବିମଣ୍ଡିତ
ତୋ ଛାତିରେ ଖେଳିଛି ମୁଁ ବାଗୁଡି ଓ ବୋହୁଚୋରି କେତେ।
ତୁ ମୋ ପାଇଁ ବଡଦାଣ୍ଡ ସତେ !

ଧଳାରଙ୍ଗ ବିଶାଳ ବୁକୁରେ ତୋର ପାଦ ଥାପି ଦେଲେ,
ଲାଗେ ସତେ ଆକାଶର ଆଶା-ମେଘମାଳା,
ସତ ହୋଇ ବରଷିଛି ସାତ ସ୍ୱପ୍ନ ହାଏ।
ବର୍ଷା ପଡେ ତୋ ଦେହରେ ବର୍ଷା ଛିଟା ଦେଇ
ପ୍ରିୟାର ପାଉଁଜି ଭଳି ଛମ୍ ଛମ୍ ଗୀତ ଗାଉଥାଏ।

ଦୋଳଯାତ ଆଉ ବାହାଘର ବର ରୋଷଣୀରେ
ମୋ ଛାତି ବି ଦୁଲୁକିଛି ଆଉ ତୋ ଛାତି ବି,
କେବେ କାହା ଶବଯାତ୍ରା ତୋ ବାଟରେ ହେଲେ
ଲୁହରେ ଭିଜିଛି ମୋ ଆଖି ଆଉ ତୋ ଆଖି ବି।

ମାଆର ଲମ୍ବିତ ପଣତ କାନି ପରି ଲମ୍ବି ଯାଇଛୁ ତୁ
ଘର ଠାରୁ ବିଦ୍ୟାଳୟ , ଦ୍ବାର ଠାରୁ ଦେବାଳୟ ଯାଏ
ଝୁଣ୍ଟିଛି , ପଡିଛି କେତେ ତୋ ବୁକୁରେ
ଝୁଣ୍ଟି ପୁଣି ଉଠିବା ଶିଖିଛି
ତୁ ମାତା, ଧାତ୍ରୀ ଆଉ ଶିକ୍ଷୟିତ୍ରୀ।

ତୋ ବୁକୁରେ କରି ଶେଷ ଯାତ୍ରା
ଚାଲିଯିବି ଦିନେ ମୁଁ ମଶାଣି,
କାନ୍ଦିବେ ଯେ କେତେ ଲୋକ ତୋ ଛାତି ଭିଜେଇ
କୋକେଇ ଭିତରେ ଥିବି,ଓଠେ ମୋର ଥିବ ସ୍ମିତହାସ୍ୟ
"ରାମନାମ ସତ୍ୟ ହେ"ର ଶୁଭୁଥିବ ଧ୍ୱନି।
© Kalandi Rout


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍