STORYMIRROR

Kalandi Rout

Others

3  

Kalandi Rout

Others

ବିଳାସପୁରର ପଳାଶଫୁଲ

ବିଳାସପୁରର ପଳାଶଫୁଲ

1 min
381


ବିଳାସପୁରକୁ ଛାଡି ଟ୍ରେନ୍ ଯେବେ ମାଡି ଯାଏ ଆଗକୁ ଆଗକୁ,

ପଳାଶ ଗଛର ପଟୁଆର ଧାଉଁଥାଏ ପଛକୁ ପଛକୁ,

ମୋ ଝରକା ଫାଙ୍କ ଦେଇ ଭାସିଆସେ ଦଲକାଏ ମଳୟ ପବନ

ନାଲି ନାଲି ପଳାଶ ଫୁଲକୁ ଚୁମି ସେ ପବନ ମତେ ଛୁଇଁଯାଏ,

ପ୍ରଚଣ୍ଡ ଖରାରେ ଯେବେ ସବୁ ଫୁଲ ମରି ମରି ଯାଏ

ଉଙ୍କିମାରେ ନାଲି ହସ ପଳାଶର ଅଳସ ଅଧରେ,

ଯଜ୍ଞକୁଣ୍ଡର ପ୍ରଜ୍ବଳିତ ଅଗ୍ନିଶିଖା ପରି

ସତେକି ସେ ଯୋଗମାୟା ତା ଯୋଗମୁଦ୍ରାରେ।

ଟ୍ରେନ୍ ଭିତରେ ମୁଁ ଦେଖେ

ନାଲି ଟହ ଟହ ଫ୍ରକ୍ ପିନ୍ଧା କୁନି ଝିଅଟିଏ

ଦିଶୁଥାଏ ଠିକ୍ ପଳାଶ ଫୁଲଟେ ପରି।

ବାଉଁଶ ରାଣୀ ଝିଅସେ ପେଟ ପାଇଁ ଖେଳ ଦେଖାଉଛି

ହାତ, ଗୋଡ, ଅଣ୍ଟା ଭାଙ୍ଗି କରୁଛି ବ୍ୟାୟାମ,

ଦାରିଦ୍ର୍ୟର ଅଂଶୁଘାତ ତାକୁ ଜାଳିବାକୁ କେତେ ଚେଷ୍ଟା କରେ,

ତଥାପି ସେ ଝଟକୁଛି ରକ୍ତାଭ ରଙ୍ଗରେ।

ମୋ ହୃଦୟ ପଳାଶ ଫୁଲଟା

ଜଳିଉଠେ ଅନୁତାପର ଅଗ୍ନି ଶିଖାରେ,

ବିଦଗ୍ଧ ମୁଁ କାହିଁ ପାଇଁ ଜଳିଯାଏ

ଦୁଃଖର ସେ ଛୋଟ ଛୋଟ ଅଗ୍ନି ସ୍ଫୁଲିଙ୍ଗରେ?

ମନ କାହିଁ ଭାଙ୍ଗି ଯାଏ କୁନି ଝିଅ ଅଣ୍ଟା ଭଙ୍ଗା ପରି?

ଯେବେ ପଳାଶ ବି ପୋଡେ ନାହିଁ ନିଦାଘ ଖରାରେ,

ଯେବେ କୁନିଝିଅ ହାରେ ନାହିଁ ଦାରିଦ୍ର୍ୟ ପ୍ରହାରେ,

ମୁଁ କାହିଁକି ମରିଯାଏ ବଞ୍ଚି ଥାଉଁ ଥାଉଁ

ଜୀବନତ ମହାଯଜ୍ଞ, ମୁଁ ବି ଏକ ଅଗ୍ନିଶିଖା ପଳାଶ ଫୁଲର

ନିଆଁକୁ କି କେହି ଜାଳିପାରେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍