ଲଣ୍ଠନ
ଲଣ୍ଠନ
ଆଜିକାଲି ପିଲା ଲଣ୍ଠନ କହିଲେ
ପାରନ୍ତିନି କିଛି ବୁଝି
ଆଗକାଳ ପିଲା ପାଠ ପଢୁଥିଲେ
ରାତିରେ ଲଣ୍ଠନ ତେଜି ।
କିଏ କହେ ତାକୁ ଲଣ୍ଠନତ ପୁଣି
କିଏ କହେ ହାରିକିନି
ରାତିସାରା ଜଳି ଆଲୁଅ ଢାଳଇ
ଭରିଦେଲେ କିରୋସିନି ।
ଲଣ୍ଠନ ବତୀର ଚାରିପଟେ ଘେରା
ସ୍ବଛ୍ଛ କାଚ ଆବରଣ
ପବନ ବହିଲେ ନଲିଭି କରଇ
ଆଲୋକର ବିକିରଣ ।
ବତୀର କଳାରେ କାଚ ହୁଏ କଳା
ଆଲୁଅ ଦିଶେନି ଭଲ
ସବୁଦିନ କାଚ ପୋଛି ସଫାକଲେ
ବତୀ ହୁଏ ଝଲମଲ ।
ଯେଉଁ ଗାଁ କୁ ତ ଯାଇନି ବିଜୁଳି
ଲଣ୍ଠନ ଭରଷା ସେଠି
ସବୁ ଘରେଘରେ ଜଳଇ ଲଣ୍ଠନ
ନଇଁ ଆସେ ଯେବେ ରାତି ।
ଗାଁ ହେଉ ଅବା ହେଉ ସେ ସହର
ବିଜୁଳି ତ ଚାଲିଗଲେ
ଅମା ଅନ୍ଧାର କୁ ଡର ରହେ ନାହିଁ
ଲଣ୍ଠନଟି ଘରେ ଥିଲେ ।
କିଏ କହେ ତାକୁ ଅଲୋଡା ଅଖୋଜା
ଭାରି ଉପକାରୀ ସିଏ
ବେଳ ଅବେଳରେ ଭରଷା ହୁଅଇ
ପାଖେ ଯେବେ ସେତ ଥାଏ ।