STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others Others

ଲେଉଟାଣି ଦୃଶ୍ୟ

ଲେଉଟାଣି ଦୃଶ୍ୟ

1 min
3K


ଶମ୍ଭୁନାଥ ଦାସ


ମାଷ୍ଟ୍ରେ ଶିଖାଇଥିଲେ ପାଠ

କ୍ରୋଧର ବିପରୀତ ଶବ୍ଦ ଶାନ୍ତ,

ସାନ ଭାଇର ଦୁଷ୍ଟାମୀ ଦେଖି

ସେ ଦିନ ବାପା କ୍ରୋଧରେ

ମାରି ଥିଲେ ଥାପଡ଼,

ଚାଲି ଯାଇଥିଲେ ତାଙ୍କ କର୍ମସ୍ଥଳ,

ବାପା ଫେରିଲା ବେଳକୁ ଭାରି ଶାନ୍ତ

ମିଠା ଖୁଆଇ ଭାଇ ମୁଖେ

ଫୁଟାଇ ଥିଲେ ହସ ଅଫୁରନ୍ତ l


ଏଥର ଉତ୍ତରାଭିମୁଖୀ କ୍ରୋଧିତ ବାତ୍ୟା

ଆମ ବାରି-ବଗିଚାର ଆମ୍ବ –ପଣସ

ନଡ଼ିଆ ଓ ଅମୃତଭଣ୍ଡା ଗଛ ଇତ୍ୟାଦିକୁ

ଭାଙ୍ଗି ଉପାଡ଼ି ଶୁଆଇଦେଲା ଭୂମିରେ

ଆମେ ଭୟରେ କାତର ହେଲୁ,

କିଛି ଘଣ୍ଟା ପରେ ବାତ୍ୟା ଫେରିଲା

ଆମେ ଆନନ୍ଦରେ ବିଭୋର ହେଲୁ କି .....

ଏଥର ଦକ୍ଷିଣାଭିମୁଖୀ ବାତ୍ୟା ହେବ ଶାନ୍ତ

ଫଳନ୍ତି ଗଛବୃଚ୍ଛକୁ ଠିଆ କରାଇବ,

କିନ୍ତୁ ହାୟ, ଏଥର ସେ ଆହୁରି କ୍ରୋଧିତ

ଆମ ଘରଦ୍ଵାର ଭାଙ୍ଗିରୁଜି

କରିଦେଲା ଛିନ୍ ଛତ୍ର !


ଆହାଃ, ଏ କି ଅଦ୍ଭୁତ

ଲେଉଟାଣି ଦୃଶ୍ୟ ସତେ କେଉଁଠି ଅମୃତ

ଅବା କେଉଁଠି କରଇ ଉତ୍ପାତ,

ହେ ପ୍ରଭୁ, ସୁଖ-ଶାନ୍ତି ଶୁଭଲଗ୍ନେ

ହରିବୋଲ, ହରିବୋଲ ... ହୁଳ ହୁଳି ହେଉ

ସଦା ଗୁଞ୍ଜରିତ ଏ ମହିମଣ୍ଡଳ

ପରିବେଶ ପରିସ୍ଥିତି ହେଉ ପ୍ରଫୁଲ୍ଲିତ

ସଭିଏଁ ଲଭନ୍ତୁ ଆନନ୍ଦ- ଉଲ୍ଲାସ,

କିନ୍ତୁ ନ ହେଉ ଉଚ୍ଚାରିତ

ବୋଲ ହରି... ବୋଲ ହରି ଲେଉଟାଣି ଶବ୍ଦ

ମଙ୍ଗଳମୟ ସୃଷ୍ଟିକୁ ନ କରୁ ଆହତ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍