କୌତୁକ ପ୍ରିୟ ହନୁମାନ
କୌତୁକ ପ୍ରିୟ ହନୁମାନ
ପ୍ରଭୁ ରଘୁନାଥ ଫେରି ଆସିଛନ୍ତି
ରାବଣ ନିଧନ ସାରି
ଉତ୍ସବମୁଖର ଅଯୋଧ୍ୟା ନବର
ବାଜେ ମଙ୍ଗଳ ମହୁରୀ l
ରାମ ଅଭିଷେକ ରୁଣ୍ଡ ହୋଇଛନ୍ତି
ଆସି ସବୁ ତୀର୍ଥାବଳୀ
ଭଲ୍ଲୁକ ବାନର ଆନନ୍ଦେ ନାଚନ୍ତି
ହସ୍ତେ ମାରି କରତାଳି l
ଭୁରି ଭୋଜନର ବ୍ୟବସ୍ଥା ହୋଇଛି
ପ୍ରଜା ହେବେ ଆପ୍ୟାୟିତ
ବନ୍ୟ ଫଳମୂଳେ ଆପ୍ୟାୟିତ ହେବେ
ଭଲ୍ଲୁକ ବାନର ଯୂଥ l
ବାନର ମାନଙ୍କ ପଂକ୍ତି ବସିଗଲା
ବସିଥିଲେ ହନୁମାନ
ସୁଗ୍ରୀବ ଯତନେ ରମ୍ଭା ପତରରେ
କରନ୍ତି ପରିବେଷଣ l
ପଣସ, ପିଜୁଳି,ଟଭା, ଜାମୁକୋଳି
ସଙ୍ଗେ ପୁଣି ବରକୋଳି
ଛଡ଼ାଇ ଛଡ଼ାଇ ବାନରେ ଖାଆନ୍ତି
ନଡ଼ିଆ, ଆମ୍ବ, କଦଳୀ l
ଛୋଟୁ ବଡ଼ ହୋଇ ପ୍ରଫୁଲ୍ଲ ବାନରେ
କ୍ରମାନ୍ୱୟେ ଥିଲେ ବସି
ଶେଷେ ବସିଥିଲେ ବୀର ହନୁମାନ
ମନେ ହୋଇ ବଡ଼ ଖୁସି l
ପ୍ରଥମ ହନୁଟି କୋଳି ଖାଉ ଖାଉ
ଗଲା ହାତୁ ଏକ ଖସି
କୁଦା ମାରିଦେଲା ଭାବି ଟିକି ହନୁ
କୋଳି କି ଡ଼େଇଁବ ବେଶି l
ପରକୁ ପରକୁ ସବୁ ହନୁ ହେଲେ
ଡିଆଁ ଡେଇଁ ଦେଖା ଦେଖି
ଶେଷେ ହନୁମାନ ବସି ହସୁଥିଲେ
ହନୁଙ୍କୁ ଦେଖି ମୁରୁକି l
ଭାବୁଥାନ୍ତି ବସି ଏ ମାଙ୍କଡ଼ ଦଳ
ନାହିଁ ୟାଙ୍କ କାଣ୍ଡ ଜ୍ଞାନ
ସାଗର ଲଙ୍ଘନ କରି ଗଲି ମୁହିଁ
ଲଙ୍କା ମାରୁତି ନନ୍ଦନ l
ଭାବନ୍ତି ବାନରେ ମୁହିଁ ଥାଉଁ ଥାଉଁ
ଡେଇଁବେ ମୋଠାରୁ ବେଶି
ଏମନ୍ତ ବିଚାର କରି ହନୁବୀର
ଗଦା ଧରିଲେ ଆକର୍ଷି l
ଲମ୍ଫଟିଏ ମାରି ଆକାଶ ଛୁଇଁଲେ
ଅଞ୍ଜନୀ ବାୟୁ ନନ୍ଦନ
ପାଶେ ଥାଇ ଏହି ଦୃଶ୍ୟ ଅବଲୋକି
ହସିଦେଲେ ଜାମ୍ବବାନ l
ବୋଲନ୍ତି ଜାମ୍ବବ ବାଇ କି ହୋଇଲ
ଆହେ ହନୁ ମହାବୀର
ହନୁମାନ ଚାହିଁ କହନ୍ତି ହେ ମୁହିଁ
କୌତୁକପ୍ରୀୟ ବାନର l
ପ୍ରଭୁଙ୍କ ସେବକ ଆମ୍ଭେ ଏକ ଏକ
ପ୍ରଭୁ ସେବା ଆମ୍ଭ ମର୍ମ
ବୃକ୍ଷୁ ବୃକ୍ଷୁ ବୁଲି ଫଳ ମୂଳ ଖାଇ
ଡାଳ ଡିଆଁ ଆମ ଧର୍ମ l
ଜୟ ହନୁମାନ ଭକ୍ତ ଅଗ୍ରଗଣ୍ୟ
ଜୟ ତୁମ୍ଭ ତାତ ମାତ
କୋଟି ପ୍ରଣିପାତ ଉପାଡ଼ି ଧରିଲ
ଗନ୍ଧମାର୍ଦ୍ଧନ ପର୍ବତ l