କାମୁକ ବିଗ୍ରହ
କାମୁକ ବିଗ୍ରହ
କାମୁକ ବିଗ୍ରହ
**************
ସିପ୍ରା ନାମତା
କଳା ସ୍ଥାପତ୍ୟର ମୂକ ସାକ୍ଷୀ ସେ
ମନ୍ଦିର ଇତିହାସ ରେ
ଶିଳ୍ପୀର ହାତୁଡି ନିହାଣ ଖୋଦେ
ଶୃଙ୍ଗାଟ ଚିତ୍ର ଶିଳା ରେ ।
ବିଶ୍ୱ ଦେଖେ ବେନି ନୟନ ରେ କେବେ
ଚାତୁରୀ ଭାସ୍କର୍ଯ୍ୟ କଳା
ଲୁବ୍ଧ ହୃଦୟ ତ ସଂଦର୍ଶନ କରେ
ପ୍ରତିମା ର ରୂପ ଝଳକା ।
ଶୁଣିଛି କି କେହି ଅସହାୟତାର
କରୁଣ ପ୍ରଳାପ ବାଣୀ
ବିବସନା ଏଠି ପ୍ରତିଟି ମୁହୂର୍ତ୍ତେ
ଲଜ୍ଜା ବିଧୁରା ରମଣୀ
ସଭ୍ୟତାର ହୁଏ ମୁକ୍ତ ପ୍ରଦର୍ଶନ
ଦୈଵ ଭବନ ର ଗାତ୍ର ଶୋଭନୀୟ
ପ୍ରସ୍ତର ର ରମ୍ୟ ରଚନା ଛଳ ରେ
ବିଭ୍ରାଜିତ ଏଠି ପ୍ରମଦାରଣ୍ୟ ।
ବିଗ୍ରହ ରେ ସୁଖ ,ତା' ଦୁଃଖ ହୃଦୟ ର
କିଏ କି ବୁଝିଛି କେତେ
ଖଣ୍ଡ ଖଣ୍ଡ ହୁଏ ଶିଳା ରେ ଲଜ୍ଜା ତ
ଶିରୋନ୍ନତ କରି ଅଛନ୍ତି ଯେତେ ।
କେନ୍ଦ୍ର ବିନ୍ଦୁ ହୁଏ ନାରୀ ତ ଯୁଗ ର
ସର୍ବୋତ୍କୃଷ୍ଟ ଉପମା ର
ଲାଂଛନା ରେ ଭରା ଯୌବନ ତା'ର
ଧରି ଆଦିମତା ର ସ୍ଵାକ୍ଷର ।
ପ୍ରସ୍ତର ଅଧରେ ହସ ଭରିବାରେ
ହାରେ କେ ଜୀବନ ଅଧୁରା ସ୍ବପ୍ନ
ଯୁଗ ଯୁଗ ଧରି ଉଡେ ଯଶ କୀର୍ତ୍ତି
କିଏ ବା କାମନା ଜୁଆରେ ମଗ୍ନ ।
ଶିଳ୍ପୀ କୁଳର ରକ୍ତ ହୋରିରେ
ଖେଳେ ରାଜତନ୍ତ୍ରର ସତ୍ତା
ମାନବବାଦର ଅସହାୟତାର
ଦେଖାଏ ତ କେତେ କରୁଣ ଛିଟା ।
ପୁରାତନ ଶିଳ୍ପ କୋଣାର୍କ ଗାଥା
ଅବା ହେଉ ରାଜରାଣୀ
ଅଜନ୍ତା ଏଲୋରା ଭଗ୍ନ ଖଣ୍ଡଗିରି
ଖୋଜୁରାହୋ ର କାହାଣୀ ।
ମନସତୁଷ୍ଟି ଖାଲି ଗୌରବ ର ଜୟ ଗାନେ
ଅତୀତ ର ଗାଥା ଅବ୍ୟକ୍ତ ର ବ୍ୟଥା
ହୃଦୟ ତ ଛୁଇଁ ପାରେନା କାହାର
ମରମ ପୀଡା ର କଥା ।
ସମୟର ଏକ ମହାର୍ଘ ଦାନ ସେ
ବିଗ୍ରହ ଭାସ୍କର୍ଯ୍ୟ ର
ପାଷାଣେ ଫୁଟିଛି ଶିଳାପଦ୍ମ ହୋଇ
ରାଜ ତନ୍ତ୍ରେ ପ୍ରଲୋଭନ ର ।
ବିଗ୍ରହ ତ କେବେ ପାରେନା ପ୍ରକାଶି
ବେଦନା ଅନ୍ତରର
ନିହାଣ ମୁନ ରେ ଗଢି ଦିଏ ଶିଳ୍ପୀ
ଗୁପ୍ତ ଶୃଙ୍ଗାର ତତ୍ତ୍ୱର ।
କେବେ ସ୍ଥାନ ଦିଏ ଦେବାଳୟ ଗର୍ଭେ
ବସ୍ତ୍ର ଆଚ୍ଛାଦନେ ଗୁପ୍ତ
କୋଠର ଶୈଳ ରେ ବିଗ୍ରହ ନିରୁକ୍ତ
ପ୍ରତିମା ସତେକି ଉପହସିତ ।
ପ୍ରସ୍ତରର ରମ୍ୟ ରଚନା ର ଫର୍ଦ୍ଦ
ବଣିକ ଯେ ନିଏ ପଣ୍ୟ ପରି
ଚିତ୍ରୋତ୍ତଳନର ଆକର୍ଷଣୀ ଟାଣେ
ଲୁବ୍ଧକ ଭ୍ରମର ସରି ।
ପ୍ରସ୍ତର ମର୍ମ ରେ ନଗ୍ନ ନର୍ତ୍ତକୀର
ଶବଳିତ ଦେହ କୋହ
ବ୍ୟଥାତୁର ଅବା ରଙ୍ଗ ରସେ ମୋହେ
ସେ କାମୁକ ବିଗ୍ରହ ।