କାଳିଆ ଗଳା ମାଳିଆ
କାଳିଆ ଗଳା ମାଳିଆ
ଯଶୋଦା ର ଗଳା ମାଳି ଗଣ୍ଠି ଧନ
କାହ୍ନୁ ରୁ ହେଲୁ କାଳିଆ
କେତେ ଲୀଳା ଖେଳା କରି ବସି ଅଛୁ
ବାଳୁତ ପିଲା ଭଳିଆ
କେତେ ଝୁରି ହେଲା ମାଆର ପରାଣ
ଗଳା ମାଳିଆ କୁ ଖୋଜି
ରାଧା କୁ ପଚାରି ଉଦ୍ଧବ ଠୁ ବୁଝି
ଅବୁଝା ବି ସବୁ ବୁଝି
ଯଶୋଦା ମାତାର ପରାଣ ର ଧନ
ଧନ ବିନା ସବୁ ପିତା
ଶୟନେ ସପନେ ଅବା ଜାଗରଣେ
ଗଳା ମାଳିଆ ର ଚିନ୍ତା ।
କାହା କୁ ଛାତିରେ ତୁହି ଲଗାଇଛୁ
କା' ସହିତ ବନ୍ଧୁ ଭାବ
କା' ଆଖିର ଲୁହ ପୋଛି ଅଛୁ,କିନ୍ତୁ
ଯଶୋଦା ପ୍ରାଣେ ଅଭାବ
ଧେନୁ ଗୋଷ୍ଠରେ ଅବା ହାମ୍ବା ରଡ଼ି ରେ
କାହ୍ନୁ କାହ୍ନୁ ଡାକ ଶୁଣି
ଆସିଲା କି ମୋ ଗଳା ମାଳିଆ କାହ୍ନୁ
ମାତା ମନରେ ଭାଳେଣି ।
ଗୋପପୁର ପରିବେଶ ପରିଜନ
ପୁଣି ଶ୍ରୀରାଧା ହୃଦରେ
ସହଜରେ ବସା ବାନ୍ଧି ରହି ଥିଲୁ
ପ୍ରାଣ ଧନ ଆକାରରେ
ଝୁରୁଛି ଯମୁନା ଝୁରୁଛି ଶ୍ରୀରାଧା
ଲୁହ ଝରାଇ ଯଶୋଦା
ଗଳା ମାଳି ବିନା ପ୍ରାଣ ଶୁନ୍ୟ ଅଙ୍ଗ
ଅବୟବ ରେ ବି ବାଧା ।
ସେହି ଗଳା ମାଳିଆ ରୂପ ବର୍ଣ୍ଣନା
କବିତା ର ରୂପ ଦେଇ
ଲେଖିବା ପଢିବା ବୁଝିବା କହିବା
ପ୍ରାୟ ସହଜ ନୁହଇ
ସେଇ ଯଶୋଦା ମାତା ହିଁ ଭାଗ୍ୟବତୀ
ଯା' ର ତୁ' ଗଳା ମାଳିଆ
କଳିରେ ଏବେ ତୁ' ନିର୍ମଳ କାଳିଆ
ହୁଅ ତୁ' ମୋ ଗଳା ମାଳିଆ?