STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ଜୟ ବୀର ହନୁମାନ

ଜୟ ବୀର ହନୁମାନ

2 mins
170


ଜୟଜୟ ହନୁମାନ ଅଞ୍ଜନା ସୂତ

ଜୟଜୟ ହନୁମାନ ଶ୍ରୀରାମ ଭକ୍ତ

ଜୟଜୟ ହନୁମାନ ହେ ମହାବୀର

ଜୟଜୟ ହନୁମାନ ଜ୍ଞାନ ସାଗର

କପିବର ମହାତପି

ରାମନାମ ଜପିଜପି

ଅସାଧ୍ୟ କୁ ସାଧ୍ୟ କର ଜଗତେ କ୍ଷାତ।

ତୁମନାମ ଜପ କଲେ ମିଳଇ ଶାନ୍ତି

ଦୁଃଖ ଯାତନା ରୁ ପ୍ରଭୁ ମିଳେ ମୁକତି

ଭୂତ ପ୍ରେତ ଭୟ ସବୁ ଯାଏ ଦୂରେଇ

ଅଭାବ କଷଣ ସବୁ ଯାଏ ଉଭେଇ

ସବୁ କାର୍ଯ୍ୟ ହୁଏ ଶିଦ୍ଧି

କୃପାମୟ କୃପାନିଧି

ଭକ୍ତିଶୁଦ୍ଧାମୟ ତୁମ ନାମ ଅମୃତ।

ମେଷ ସଂକ୍ରାନ୍ତିରେ ପ୍ରଭୁ ଜନ୍ମ ତୁମରି

ଜନନୀ ଅଞ୍ଜନା ତୁମ ପିତା କେଶରୀ

ପିତାମାତା ତୁମ ଥିଲେ ଶିବ ଭକତ

ଶିବଙ୍କ ଦୟାରୁ ତୁମେ ହୋଇଲ ଜାତ

ସେଥିପାଇଁ କଥା ସାର

ତୁମେ ଶିବ ଅବତାର

ବାଲ୍ୟକାଳୁ ବଳବାନ ଶକ୍ତି ଅଦ୍ଭୁତ।

ବାଳି ସୁଗ୍ରୀବ ଙ୍କ ଭଗ୍ନୀ ଅଞ୍ଜନା ଯେଣୁ

ସେମାନଙ୍କ ଭଣଜା ଯେ ତୁମେତ ତେଣୁ

ବାଳି ଆଉ ସୁଗ୍ରୀବ ଙ୍କ ଭାତୃ ବିବାଦ

ରାଇଜ ରୁ ବିତାଡିତ ହେଲେ ସୁଗ୍ରୀବ

ସୁଗ୍ରୀବ ଙ୍କ ସାଥେ ରହି

ଦୁଃଖେ ସୁଖେ ସାଥି ହୋଇ

ଘୋରବନେ ଦିନ ତୁମେ କାଟୁଥିଲତ।

ସୀତାଙ୍କୁ ହରଣ କରି ନେଲା ରାବଣ

ଖୋଜି ବୁଲୁଥିଲେ ତାଙ୍କୁ ରାମ ଲକ୍ଷ୍ମଣ

ବନପଥେ ତୁମ ସାଥେ ହୋଇଲା ଭେଟ

ରାମଙ୍କ ସାଥେ ସୁଗ୍ରୀବ ହୋଇଲେ ମିତ

ବାଳି ବଧ ରାମ କଲେ

ସୁଗ୍ରୀବ ଯେ ରାଜା ହେଲେ

ସୀତା ଠାବ ପାଇଁ ତୁମେ ସାଜିଲ ଦୂତ।

ସାତ ସିନ୍ଧୁ ସେପାରି କୁ ଡେଇଁ ଯେ ଗଲ

ରାବଣ ଗଡରେ ସୀତା ଠାବ କରିଲ

ଅସୁର ଙ୍କ ହାତେ ପୁଣି ଧରା ପଡିଲ

ଲଙ୍କା ଗଡ ଜାଳି ପୋଡ଼ି ଉଜାଡି ଦେଲ

ମାତାଙ୍କର ମଥାମଣି

ଶ୍ରୀରାମଙ୍କୁ ଦେଲ ଆଣି

ଶ୍ରୀରାମ ହୋଇଲେ ତୋଷ ସନ୍ତୋଷ ଚିତ୍ତ..

ସୀତାଙ୍କ ଉଦ୍ଧାର ପୁଣି ଲଙ୍କା ବିଜୟ

ରାମଙ୍କ ଭରଷା ହେଲ ଜିଣି ହୃଦୟ

ଲକ୍ଷଣଙ୍କ ଶକ୍ତିଭେଦ ଦୁଃଖ ବିଷାଦ

ଆଣିଲ ଗନ୍ଧମାର୍ଦନ ଭରା ଔଷଧ

ଲକ୍ଷଣ ହୋଇଲେ ସୁସ୍ଥ

ବିପଦୁ ହୋଇଲେ ମୁକ୍ତ

ରାବଣ ଶିବିର ହେଲା ଥରହର ତ।

ସପ୍ତମୁଖେ ଇନ୍ଦ୍ରଜିତ ଯଜ୍ଞ ର କୁଣ୍ଡ

ନିମିଷକେ ନାଚିକୁଦି କରିଲ ପଣ୍ଡ

ଶକ୍ତିହୀନ ହୋଇଗଲା ରାବଣ ସୂତ

ଲକ୍ଷଣଙ୍କ ହାତେ ସେତ ହୋଇଲା ହତ

ରାମ ରାବଣଙ୍କ ଯୁଦ୍ଧ

ରାବଣ ହୋଇଲା ବଦ୍ଧ

ଶ୍ରୀରାମଙ୍କ ଜୟଗାନ ତୁମେ କଲତ।

ମାତା ସୀତାଙ୍କୁ ଶ୍ରୀରାମ କଲେ ଉଦ୍ଧାର

ସମସ୍ତେ ଆସିଲ ଫେରି ଅଯୋଧ୍ୟା ପୁର

ଅଭିଷିକ୍ତ ହେଲେ ରାମ ହୋଇଲେ ରାଜା

ଧନ୍ୟ ହେଲା ରାଜ୍ୟ ଧନ୍ୟ ହେଲେ ପରଜା

ତୁମେ ରାମ ଦାସ ହୋଇ

ପାଖେ ପାଖେ ଥିଲ ରହି

ତୁମ ହୃଦୟରେ ରାମ ସଦା ବିଦିତ।

ତୁମକୁ ପୂଜିଲେ ମିଳେ ରାମ ଦର୍ଶନ

ଶୋକତାପ ହରା ତୁମେ ବିଶ୍ବ ବନ୍ଦନ

କରୁଣାର ସିନ୍ଧୁ ଭକ୍ତ ହୃଦ ଚନ୍ଦନ

ଚରଣେ ଶରଣ ଦିଅ ବୀର ମହାନ

କୃପାନେତ୍ରେ ଚାହିଁଥିବ

ହେ ବୀର ମହାନୁଭବ

ରାମ ଭକ୍ତ ତୁମେ ଆମେ ତୁମ ଭକତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍