ଜୀବନ ସ୍ରୋତ
ଜୀବନ ସ୍ରୋତ
1 min
483
କଳ କଳ ହୋଇ ନଦୀଟିଏ ପରି,
ଜୀବନ ସ୍ରୋତ ବହି ଯାଉଥାଏ |
ଏନ୍ତୁଡ଼ିଶାଳର କାଁ କାଁ ଠାରୁ,
ମଶାଣି ନିଆଁର ନୀରବତା ଯାଏଁ ||
ସଂସାର ସାଗର ଜୀବନ ନୌକା,
ମଣିଷ ହେଲେ ନାଉରୀ |
ଢେଉ ମେଳେ ମେଳେ ବଢ଼ି ବଢି ଚାଲେ,
ହବା ପାଇଁ ତାକୁ ପାରି ||
ଛୋଟ ପିଲାଟିର ନିଷ୍ପାପ ମନଟେ,
ଖେଳିକୁଦି ଶିଖେ ଚଲାବାଟଟିଏ |
ଯୌବନ ତରଙ୍ଗେ, ପୌରୁଷ ପ୍ରବେଶେ,
ହୁଏ ସିଏ ପୁଣି ଗଢ଼ା ମଣିଷଟିଏ ||
ତହିଁରୁ ଆଗକୁ ବାର୍ଦ୍ଧକ୍ୟ ଆସିଲେ,
ଜୀବନଟି ଲାଗେ ଚୋରାବାଲି |
ଖସି ଯାଉଥିବା ଦେହଖଣ୍ଡଟାକୁ,
ସମ୍ଭାଳେ ଗୋଟେ ବାଙ୍କୁଲି ||
ଜୀବନ ଏମିତି ଲାଗେ ଲାଗେ ଘିରିଘିରି,
ସତେ ଅବା ଏକା ଚକାଭଉଁରୀ |
ଭାସି ଯାଉଥାଏ ଏଇ ଜୀବନ ସ୍ରୋତରେ,
ମଣିଷଟେ ଶେଷେ ହବା ପାଇଁ ପାରି ||