ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ବଙ୍ଗଳା ଶ୍ରୀ
ପୂର୍ବାହ୍ନ କି ଅବା
ଅପରାହ୍ନ କାଳେ
ମନୋହର ଇନ୍ଦ୍ରଧନୁ
ଝିପି ଝିପି ମେଘ
ଅଙ୍ଗେ ଶୋଭାପାଏ
ଭୁଲି ନୁହେଁ ଜମା ମନୁ |1|
ପ୍ରକୃତି ସୁନ୍ଦରୀ
ନବ ନୀରଦରେ
ବେଳେ ବେଳେ ଶୋଭାରାଶି
ସୁନ୍ଦର ଭାବରେ
ବୁଣିଦେଇ ଯାଏ
ବର୍ଷା ବେଳେ ପରକାଶି |2|
ନୟନ ପଲକେ
ଅପୂର୍ବ ସୁନ୍ଦର
ଇନ୍ଦ୍ରଧନୁ ସପ୍ତରଙ୍ଗେ
ବାରିଦେ ବାରିଦେ
ଝଲସି ଉଠଇ
ସୂର୍ଯ୍ୟାଲୋକେ ସଙ୍ଗେ ସଙ୍ଗେ |3|
ବାଘ ନିଶ ହଲା
ନାରେ ଝଟକଇ
ସୂର୍ଯ୍ୟାଲୋକେ ପାଶେ ମହୀ
ସାରା ଜଗତର
ଶୋଭାର ସାଗର
ଖଞ୍ଜିଛନ୍ତି ବିହି ରହି |4|
ମନ ଆକାଶରେ
ଶତ ଇନ୍ଦ୍ରଧନୁ
ନିତି ନିତି ଉଙ୍କିମାରେ
କଳ୍ପନା ବିଳାସେ
ଉଠଇ ଚହଟି
ଅମା କିବା ପୂର୍ଣ୍ଣିମାରେ |5|
ବାଇଗଣି ଘନ
ନୀଳ ସବୁଜିମା
ହରିତାଦି ନାଲେ ଶୋହେ
ପ୍ରକୃତି ରାଣୀର
ସୌନ୍ଦର୍ଯ୍ୟ ଭଣ୍ଡାର
ସମସ୍ତଙ୍କ ମନମୋହେ,|6|
କେତେ ଯେ ସୁନ୍ଦର
ରମ୍ୟ ଇନ୍ଦ୍ରଧନୁ
କେତେ ବଡ ତାର କାୟା
ଭୂମିରୁ ଲମ୍ବିଛି
ଭୂମା ଯାଏ ଦୃଶ୍ୟ
କି ରୁଚିର ତାର ଛାୟା |7|
ପ୍ରକୃତିର ଏହା
ଅସୀମ ଅନନ୍ତ
ସୌନ୍ଦର୍ଯ୍ୟର ଗନ୍ତାଘର
ଜଗତର ହିତେ
ଗଢୁ ଛନ୍ତି ବିହି
କିସ ଇଚ୍ଛା ଅଛି ତାର |8|
ଜଳେ ସ୍ଥଳେ କିବା
ଆକାଶ ମାର୍ଗରେ
ରିମି ରିମି ବରଷାରେ
ଇନ୍ଦ୍ରଧନୁ ଦୃଶ୍ୟ
ଦେଖାଯାଏ ମର୍ତ୍ତ୍ୟେ
କହି ନୁହେଁ ଯା ଭାଷାରେ |8|
ବିଧାତା ହେ ତୁମ
କରୁଣା ଅପାର
ବିଚିତ୍ର ତୁମର ଲୀଳା
ମନୁଷ୍ୟ ଜାଣିବା
ନୁହଇ ସହଜ
ସ୍ୱପ୍ନ କିବା ପରମିଳା |10
ବିଧାତା ହେ ତୁମ
ଅସୀମ ଭିଆଣ
ବଖାଣିବା ଅସମ୍ଭବ
ଅସମ୍ଭବ ଯାହା
କରୁଛ ସମ୍ଭବ
ଆମେ କରୁ ଅନୁଭବ |11|
ଇନ୍ଦ୍ରଧନୁ ଦେଖି
ମାନବେ ଉଚ୍ଚାଟ
ନୃତ୍ୟଗୀତେ ମଗ୍ନ ମନ
ସଂସାରର ରତ୍ନ
ଲଭିଲା ପରାୟେ
ଭାବନ୍ତି ସକଳ ଜନ |12|
