ଗୀତରେ ସମ୍ପର୍କ
ଗୀତରେ ସମ୍ପର୍କ
ଗୀତ ମୋର ପ୍ରାଣ ଗୀତ ମୋ ଜୀବନ
ଗୀତ ମୋର ଗତି ମୁକ୍ତି
ନୂଆ ଗୀତଟିଏ ଲେଖିଦେଲାପରେ
ମିଳଇ ସରଗ ଶାନ୍ତି ।
ଚଉଦିଗେ ମୋର ଯାହା ମୁଁ ଦେଖଇ
ହୃଦୟ ଝରକା ଦେଇ
ସେହି ଭାବ ସେହି ଅନୁଭବ ସବୁ
ଗୀତଟିଏ ଯାଏ ହୋଇ ।
ସାରା ଜୀବନର ଅଭୁଲା ସ୍ମୃତିକୁ
ଗୀତରେ ସାଇତି ରଖେ
ବେଳ ଅବେଳରେ ସେହି ଗୀତରେ ମୁଁ
ନିଜକୁ ନିରିଖି ଦେଖେ ।
ଛନ୍ଦାପୟରରେ ଭକ୍ତି ଅର୍ଘ୍ୟ ଢାଳେ
ଭାବରେ ଶବଦ ଛନ୍ଦି
ପ୍ରେମର କାହାଣୀ ବଖାଣେ କେବେ ମୁଁ
ମନରେ ମନକୁ ବାନ୍ଧି ।
ଶିଶୁ ମନ ନେଇ ଶିଶୁର ଭାଷାରେ
ଶିଶୁ ପାଇଁ ଲେଖେ ଗୀତ
ସହଜ ସରଳ ଛଳଛଳ ହୋଇ
ଶିଶୁ ସାଥେ ବସେ ମିତ ।
କେବେ ମୋର ଗୀତ ଦୁନିଆ କୁ ବାଣ୍ଟେ
ସଚେତନତାର ବାର୍ତ୍ତା
ସଜାଗ ହେବାକୁ ସ୍ୱଚ୍ଛ ରହିବାକୁ
ସୁସ୍ଥ ରହିବାର କଥା ।
ଦେଶପ୍ରେମ ବହ୍ନି ଜଳାଇବା ପାଇଁ
ଲେଖିଛି ବନ୍ଦନା କେତେ
ଗାୟକ ଗାୟିକା ଗାଇଲେ ମୋ ଗୀତ
ସ୍ୱର୍ଗ ସୁଖ ମିଳେ ମୋତେ ।
ଚାକାଆଖିଆଙ୍କୁ ଏତିକି ପ୍ରାର୍ଥନା
ବୁଜିବା ଯାଏ ମୁଁ ଆଖି
ତାଙ୍କ କରୁଣା ରୁ ଗୀତ ପଦେପଦେ
ନିତି ପାରୁଥିବି ଲେଖି ।
