STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ଚନ୍ଦନ ଯାତ୍ରା

ଚନ୍ଦନ ଯାତ୍ରା

2 mins
181

ବଇଶାଖ ମାସ ତାତି ଡହକ

ବିଷମ ଗ୍ରୀଷମ ସୂରୁଯ ତାପ

କଳା ଗୋସାଇଁ ନପାରି ସହି

ସଖା ସୋଦର ସାଥିରେ ନେଇ

ନରେନ୍ଦ୍ରରେ ଖେଳନ୍ତି ଚାପ

କଳା ଦିଅଁ କଳା ଶ୍ରୀମୁଖ....

ଅକ୍ଷୟ ତୃତୀୟା ପବିତ୍ର ତିଥିରୁ

ଏକୋଇଶ ଦିନ ଯାଏ

ପ୍ରଭୁଙ୍କର ଏହି ବାହାର ଚନ୍ଦନ 

ଚାପଖେଳ ହୋଇଥାଏ ।

ମଣିବିମାନରେ ମଦନମୋହନ

ଶ୍ରୀଦେବୀ ଭୂଦେବୀ ମାତା

ସେତ ଗଜଦନ୍ତ ପାଲିଙ୍କିରେ ବିଜେ

ରାମକୃଷ୍ଣ ବେନି ଭ୍ରାତା ।

ପଞ୍ଚମହାଦେବ ସାଥେ ପୁଣି

ଯାଆନ୍ତି ନରେନ୍ଦ୍ର ପୁଷ୍କରିଣୀ

ପାଣି ପାଲଟଇ ଅମୃତ

କଳା ଦିଅଁ ଖେଳନ୍ତି ଚାପ....

ନିଇତି ସରିଲେ ମଧ୍ୟାହ୍ନ ଧୂପତ

ପ୍ରଭୁ ହୋଇଥାନ୍ତି ବେଶ

ଚନ୍ଦନ ଚର୍ଚ୍ଚିତ ଫୁଲ ସୁଶୋଭିତ

ମହକଇ ଦଶଦିଶ ।

ବିଜେ କାହାଳୀ ତ ବାଜଇ ଯେମିତି

ବିମାନ ବଡୁଏ ମିଳି

ବିମାନ କାନ୍ଧରେ କାନ୍ଧେଇ ସେମାନେ

ଚାଲିଥାନ୍ତି ଝୁଲିଝୁଲି ।

ବାଜେଣି ବାଜଣା ଭେରୀତୂରୀ

ଭଜନ କିର୍ତ୍ତନ ଭାବଭରି

ବଡଦାଣ୍ଡ ଉଛୁଳେ ଦେଖ

ଯାଉଛନ୍ତି କଳାଶ୍ରୀମୁଖ ...

ଦିଅଁ ପହଞ୍ଚିଲେ ନରେନ୍ଦ୍ର କୂଳରେ

ପାଦଧୋଇ ବନ୍ଦାପନା

ପଥଶ୍ରାନ୍ତ ପ୍ରଭୁ ମେଣ୍ଟାଇବା ପାଇଁ

ଲାଗିହୁଏ ପାଣିପଣା ।

ନରେନ୍ଦ୍ରରେ ଏଣେ ସଜ ହୋଇଥାନ୍ତି

ନନ୍ଦା ଭଦ୍ରା ଦୁଇ ଚାପ

ଜଣେ ଧଳା ଜଣେ ଲୋହିତ ବରଣ

ଅପୂର୍ବ ତାଙ୍କରି ରୂପ ।

ନରେନ୍ଦ୍ର କୂଳରେ ଭରା ଭକ୍ତ

ସବୁ ଓଠେ ଜୟ ଜଗନ୍ନାଥ

ଆନନ୍ଦରେ କରନ୍ତି ନାଚ

ଜୟ ପ୍ରଭୁ କଳାଶ୍ରୀମୁଖ....

ଗୋଟିଏ ଚାପରେ ରାମକୃଷ୍ଣ ଭାଇ

ସଖା ପଞ୍ଚମହାଦେବ

ଶ୍ରୀଦେବୀ ଭୂଦେବୀ ମଦନମୋହନ

ଆନଚାପେ ନବରଙ୍ଗ ।

ନାଲି ଚାପ ଯାଏ ଆଗେଆଗେ ଭାଷି

ପଛରେ ପ୍ରଭୁଙ୍କ ଚାପ

ନାଉରୀ ସେବକ ନାଆ ବାହୁଥାନ୍ତି

ମାରନ୍ତି ଆହୁଲା କାତ ।

ବଜନ୍ତ୍ରି ନଉକା ଆଗେ ଯାଏ

ଦିନ ଚାପ ନାବକେଳି ହୁଏ

କୂଳ ହରିବୋଲେ କମ୍ପେତ

ଜୟ ଜୟ ଜଗତନାଥ....

ଦିଅଁ ଙ୍କ ସାଥିରେ ପ୍ରତି ଚାପେ ଥାନ୍ତି

ପୂଜାପଣ୍ଡା ଗରାବଡୁ

ହଡ଼ପ ଖୁଣ୍ଟିଆ ପତ୍ରୀବଡୁ ପୁଣି

ସିଂହାରୀ ସୁଆରବଡୁ

ବଜନ୍ତ୍ରି ନୌକାରେ ଘଣ୍ଟୁଆ ଜଣେକୁ

ଜଣେ ଥାନ୍ତି କାହାଳିଆ

ତେଲିଙ୍ଗି ବାଇଦ ବାଦକ ଜଣେକୁ

ଜଣେ ପୁଣି ମସାଲିଆ 

ପ୍ରତିଦିନ ଦୁଇଥର ଚାପ

ଦିନ ଚାପ ପରେ ରାତି ଚାପ

କୂଳେ ଉଛୁଳେ ନାଚଗୀତ

ଜୟ ଜୟ ଜଗତନାଥ....

ସାରି ଦିନକେଳି ପ୍ରଭୁ କୋଳାକୋଳି

ଚନ୍ଦନ ଚକଡା ଆସି

ଚନ୍ଦନ ପାଣିରେ ସ୍ନାହାନ କରନ୍ତି

ଶୀତଳ ପରସ ନେଶି ।

ସରିଲେ ସ୍ନାହାନ ଫୁଲ ଚନ୍ଦନରେ

ସଭିଏ ହୁଅନ୍ତି ବେଶ

ମାଣ୍ଡୁଅ ଭୋଗ ତ ଲାଗିହୁଏ ତହିଁ

ମହମହ ତାର ବାସ ।

ବେଶ ପରେ ରାତି ଚାପ ହୁଏ

ତିନି ଘେରା ଚାପ ଘୂରି ଥାଏ

ନରେନ୍ଦ୍ର ର ଚାରି ପାଖେତ

ଜୟ ଜୟ ଜଗତନାଥ....

ଅକ୍ଷିତୃତିୟାରୁ ଜ୍ୟେଷ୍ଠ ମାସର

କୃଷ୍ଣ ଅଷ୍ଟମୀ ର ଯାଏ

ଏକୋଇଶ ଦିନ ବାହାର ଚନ୍ଦନ

ଲିଳା ସେତ ଚାଲିଥାଏ

ନିତି ଆସି ଦିଅଁ ଚାପ ଖେଳିଥାନ୍ତି

ଚାପ ସାରି ଫେରିଥାନ୍ତି

ବାହାର ଚନ୍ଦନ ସରେ ଯେଉଁ ଦିନ

ହୋଇଯାଏ ଅଧରାତି

ଭଉଁରୀ ସେଦିନ ହୋଇଥାଏ

ଭଜନ କୀର୍ତ୍ତନ କମ୍ପୁଥାଏ

ଧନ୍ୟ ପ୍ରଭୁ ତୁମ ଲିଳାତ

ଆହା ସଖି ଥରେ ଦେଖତ...

ଶ୍ରୀ ମଧୁସୂଦନ ରୂପରେ ଚନ୍ଦନ

ଚାପ ଖେଳିଥାନ୍ତି ପ୍ରଭୁ

ଚର୍ମ ନୟନରେ ସେ ରୂପ ଦର୍ଶନ

ଧୋଇଦିଏ ପାପ ସବୁ

ଦେଖିବାକୁ ସେହି ଭାବମୟ ରୂପ

ଭକତେ ପାଗଳ ପ୍ରାୟ

ଉଛୁଳି ପଡଇ ନରେନ୍ଦ୍ର କୂଳଲୋ

ଜୟ ଜଗନ୍ନାଥ ଜୟ

ଦୟାକର ପ୍ରଭୁ ଦୟାକର

ଦୁଃଖ ଦରିଆରୁ ପାରିକର

ଆହେ ମୋର କଳା ସାଆନ୍ତ....



Rate this content
Log in