ଚିହ୍ନା ଅଚିହ୍ନା
ଚିହ୍ନା ଅଚିହ୍ନା


କାହା ସଙ୍ଗେ ହସଖୁସି ବାଣ୍ଟିବା ତ
ଆଜିକାଲି ଭାରି କଷ୍ଟ
ମୁହଁ ଦେଖିବାକୁ ମଉକା ମିଳୁନି
ମୁଖା ଉଗାଳୁଛି ବାଟ ।
ହସୁଛ କି ତୁମେ ରୁସିଛ କି ତୁମେ
ମୁହଁରୁ ହେଉନି ଜାଣି
ରାଗ ଅଭିମାନ ଲୁଚିଯାଏ ସବୁ
ମୁଖା ଦିଏ ଗାର ଟାଣି ।
ମୁଖା ତଳେ ଲୁଚେ ପରିଚୟ ଆଜି
ହୃଦୟ ହେଉଛି ପାଣି
କିଏ ସେ ଅଚିହ୍ନା କିଏ ପୁଣି ଚିହ୍ନା
ପାଖରୁ ହେଉନି ଚିହ୍ନି ।
ଅଚିହ୍ନା ଲୋକଙ୍କୁ ପଚାରୁଛି କିଏ
ଚିହ୍ନା ଲୋକଙ୍କୁ ବି ଡର
ରୋଗ ବାହକଙ୍କୁ ଚିହ୍ନିବା ଆଗରୁ
ରୋଗ କରେ ହରବର ।
ଚିହ୍ନା ହେଉ ଅବା ଅଚିହ୍ନା ଲୋକଙ୍କୁ
ଏରୁଣ୍ଡି ଛୁଇଁବା ମନା
ସାମାଜିକ ପ୍ରାଣୀ ଆନମନା ହୁଏ
ମାନି ଏବେ କଟକଣା ।
ଚିହ୍ନା ଅଚିହ୍ନାର ଗହଳି ଭିତରେ
ମଣିଷ ପଣିଆ ହଜେ
କରୋନା ଡରରେ ସନ୍ଦେହ ଘେରରେ
ପ୍ରେମ ସାଥେ ପ୍ରୀତି ଯୁଝେ ।