ବସନ୍ତର ବାସ୍ନା
ବସନ୍ତର ବାସ୍ନା
1 min
348
ଥୁରୁ ଥୁରୁ ଶୀତ ଧରା ଛାଡିଲାଣି
ଫୁଟିଲାଣି ଖରା ତେଜ
ଅଳସ ପବନ ହାଇ ମାରିଲାଣି
ଫଗୁଣ ହେଲାଣି ସଜ
କୁଆଁରୀ ବଉଳ ଲାଜେ ଖୋଜିଲାଣି
ଚୋରା ମଳୟର ଛୁଆଁ
ରହି ରହି ଶୁଭେ କୋଇଲି କଣ୍ଠରୁ
କୁହୁକୁହୁ ସୁର ନୂଆ
ତରୁରେ ତରୁରେ ମଧୁମାଳତୀ ଯେ
ପକାଏ ଫୁଲର ଝୋଟି
ସେ ଝୋଟି ସଜାଏ ହଳଦୀବସନ୍ତ
ହଳଦୀ ମୁରୂଜ ଛାଟି
ପଳାଶବନରେ କାମନାର ନିଆଁ
ଲଗାଇ ଦେଲାଣି କିଏ
ସେ ମିଠା ନିଆଁରେ ଜଳିବାକୁ କିଆଁ
ମନ ଆନମନା ହୁଏ
ଚଉଦିଗେ ଖେଳେ ବସନ୍ତର ମଧୁ
ବାସ୍ନାର ଲୁଚକାଳି
ଫୁଲରେ ଫୁଲରେ ଦେଖୁନ କେମିତି
ଭଅଁର କରୁଛି କେଳି
