ଭୋକ
ଭୋକ
ଫୁଟପାଥରେ ଦେହଟେ ;
ଦେହ ବୋଲି ହାଡ଼ ଉପରେ
କେଇ ପରସ୍ତ ଚମ--
ଅଙ୍ଗପ୍ରତ୍ୟଙ୍ଗ ଯେଝା ଜାଗାରେ ଥୁଆ ;
ଲୁଗାଟେ ପଡ଼ିଛି ନାଁକୁ ମାତ୍ର----
ବସ୍ତ୍ର ବିନା ସୂତା ନ୍ୟାୟରେ ;
ଲାଜ ଲୁଚିବା ପାଇଁ ----
ଲୁଚୁଛି କେଉଁଠୁ ??
ପାଖରେ ସେମିତିଆ ଆଉ ଗୋଟେ ଦେହ
ବେସ୍ ଛୋଟ, ତା ଠୁ ଜନମ ;
ଭିକାରୀ ପିଲା, ପରିଚୟ ନାହିଁ ,
ପାପଟିଏ, ନ ଚାହିଁ ବି ଫୁଟି ଯାଇଛି --
କେଉଁ ଅପରିଚିତର ଦୁର୍ବଳ ବେଳାର
କାମନାର ଫଳ ହୋଇ ;
କାନ୍ଦୁଛି ଚିହିରି ଛାଡ଼ି ।
ଖୋଜୁଛି ସେ ଖାଦ୍ୟ
ମା'ର କଙ୍କାଳ ଉପରେ ଝୁଲି ପଡ଼ିଥିବା
ହଳେ ମାଂସ ପିଣ୍ଡୁଳାରୁ ----
ପ୍ରୟାସ ଜାରି.. ଫଳ ଶୂନ୍ୟ --
ଆସିବ ବା କେମିତି ??
ଦୁଇ ଦିନ ହେଲା ଖାଦ୍ୟ ପଡ଼ିନି--
ପେଟ ଖାଲି, ଦେହ ଜରେଇଛି ।
ଏବେ ମୁହଁ ସଞ୍ଜ ;
ଆଗରେ ଦୁଇଟି ପୁଡ଼ିଆ --
ଭୋକିଲାର ଦାନା, କେତେ କଣ ଅଛି--
ମା ଖାଇଲା-- କିଏ ଦେଲା, କାହିଁକି ଦେଲା
ନିଘା ନାହିଁ.. ଇଛା ବି ନାହିଁ--
ଭୋକ ଜାଣେନା ପାପ ପୁଣ୍ୟ,
ଦାତା କିଏ....ଦଇବ କିଏ;
ଦାନବ କିଏ .... ମାନବ କିଏ ।
ଏଣେ ଦାତାଙ୍କର ନୂଆ ଅବତାର
ଭିତର ଜନ୍ତୁର ଆବିର୍ଭାବ,
ସେଇ ଫୁଙ୍ଗୁଳା ଦେହରେ ହାତ ବୁଲିଲା
ସାରା ଶରୀରକୁ ଛୁଇଁଲା ସେ--
ଆପାଦମସ୍ତକ....ଧୀରେ ଧୀରେ--
ଅନୁଭବ କରୁଥିଲା ଗୋଟେ ମଜବୁର
ଲଙ୍ଗଳା ଦେହକୁ ।
ନିଃଶ୍ଵାସ ତୀବ୍ର ହେଲା ଧୀରେ ଧୀରେ--
ଦୁଇ ଦେହ ଘର୍ମାକ୍ତ --
ବାହାର ଦେହଟା ବଞ୍ଚିବା ପାଇଁ
ଭିତରଟାକୁ ମରିବାକୁ ହେଲା-- ପୁଣି ଥରେ--
ଗୋଟିଏ ଭୋକିଲା
ଆଉ ଗୋଟେ ଭୋକିଲାର
କାମରେ ଆସିଲା--
ଦୁଇ ଅଚିହ୍ନା ଦେହ ଏକ ହୋଇ ଗଲେ,
ରତିକ୍ଳାନ୍ତା ସଞ୍ଜ ଏବେ ରାତି ହେଉଥିଲା ।
ଏଥର ସେ ଶୁଷ୍କ ମାଂସ ପିଣ୍ଡୁଳାମାନ
ଜୀବନ୍ତ ହୋଇଗଲେ--ନିର୍ଝରିଲେ ଆଉ ଥରେ,
ଚର୍ମରନ୍ଧ୍ର ଭେଦି -- ମାତୃତ୍ୱର ମହକ ନେଇ
ଛୁଆଟି କିଛି ନବୁଝି ମୁହଁ ଲଗାଇଲା--ସବୁଥର ଭଳି
ଏକା ଥରକେ ଗୁଡ଼ିଏ ଭୋକ----
ମେଣ୍ଟିଗଲେ କିଛି ପାପ ସହ----
ଆଉ ଗୋଟେ କ୍ଷୁଧାଜ ପାପର
ଆସିବା ଅପେକ୍ଷାରେ ।
ଫ୍ରାନସିସ୍ ଶତପଥୀ
