ଭକ୍ତିପୁଷ୍ପ-୨୫
ଭକ୍ତିପୁଷ୍ପ-୨୫
ତରତର ରାଇ
ରାତି ଗଲା ପାହି
କେଣେ ଗଲ ସହୀ ସଙ୍ଗାତ
ଏକାକୀ ଯମୁନା
ଯିବାକୁ ତ ମନା
କି ବୁଦ୍ଧି କରିବି ସଖି କୁହ ତ ।
ନଣନ୍ଦ ଆକଟ
ଶାଶୁ ଜଗେ ବାଟ
ଚନ୍ଦ୍ରସେଣା କରୁଛନ୍ତି ବାରଣ
ନଗଲେ ଯମୁନା
ନଦେଖିଲେ କାହ୍ନା
ଜୀଇଁ ଥାଉଁ ଥାଉଁ ହେବ ମରଣ ।
ଯାହା ହେଉ ଘାଟେ
ଯାହା ହେଉ ବାଟେ
କାଖେ ଯଦି ଥିବ ପାଣି ଗଗରା
ଗଲେ ସାଥି ହେଇ
କିଛି ଦୋଷ ନାହିଁ
ବାଜିବନି ଗୋପ ଦାଣ୍ଡେ ନାଗରା ।
ମୁହିଁ ନିରିମାଖୀ
ତୁମେ ମୂକ ସାକ୍ଷୀ
ଶାଶୁଙ୍କୁ ମୋ କହିବ ଲୋ ବୁଝେଇ
କହ୍ନେଇର ଛାଇ
ମୋତେ ଛୁଇଁ ନାହିଁ
ପଣତ ଖସିନି କେଣେ ଅନେଇ ।
ସେଥି ପାଇଁ ସଖି
ଖୋଜେ ତୁମ ସାଥି
ସବୁ ଜାଣି କର କିଆଁ ବିଳମ୍ବ
ଅଥୟ ଯମୁନା
ଅଥୟ ମୋ କାହ୍ନା
ଅଥୟ ହେବେଣି କେଳି କଦମ୍ବ ।
