ଭିଜା ଶ୍ରାବଣ
ଭିଜା ଶ୍ରାବଣ
ମତୁଆଲି ଏଇ ଶ୍ରାବଣୀ ଝରାଏ
ପ୍ରୀତି ବର୍ଷା ତାର ଛୁଇଁ ଧରଣୀ
କଦମ୍ବ ଫୁଲରେ ବେଣାବାନ୍ଧି ନାଚେ
ଛମ ଛମ ହୋଇ ବରଷା ରାଣୀ |
ଝକ ମକ କରି ଚପଳା ସୁନ୍ଦରୀ
ପ୍ରୀତିଲଗ୍ନା ମନ ସୁବର୍ଣ୍ଣ ଆଭା
କ୍ଷିପ୍ର ଗତି ତାର ବୁକୁ ଦୋହଲାଏ
ନିମିଷେ ଲୁଚାଏ ତା ବର୍ଣ୍ଣବିଭା |
ଘଡ ଘଡ ନାଦେ ମେଦିନୀ କମ୍ପିତ
ସତେ କି ବାଜଇ ଡମ୍ବରୁ ବାଜା
ଆନନ୍ଦେ ନାଚଇ ବେଙ୍ଗୁଲି ରାଣୀ ସେ
ସାରୁମୂଳେ ବସି ମାରଇ ମଜା |
ଆନନ୍ଦ ଖେଳଇ କୃଷକ ର ପ୍ରାଣେ
ଚାଷକାମ ପାଇଁ ମନ ହରଷେ
ଗ୍ରୀଷ୍ମ ଫେରିଗଲା ଅଭିନୟ ସାରି
ମଥାନତ କରି ବରଷା ପାଶେ |
ଗଲା ବେଳେ ସିଏ କହିଗଲା ଧୀରେ
ଏ ତ ସମୟ ଚକ୍ର ର ଖେଳ
ଜଣ ଜଣ କରି ସର୍ବେ ଆସି ଯିବେ
ଯାହାର ଯେପରି ଆସିଲେ ବେଳ |
ମଙ୍ଗଳକାରୀ ମୁଁ ଜୀବଜଗତର
ଋତୁଚକ୍ରରେ ମୁଁ ମୁଖ୍ୟ ପୁରୋଧା
ମୋ ପାଇଁରେ ତୁ ତୋ ପାଇଁରେ ମୁଁ
ସଜାଇ ରଖିଛି ବିଶ୍ୱନିୟନ୍ତା |
ଗ୍ରୀଷ୍ମର ଭାଷାରେ ଏତେ ମିଷ୍ଟ ଥିଲା
ପ୍ରୀତ ହୋଇଗଲା ଧାରା ଶ୍ରାବଣ
ଭାବିଲା ମନକୁ ପାଳିବି ମୋ ଧର୍ମ
ବରଷି ସାଧିବି ବିଶ୍ୱ କଲ୍ୟାଣ |
ସର ସର ହୋଇ ଅନର୍ଗଳ ଭାବେ
ବରଷା ବର୍ଷିଲା ସେ ଦିବାନିଶି
ଧରାମୁଖେ ହସ ଉକୁଟି ଉଠିଲା
ଥୁଣ୍ଟା ତରୁଦେହେ ପଲ୍ଲଵ ନେସି |
ତଟିନୀ ଗର୍ଭରେ ପୂର୍ଣ୍ଣଜଳରାଶି
ଧାଏଁ ସାଗରରେ ନିମଗ୍ନ ଆଶେ
ଚକୋର ଚକୋରୀ ପ୍ରଣୟରେ ମଜ୍ଜି
ଚଞ୍ଚୁ ପରେ ଚଞ୍ଚୁ ଥୋଇ ଉଲ୍ଲାସେ |
ଉତ୍ତୁଙ୍ଗ ପର୍ବତ ଶିଖର ଦେଶରେ
ନୀଳକଣ୍ଠି ନାଚି କରେ ସ୍ୱାଗତ
ଧରାକୁ ମଣଇ ସରା ସେ ତୃପ୍ତିରେ
ବଇରୀକୁ ଦେଖି କରଇ ହତ |
ସରୋବରେ ଝୁଲି କଇଁରାଣୀ ଡାକେ
ପ୍ରିୟତମ ଆସ ନ କର ଦୁଃଖୀ
ବାଦଲ ଊହାଡୁ ପ୍ରେମିକ ପ୍ରବର
ଜହ୍ନ ଆଖିମାରେ କଇଁକୁ ଦେଖି |
ପ୍ରଣୟିନୀ ପଦ୍ମ ଅଭିସାର ବେଶେ
ଦୁଃଖେ ମ୍ରିୟମାଣ ଗଭୀର ଜଳେ
ରାଜହଂସ ହଂସୀ ପଙ୍କଜ ବିହୁନେ
ଅଭିମାନେ ଗଲେ ଅନେକ ଦୂରେ |
ନାଲି ଜରିପାଟ ପିନ୍ଧି ସାଧବାଣୀ
ଥିରି ଥିରି ଚାଲେ ପାଦ ପକାଇ
ଅତୀବ ସୁନ୍ଦରୀ ପୃଥିବୀ ମାଆ ମୋ
ଶୋଭା ସୌନ୍ଦର୍ଯ୍ୟର ସେ ଗନ୍ତାଘର |
କୃଷକ ବାପୁଡ଼ା ମନ ମଉଜରେ
ଅମାପ ଆନନ୍ଦେ ଗାଇଲା ଗୀତ
ନଈପଠା ଧାରେ କାଶତଣ୍ଡି ଗଛ
ବରଷା ସହିତ ବସିଲା ମିତ |
ଚାହୁଁ ଚାହୁଁ ଏଠି କଥା ରହିଗଲା
ଶରତ ପ୍ରସ୍ତୁତ ହେଲାଣି ଭଲା
ସଂସାର ନିୟମେ ବନ୍ଧା ଏ ଜୀବନ
କିଏ କେତେବେଳେ ଆସିଲା ଗଲା |
କହିଲା ଶରତ ଫେରିଯାଅ ବର୍ଷା
ଆସିବି ମୁଁ ମୃଦୁମନ୍ଦ ଗତିରେ
ଅଢେଇ ଦିନକୁ ବଢ଼େଇ କାହିଁକି
ମରଣଟା ପରା ଧ୍ରୁବ ସତ୍ୟରେ |
ଆଖି ବୁଜିଦେଲେ କିଏ ବା କାହାର
ସ୍ୱାର୍ଥରେ ଜଡିତ ଜନ ମାନସ
ସେଥିପାଇଁ ଆସ ହସି ହସାଇବା
ଛାଡି ନିଜ ମନୁ ରାଗ ବିଦ୍ୱେଷ |
