ବାପା ମୋ ବାପା
ବାପା ମୋ ବାପା


ମୋ ଆଖିରେ ସ୍ୱପ୍ନ ଦେଲ
ମୋ ଓଠରେ ଭାଷା ଦେଲ
ହାତ ଧରି ଚାଲି ଶିଖିଲି
ଦୁନିଆର ରୂପ ଦେଖିଲି
ତୁମ ପାଇଁ ଆଲୋକରେ ହେଲି ଝଲମଲ
ବାପା ତୁମେ ଦିଅଁ ଦେବତା ତୁଲ...
ଉପରେ ଉପରେ ରାଗ ରୋଷ କରିଛ
ଭିତରେ ଭିତରେ ଭାରି ଭଲ ପାଇଛ
ତୁମ ସ୍ନେହ ଶରଧା ବାରି
ମୋ ମଥାରେ ପଡଇ ଝରି
ପାରିବିନି ଦେଇ ତୁମ ମମତାର ମୂଲ
ବାପା ତୁମେ ଦିଅଁ ଦେବତା ତୁଲ...
ଦେଖାଇଛ ଭଲ ବାଟ ଚାଲିବା ପାଇଁ
ସାହସ ଦେଇଛ ଦାଉ ସହିବା ପାଇଁ
ମୋ ପାଇଁ ସହି କଷ୍ଟ କେତେ
ମଣିଷ ତୁମେ କଲ ମୋତେ
ଜୀବନଠୁ ବେଶି ମୋତେ ତୁମେ ପାଅ ଭଲ
ବାପା ତୁମେ ଦିଅଁ ଦେବତା ତୁଲ...
ମୁଣ୍ଡରେ ମୁଣ୍ଡେଇ ମୋତେ ନାଚିଛ କେତେ
ଭଲ କଥା କାନେ କାନେ କହିଛ ମୋତେ
ମନଛୁଆଁ ଗୀତ କାହାଣୀ
ଭାବଭରା ଅମୃତ ବାଣୀ
ଶୁଣାଇ କରିଛ ମୋତେ ମନଭରି ଗେଲ
ବାପା ତୁମେ ଦିଅଁ ଦେବତା ତୁଲ...
ତୁମେ ତ ଭରିଛ ପ୍ରାଣେ ଅମ
ାପ ଶକ୍ତି
ତୁମରି ସେବାରେ ମିଳେ ଅପାର ଶାନ୍ତି
ତୁମେ ମୋ ଭକତିର ଗୀତ
ତୁମେ ମୋ ମୁକତିର ପଥ
ଶିଖାଇଛ ତୁମେ ଜୀଇବାର କଉଶଳ
ବାପା ତୁମେ ଦିଅଁ ଦେବତା ତୁଲ...
ବାପା ତୁମ ପାଦ ଧୂଳି ଚନ୍ଦନ ଗୋଳି
ଜଗତ ଜିତା ମୁଁ ଆଜି ମଥାରେ ବୋଳି
ତୁମେ ଥିଲେ ପାଖରେ ମୋର
କାହାକୁ ମୋ ନଥାଏ ଡର
ଜଣାପଡେ ନାହି ଚଲାପଥେ ଖମାଖାଲ
ବାପା ତୁମେ ଦିଅଁ ଦେବତା ତୁଲ...
ତୁମେ ମୋ ସ୍ପନ୍ଦନ ମୋ ନିଃଶ୍ୱାସ ପ୍ରଶ୍ୱାସ
ମନେ ମୋ ଦେଇଛ ଭରି ଆଶା ବିଶ୍ୱାସ
ମୋ ଧମନୀ ଶିରା ପ୍ରଶିରା
ବୋହେ ତୁମ ରକତ ଧାରା
ତୁମରି ଆଶିଷେ କଣ୍ଟା ପାଲଟଇ ଫୁଲ
ବାପା ତୁମେ ଦିଅଁ ଦେବତା ତୁଲ...
ସବୁ ଆଶା ଆକାଂକ୍ଷାକୁ କରିଛ ପୂର୍ଣ୍ଣ
ତୁମ ଲାଗି ଆଜି ମୋର ଜୀବନ ଧନ୍ୟ
ତୁମେ ମୋର ମହା ନାୟକ
ତୁମେ ମୋର ଶୁଭ ଚିନ୍ତକ
ପୁଲକ ଭରେ ସେବି ତୁମ ପାଦ କମଳ
ବାପା ତୁମେ ଦିଅଁ ଦେବତା ତୁଲ...