ଅଟେ ମିଛ ମାୟା ସଂସାର
ଅଟେ ମିଛ ମାୟା ସଂସାର
ମାଆ ବୁଝେ ମନ ଡାକୁଥାଏ ଧନ
ଚିନ୍ତା ଥାଏ ପୁଅ ପେଟର
ସେହି ମାଆକୁ ତୁ ପାଦେ ଆଡେଇଲୁ
ଅଟେ ମିଛ ମାୟା ସଂସାର ll1ll
କରୁଣାମୟୀ ମା ସବୁବେଳେ ସାହା
ଦୁଃଖ ଦେଖେନାହିଁ ତୋହର
ପତ୍ନୀ ପାଇ ତୁହି ଭୁଲିଛୁ ମାଆକୁ
ଅଟେ ମିଛ ମାୟା ସଂସାର ll2ll
ନିଜ ଖୁସି ପାଇଁ ମେଳା ଦେଖି ଯାଉ
ବସି କାନ୍ଧରେ ତୁ ଯାହାର
ଧନୀ ହୋଇ ତୁହି ବାପାଙ୍କୁ ନ ଲୋଡୁ
ଅଟେ ମିଛ ମାୟା ସଂସାର ll3ll
ତୋର ଭାଇ ଦିଏ ଖଟି କରି ଟଙ୍କା
ଯେତେ ଦରକାର ତୋହର
ସ୍ତ୍ରୀ ପାଇଁ ତୁହି ଭୁଲି ଗଲୁ ଭାଇ
ଅଟେ ମିଛ ମାୟା ସଂସାର ll4ll
ନିଜେ ଅଧା ଖାଇ ତୋତେ ଅଧା ଦେଇ
ଅଧା ପେଟ ବୁଝେ ତୋହର
ହେଲେ ହେଁ ସେ ପର ଭଉଣୀ ସେ ତୋର
ଅଟେ ମିଛ ମାୟା ସଂସାର ll5ll
ଯାର ସ୍ନେହ ଶ୍ରଦ୍ଧା ପାଇତୁ ବଢିଲୁ
କେଡେ ସୁନ୍ଦରସେ ପରିବାର
ଚାକିରୀ ପାଇତୁ ତାକୁ ଗଲୁ ଭୁଲି
ଅଟେ ମିଛ ମାୟା ସଂସାର ll6ll
ଗର୍ବ କରିଥାନ୍ତୁ ବହୁତ ସୁନ୍ଦର
ପାଇଛୁ ତୁ ପରିବାର
ତାକୁ ଛାଡି ଟଙ୍କା ମୋହରେ ପଡ଼ିଲୁ
ଅଟେ ମିଛ ମାୟା ସଂସାର ll7ll
ଯେଉଁ ଗାଆଁ ପାଣି ପାଇତୁ ବଢ଼ିଲୁ
ଯେଉଁ ସ୍ପର୍ଶ ପାଇ ମାଟିର
ବିଦେଶେ ରହିଲୁ ଗାଆଁକୁ ଭୁଲିଲୁ
ଅଟେ ମିଛ ମାୟା ସଂସାର ll8ll
ଯେ ଦେଶକୁ ଯିବୁ ସେ ଫଳ ଖାଇବୁ
ପାଇବୁନି ଫଳ ଗାଆଁର
ନିଶ୍ଚିତ ଝୁରିବୁ ତୋହରି ଗାଆଁ କୁ
ଅଟେ ମିଛ ମାୟା ସଂସାର ll9ll
ଯାର ପାଖେ ପାଠ ପଢ଼ୁଥିଲୁ ତୁହି
ଆଜି ତାଙ୍କୁ ଡାକୁ ମାଷ୍ଟର
ମନରେ ନାହିଁ ତୋ ଟିକିଏ ସମ୍ମାନ
ଅଟେ ମିଛ ମାୟା ସଂସାର ll10ll
କିଏ ଦେଖେ ଭେକ କିଏ ଦିଏ ଭିକ
କିଏ ବୁଝେ ଭୋକ ଦୀନର
ପେଟ ପାଇଁ ଏଠି ସବୁ ନାଟ ଲାଗେ
ଅଟେ ମିଛ ମାୟା ସଂସାର ll11ll
ସବୁ ଅବଦାନ ତୁଚ୍ଛ ହୋଇଗଲା
ମୂଲ୍ୟ ବଢିଗଲା ଟଙ୍କାର
ଭୁଲି ମାଟି ପାଣି ଭୁଲୁ ସ୍ନେହ ଶ୍ରଦ୍ଧା
ଅଟେ ମିଛ ମାୟା ସଂସାର ll12ll
ସବୁ ଭୁଲିଯାଇ ଫେରିଆସେ ତୁହି
ଲେଉଟେତୁ କୋଳ ମାଆର
ସଭିଏଁ ଉଦାର କ୍ଷମା କରିଦେବେ
ଅଟେ ମିଛ ମାୟା ସଂସାର ll13ll
ସେହି ସ୍ନେହ ଶ୍ରଦ୍ଧା ଫେରିତୁ ପାଇବୁ
ତ୍ରୁଟି ଧରିବେନି ତୋହର
ଭୁଲିବୁ ଟଙ୍କାର ମୋହ ଓ ମାୟା କୁ
ଅଟେ ମିଛ ମାୟା ସଂସାର ll14ll
ମୁହିଁ ଯେ ଅଧମ ଅଳ୍ପ ଜ୍ଞାନୀ ଶିଶୁ
ତ୍ରୁଟି ଧରିବନି ମୋହର
ଭୁଲ ଥାଇପାରେ ମୋର କବିତାରେ
ଅଟେ ମିଛ ମାୟା ସଂସାର ll15ll
