ଅନୁତାପ
ଅନୁତାପ


ଭୁଲ୍ କରି ଯଦି ଅନୁତାପ କଲ
ସେତ ଅଟେ ବଡପଣ
ଅନୁତାପ କରି ଭୁଲ୍ କଲେ ପୁଣି
ଅମଣିଷପଣ ଜାଣ ।
ଅବୁଝା ମଣିଷ ବୁଝନ୍ତିନି ଜମା
ଭୁଲ୍ ରହିଗଲା କାହିଁ
ସେଥିପାଇଁ ତାଙ୍କ ଜାତକରେ ଜମା
ଅନୁତାପ ଲେଖା ନାହିଁ ।
କିଛି ଲୋକଙ୍କର ଅମାନିଆ ପଣ
ଭୁଲ୍ ର ନଥାଏ ଶେଷ
ଅନୁତାପ ସିଏ କରିବେ ବା କିଆଁ
ମାନନ୍ତିନି ନିଜ ଦୋଷ ।
ଛୋଟିଆ ଭୁଲ୍ ବି ଝଡ ସୃଷ୍ଟି କରେ
ସମ୍ପର୍କ ଯାଏରେ ତୁଟି
ଅନୁତାପ କରି ହାତ ମିଶାଇଲେ
ହୃଦୟକୁ ହୁଏ ଜିତି ।
ଅନୁତାପ କଲେ ଦୋଷ ମାନିଗଲେ
ସମ୍ମାନ ହୁଏନି ଉଣା
ନିଜେତ ନିଜକୁ ସୁଧାରି ପାରିଲେ
ବାଟ ହେବ ନାହିଁ ବଣା ।
ମଣିଷ ମାତ୍ରକେ ଭୁଲ୍ ତୃଟି ଅଛି
କଥାଟି ମନରେ ହେଜି
ଅନୁତାପ କଲେ ଅଶାନ୍ତିରୁ ମୁକ୍ତି
ସୁଖ ତ ଯିବନି ହଜି ।