STORYMIRROR

Fransis Satapathy

Others

3  

Fransis Satapathy

Others

ଅନ୍ନଦାତା

ଅନ୍ନଦାତା

1 min
13.2K


ବେଗେ ଉଠ

ବେଳ ଉଛୁର ହେଲାଣି,

ପାହାନ୍ତି ଉକିଆ ଆସି ହାଜିରା ଦେଲାଣି,

ପକ୍ଷୀଙ୍କ କାକଳିର ହାଟ ବସିଲାଣି,

ଉଠ !! ଆଉ ଶୁଅନି..

ଆଜି ପାଇଁ ଆଉ ନାହିଁ ନିଦ----

ଉଠିପଡ଼ ରାତି ପାହିଲାଣି।

ଯା' ମୁହଁ ଧୁଅ

କାଳିଆର ହମ୍ବାରଡ଼ି, କସରାର ଝାଡ଼ି

ଝୁଡ଼ି----ଶୁଭୁନି??

ଯା' ଜଲଦି ଯା'..

ତେଜି ଶେଯ ସୁପାତି, ସାରି ନିତି

ରୀତିନୀତି ବାହାରି ଯା',

ପୂରୁବ ପା’ ସିନ୍ଦୂରା ହେଲାଣି।

ଜାଣେ ତୁ କାଲି ଶୋଇନୁ..

ଶୁଅନ୍ତୁ ବା କେମିତି??

ଅଧା ପେଟୁ ଅଧକ କାଟିକି--

ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଛୁ,

ଖାଲି ଥାଳି ଖାଲି ଗିନା ଖାଲି ହାଣ୍ଡି--ସହିବୁ କେମିତି??

ମୁଁ ଜାଣେ..

ଭୋକର ଦାଉ--ନିଜ ଠାରୁ ନିଜର କାହାର--ବେଶି ବାଧେ,

ନିଜ ପିଲା--ନିଜ ଭାରିଯାର;

ତୁ ସିନା ସହି ଯାଉ--

ଭୋକ-ଦକ ଭୋକରେ ତୁ ମାରୁ,

ହେଲେ ସେମାନଙ୍କ ଖାଲି ପେଟ ଭୋକ ଠାରୁ ବେଶି ତୋତେ ମାରେ।

 ଛାଡ଼--ତୁ ପରା ସେମିତିକା--

ଯାହା କହନ୍ତି--"ନିଆରା ଉପାଦାନେ ଗଢ଼ା";

ଶୁଖିଲା ମାଟିରେ ମାଟି ହୋଇ,

ଗୋରୁ ସଙ୍ଗେ ଗୋରୁ ହୋଇ,

କ୍ଷେତକୁ ତୁ ଝାଳରେ ପଖାଳୁ--

ନିଜେ ରହି ତୃଷାତୁର, ତୃଷାହରୁ ମାଟି

ମଟାଳର।

ମୁଣ୍ଡପରେ ଜଳନ୍ତା ସୂରୁଯ,

ପାଦ ତଳେ ତତଲା ଟାଙ୍ଗର,

ଦେହଟା ଖାଲି ସନ୍ତୁଳି ହୁଏ--ମଝିରେ,

ଦୂରରୁ ଦେଖିଲେ ଦିଶେ--ପୋଡ଼ା କାଠଟାର ଚଳପ୍ରଚଳ,

ତୋ ଅଗ୍ନି ସ୍ନାତ ଅବୟବର କାଳିମାର ଆତିଶୟର।

ମୁଁ ଜାଣେ--

ତୋତେ କେହି ବୁଝିବେନି,

ବୁଝିବେ ବା କାହିଁକି,

ସେମାନେ ଯେ ଭୋକରେ ନାହାଁନ୍ତି....

ନା-- ଭୁଲ କହିଲି!! !!

ତୁ ଯେ ତାଙ୍କୁ ଭୋକରେ ରଖିନୁ,

ଦେହକୁ ଦାହୀ, ମନକୁ ମାରି,

ପରିବାର ଭୁଲି, ସ୍ଵାର୍ଥକୁ

ହାରି....ଖୁଆଇ ଚାଲିଛୁ।

ତୋ ଭାଗରେ ଅନ୍ନମୁଠେ ନାହିଁ,

ତୋ ଘରେ ଛପର ବି ନାହିଁ,

ପିଲା ତୋର ଭୋକ ହେଲେ ପାଣି ପିଉଥାଇ,

ସ୍ତ୍ରୀ ତୋର ଛିଡ଼ା ପିନ୍ଧି, ପର ଘରେ ବାସନ

ମାଜଇ--

ତଥାପି ତୁ ହାରିନୁ--

ବଞ୍ଚିଥିଲୁ, ବଞ୍ଚିଛୁ, ବଞ୍ଚିଥିବୁ----

ଅନ୍ନଦାତା ହୋଇ।।

ଫ୍ରାନସିସ୍ ଶତପଥୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍