ଅଭିଶପ୍ତ ମାନ୍ୟବର
ଅଭିଶପ୍ତ ମାନ୍ୟବର


ସାଙ୍ଗ ଯେ ମଳୟ ପବନ
ଜୀବନେ ଲେପନ୍ତି ଚନ୍ଦନ ।
ପିଲାବେଳର ସାଂଗ ସବୁ ହୀରା ମୋତି
ସ୍କୁଲ ବେଳର କିଛି ବେକାରିଆ କିନ୍ତୁ ଅନେକ ସୁନେଲି ସ୍ମୃତି ।
କଲେଜ ବେଳର ବେଶି ଉପରଠାଉରିଆ ପରନ୍ତୁ ଦରଦୀ ସୁଦାମା ହାତଗଣତିରେ
ଆଉ କିଛି ରହିଥାନ୍ତି ଅନାସକ୍ତ ଅବ୍ୟକ୍ତ
ମନ ଡାଇରୀର ଶୁଖିଲା ଗୋଲାପ ତଳେ ପିଞ୍ଜରାରେ ।
ବାଣୀବିହାର ବେଳର କୁଢ଼ କୁଢ଼ ସାଂଗ
ମାଳ ମାଳ ବହୁରୂପୀ ସଜ୍ଞା ବଦଳାଉଥିବା ଭାଙ୍ଗ
କିନ୍ତୁ କିଛି ନିବିଡ଼ ଅନ୍ତରଙ୍ଗ ।
ସୁଖରେ ବି ସହୋଦର
ଦୁଃଖରେ ବି ଧନୁର୍ଦ୍ଧର
ଆପତ୍ତିରେ ହସଖୁସି
ବିପତ୍ତିରେ ପାଖେବସି
ନୂଆ ଫନ୍ଦି ଫିକର ଫାନ୍ଦେ ହସି
ସମାଧାନର ରାସ୍ତା ପନ୍ଥା ଦିଏ ଆସି ।
ବିଚାରରେ ଆଉ ଆଚାରରେ
ଚିନ୍ତାରେ ଆଉ ଚେତନାରେ
ପ୍ରେମ
ରେ ଆଉ ପ୍ରଣୟରେ
ସଫଳତାରେ ଆଉ ବିଫଳତାରେ
ଯୋଜନ ଦୂରରେ ଥିଲେ ବି
ଫରକ ପଡେନା ଏମିତି କିଛି ।
ଚାକିରୀ ସ୍ଥାନରେ ସହକର୍ମୀ ଅନେକ
ସାଂଗର ଅଭାବୀ ମଡ଼କ
ଦି'ପଦ ବ୍ୟଥା ବଖାଣିବାକୁ
ଚାରିପଦ ସମସ୍ୟା ଶୁଣିବାକୁ
ଦରଦୀ କାନ୍ଧର କାହିଁ ସନ୍ତକ ?
ମନେ ପଡ଼େ ସେତେବେଳେ
ତୁଳନାର ଭାଗମାପ
ଭାସି ଉଠେ ସ୍ଵତସ୍ଫୁର୍ତ
ଉଦ୍ ବେଳନର ଛାପ
ସାଂଗ କାହିଁ ଆଙ୍ଗୁଳି ଟିପରେ
ସଖା କାହିଁ ମନ ସିଲଟରେ
କି'ଏ ଜଣେ ଚୁପ୍ କିନା କହିଦିଏ
ସମୟ ଦେଇଛୁ କି
ହାତ ବଢେଇଛୁ କି
ଉଧାର ସୁଝିଛୁ କି
ବିପଦେ ପାଖେ ଅଛୁ କି
ତେଣୁ ତୁ ଅଭିଶପ୍ତ ମାନ୍ୟବର
ସାଙ୍ଗହୀନ ଜୀବନ ହିଁ ଶ୍ରେୟସ୍କର
ସାଙ୍ଗଶୂନ୍ୟ ସଂଗବିହୀନ ପାମର ।