STORYMIRROR

Kabiratna Nutan Kumar Behera

Others

3  

Kabiratna Nutan Kumar Behera

Others

ଆସ ହେ ପାଳିବା ମହିଳା ଦିବସ

ଆସ ହେ ପାଳିବା ମହିଳା ଦିବସ

1 min
885

ମହନୀୟତାରେ ଯିଏ ସର୍ବଦା ହିମାଳୟ

ଯା'ର ସେନେହ ଶରଧା ମମତା ଅତୁଳନୀୟ

ସେବା ତ୍ୟାଗ ତାର ଗଙ୍ଗାର ଅମୃତଧାରା

ସେ ମହୀୟସୀ ବନ୍ଦନୀୟା ମହିଳା

ଉତ୍ସର୍ଗୀକୃତ ଜୀବନରେ ସେ ସର୍ବଂସହା ଧରା

ତା' ଲାଗି ପରିବାର ଏ ସୁଖର ଧରାଧାମ

ଘର ହୁଏ ଏକ ପବିତ୍ର ସୁନ୍ଦର ମନ୍ଦିର ସମ

ସେ ଦେବୀ ଚିର ସମ୍ମାନୀୟା ପୂଜ୍ୟନୀୟା 

କରୁଣାମୟୀ କଲ୍ୟାଣମୟୀ ଅପାର ତା' ଦୟା

ଏକାଧାରରେ ଜନନୀ ଭଗିନୀ ଜାୟା ଦୁହିତା

ଅନନ୍ୟ ଅନୁପମ ତାର ସେ ବଦାନ୍ୟତା

ଦେବୀ ମାତା ସୀତାଙ୍କଠାରୁ ସାବିତ୍ରୀ ଅନସୂୟା

ରାଣୀ ଲକ୍ଷ୍ମୀବାଈ ମଦର ତେରସା 

ନିଜକୁ ତିଳ ତିଳ ଦଗ୍ଧ କରି ଘୁଞ୍ଚାଇଛନ୍ତି ଦୁର୍ଦ୍ଦଶା

ସେ ନାରୀ ମାତୃଜାତି ପଦେ ମଥା କରି ନତ

ସୁସନ୍ତାନ ହୁଏ କୋଟି କୋଟି ପ୍ରଣିପାତ

ତାଙ୍କରି ମାନ ମର୍ଯ୍ୟାଦା ଉପଯୁକ୍ତ ସୁରକ୍ଷା 

ବିଶ୍ଵ ସାରା ମାନବର ହେଉ ପ୍ରକୃତ ଶିକ୍ଷା ଦୀକ୍ଷା

ମାଆର ଆଖିରୁ କେବେ ନ ଝରୁ ଲୋତକ

ସଂସାରରେ ତାଙ୍କ ସାଥେ ରହୁ ପବିତ୍ର ସଂପର୍କ

କଂସ ରାବଣ ମହୀଷାସୁର କି ଦୁର୍ଯ୍ୟୋଧନ ଭଳି

ଅହଂକାରୀଙ୍କର ନ ରହୁ ଅବିବେକିପଣ...

ରାଜରାସ୍ତାରେ ବର୍ବରତାର ଦୃଶ୍ୟ କି କରୁଣ !

ଶିକ୍ଷା ସଂସ୍କାରକୁ କରେ ସହସ୍ର କୁଠାରଘାତ

ଏ କି ସଭ୍ୟତା ସଂସ୍କୃତିର ଆଦର୍ଶ ସିଦ୍ଧାନ୍ତ ?

ପ୍ରଗତିର ପଥେ ବିକାଶର ଶୀର୍ଷରେ ପହଞ୍ଚି 

ମାନବ ପିଟୁଛି ଡିଣ୍ଡିମ ଶାନ୍ତିରେ ଅଛି ବୋଲି ବଞ୍ଚି...

ଏ କି ଶାନ୍ତି...ଏ କି ଜୀବନ...ଏ କି ମାନବବାଦ ?

ବିଶ୍ଵ କହେ "ଆସ ହେ ପାଳିବା ମହିଳା ଦିବସ"

ସବୁରି ଅଧରରେ ଫୁଟାଇବା ମଧୁ ହସ

ଏ ମହତ ଚିନ୍ତାଧାରା ନେଉ ସାକାର ରୂପ

ପରୋକ୍ଷରେ ସମୟ ନ କରୁ ମାନବକୁ ବିଦ୍ରୁପ

ମହିଳା ଦିବସ ପାଳନର ମିଳିବ ସାର୍ଥକତା

ମନେ ପ୍ରାଣେ ହୃଦୟରେ ରହିବନି ଆବିଳତା।



Rate this content
Log in