STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଆମନ୍ତ୍ରଣ

ଆମନ୍ତ୍ରଣ

1 min
26.7K


ଜ୍ୟୋସ୍ନାତ ଅରଣ୍ୟରେ ପତ୍ରେ ପତ୍ରେ

ଅକସ୍ମାତ୍ ଗୁଞ୍ଜାରି ଉଠିଲା ପରି

ଉଛାଟ ବଂଶୀର ଧ୍ୱନି

ଥିଲା ତୁମର ଆମନ୍ତ୍ରଣ

ନିକୁଞ୍ଜର ନିଗୂଢ ନିରାପତ୍ତାରୁ

ବିମୁଗ୍ଧା ହରିଣୀର ନିର୍ଗମନ ପରି

ଅବଧାରିତ ମୋର ସ୍ବୀକୃତି, ଅନୁଗମନ

ତୁମ ସହରର ମାଟି ଛୁଉଁ ଛୁଉଁ

ତୁମକୁ ପ୍ରଥମ ସ୍ପର୍ଶ କରିବାର

ଅନିବାର୍ଯ୍ୟ ଊଚ୍ଛଳତା

ଯେପରି ପାହାଡୀ ପ୍ରପାତଟିଏ

ଉତ୍ତଳା ବହୁବହୁ ପ୍ରଥମ କରି ଛୁଇଁଯାଏ

ସମତଳ ଶର୍ଯ୍ୟାର ସ୍ନିଗ୍ଧତା

ତୁମେ କି ସେ ପ୍ରତୀକକ୍ଷିତ ପୁଷ୍ପିତ ଉପତ୍ୟକା

ପ୍ରସାରି ଊନ୍ମକ୍ତ ବାହୁ, ଚାହିଁଛ କି ଅପଲକ

ଛଳ ଛଳ ଝରଣାକୁ ନେବା ପାଇଁ ତୋଳି

ଆପଣା ଛାତିରେ ?

ଅବା ତୁମ ମନର ବାଲୁକାବନ୍ତରେ

ଛପିଥିବା ଛଳନାର ଚୋରାବାଲି

ନିମିଷେ ନିଃଶେଷି ନେବ ସକଳ ସ୍ଵପ୍ନର ସ୍ରୋତ

ପଲକ ପାତରେ ?

ବିଗଳିତ ଦ୍ରବିତ ହୃଦୟ

ଅବା କଜ୍ଜଳିତ ସଜଳ ନୟନ

କିଏ ଥିଲା ଦୋଷୀ

ଅବୋଦ୍ଧ ଆଖିର ଭାଷା ପାରିଲିନି ପଢି

ତୃଷାତୁର ଓଠ ସାଥେ

ଯେମିତି ପହଁରୁ ଥାଏ

ପାଚିଲା ଧାନର କ୍ଷେତୁ ଦିଗବଳୟ ଯାଏ

କୁହୁକିନୀ ସଞ୍ଜର କୁହୁଡି l

ତୁମେ କି ସେ ‘ବିଶ୍ଵାସ’ର ବୋଧି ଦ୍ରୁମ ?

ଛାଇ ତଳେ ଶୋଇଯିବି ପରମ ନିଶ୍ଚିନ୍ତେ

ଅବା କେଉଁ ଜଳଭଣ୍ଡlରରେ ରୁଦ୍ଧ

ବନ୍ଦିନୀ ତଟିନୀର ସମ

ହଜିଯିବ ତରଙ୍ଗିତ

ସୁକୁମାର ଗତି କିଏ ଜାଣେ କେତେ ଦୂର

ଶିକାରୀର ନାଲଠାରୁ

ମୁଗ୍ଧା ମୃଗୁଣୀର ମୌନ ନିରୀହତା

ନିଷାଦର ନିଷ୍ଠୁର ନାରାଚଠାରୁ

ଏକାକିନୀ କୌଚିର କାକୁଡି l

ସିପ୍ରା ମଲ୍ଲିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍