ଆମେ ତ ଭାଗ୍ୟବାନ ପିଲାରେ
ଆମେ ତ ଭାଗ୍ୟବାନ ପିଲାରେ
ବାସୁଦେବ ନାୟକ
ଆମେ ତ ଭାଗ୍ୟବାନ ପିଲାରେ
ଆଉ କେ ଆମ ପରି ଥିଲାରେ l
ବଣ ଜଙ୍ଗଲ ସଫା କରିଲୁ
ମୁହଁରେ ମାସ୍କ୍ ପିନ୍ଧି ବୁଲିଲୁ ॥
ପ୍ଲାଷ୍ଟିକ୍ ଅଣ୍ଡା ଏବେ ମିଳୁଛି
ଫାଷ୍ଟ୍ ଫୁଡ୍ ରେ ଦିନ ଚଳୁଛି l
ହାଇବ୍ରିଡ଼୍ ଜୀବନ ବ୍ୟବସ୍ଥା
ଜୀଉଁ ଆବାଳ ବୃଦ୍ଧ ବନିତା ॥
ପାଣି ପବନ ବିକା ହେଲାଣି
ମଙ୍ଗଲ ଗ୍ରହେ ହେବ ରହଣୀ l
ବହି ପଢିବା ନାହିଁ ଦର୍କାର
ଲାପ୍ ଟପ୍ ଦେଉଛି ସରକାର ॥
ଅନ୍ ଲାଇନ୍ ଏବେ ସବୁଠି
ଡିଜିଟାଲ୍ ଦୁନିଆ ଆମଠି l
ଛଅ ଫୁଟ ଦେହ ପାଇଁ ଦୁଇ ଫୁଟ
କପଡା ଆମ ପାଇଁ ଯଥେଷ୍ଟ ॥
ଦେଖିଲେ ଗୁରୁଜନ ଆମକୁ
ଚାଲିଯାଆନ୍ତି ପୋତି ମୁହଁକୁ l
କଥା କଥାକେ ହେଉ ଉଦଣ୍ଡ
ତାଡି ଦେବୁ ଯେମିତି ବ୍ରହ୍ମାଣ୍ଡ ॥
ଭଲ ମନ୍ଦ ବିଚାର ଭାବନା
ନାହିଁ ଆମର ତିଳେ ଶୋଚନା l
ସିଝେନା ଝଡାଟିଏ ହାତରେ
ଫୁଟାଣି ମାରିଥାଉ ହଜାରେ ॥
