STORYMIRROR

Bhakta Malla

Others

3  

Bhakta Malla

Others

ଆଳାପ

ଆଳାପ

1 min
13.4K


ଗାଇବାକୁ ଇଚ୍ଛା ଥିଲା

ସୁମଧୁର ସୁକୋମଳ ସୁଶ୍ରାବ୍ୟ ସଂଗୀତ

ଥିବ ଯହିଁ ନବ ଉଚ୍ଚାଟନ

ଲହରୀରେ ମଧୁର ମୂର୍ଚ୍ଛନା ,

ଏ ଯାଏ ତ ଗାଇନାହିଁ

ଆକାଂକ୍ଷୀତ ଆଦ୍ୟ ପାଦ

ଅବସାଦେ ଅବଲିପ୍ତ

ସ୍ବର ଲୟ ତାଳ ;

ବିସ୍ମୃତିର ଛାୟା ତଳେ

ସୁପ୍ତ ଆଜି ରାଗିଣୀ ଓ ରାଗ ।।

ସ୍ଥବିର ମୋ ସପ୍ତ ସ୍ବର

ଅବରୁଦ୍ଧ କଣ୍ଠର କାକଳି ,

ଭାବନାର ଉତକ୍ଷିପ୍ତ ସାଗରେ

ନିଃଶବ୍ଦ ମୋ ଶବ୍ଦର ଲହଡି ।

ଚେତନାର ନୀଳ ଊର୍ମୀ

ଅବିଭାଜ୍ୟ ଶେଷ ଭାଗଶେଷ ,

କୂଳ ଲଂଘେ ବାଲୁକାର

ଉତ୍ତପ୍ତ ନିର୍ଲିପ୍ତ ଶେଯ

ଯେଉଁଠି ଜୀବନ ଲାଗେ ଉଦାସ ଉଦାସ ।।

ନିର୍ମେଘ ଆକାଶର ବୁକୁ ଚିରି

ବାକି ଥିଲା ଗାଇବାକୁ ମେଘମହ୍ଲାର

କ୍ଳାନ୍ତ ଅପରାହ୍ନେ ରାଗ ଦରବାରୀ

ସାୟାହ୍ନରେ ଦୀପକ ରାଗର ରୋଷଣୀ

ରାତ୍ରିର ଅଭିସାର ପାଇଁ କୋମଳ ଗାଂଧାର ।।

ବ୍ୟର୍ଥ ଏଠି ସୁରର ସାରସ

ସବୁଆଡେ ନିଃଶବ୍ଦ ଆଖଡା

ଶୂନ୍ୟତାର ସାତ୍ତ୍ଵିକ ନିବାସ,

ଆଳାପର ମନ୍ଦ୍ର ଧ୍ବନି

ମୁହୁର୍ମୁହୁଃ ମ୍ରିୟମାଣ ମନ୍ମୟ ମଣିଷ

ଜୀବନ ନେଇଛି ବରି

ସୁର ଶୂନ୍ୟ ଶୀତଳ ସନ୍ନ୍ୟାସ ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍