ଚଉଁରି
ଚଉଁରି
ଜଟିବାଳ ଆଉ କଣାକଉଡ଼ି ଗୁନ୍ଥି ଛୋଟ ଦାମୁଡିମାନଙ୍କ ବେକରେ ପିନ୍ଧା ଯାଉଥିବା ଫିତା ବା ମାଳକୁ ଚଉଁରି ବୋଲି କହନ୍ତି । ସେଦିନ ବୋଉ ବହୁତ ପାଟି କରିଥିଲା ଭାଇନା କେଉଁଠୁ ଏ ଛୋଟିଆ ହରିଣ ପିଲାଟାକୁ ଘରକୁ ନେଇ ଆସିଥିଲେ ବୋଲି। ହେଲେ ବୃତ୍ତାନ୍ତ ସବୁ ଶୁଣିବା ପରେ ଲୁହ ଛଳ ଛଳ ହୋଇ ଆଉଁଷି ଦେଲା ଟିକେ ଆଉ ତେରେଛା କଟା ଯାଇଥିବା ପତଳା ପୋଲା ବାଉଁଶରେ କ୍ଷୀର ଆଣି ନିଜେ ପିଆଇ ଦେଲା ତାକୁ । ଘର ଭିତରେ ତାର ପାଳନ ପୋଷଣ କରାଗଲା , ବାହାରକୁ ଜମା ଛଡ଼ା ଯାଏନି । ଛୁଆଟି ଉପରେ କାହା ଦୃଷ୍ଟି ନପଡୁ ବୋଲି ତା’ ବେକରେ ଚଉଁରି ମାଳଟିରେ ପାଇ ସାରିଥିବା ତୁଳସୀ ଗଛର ଚେରଟିଏ ବାନ୍ଧି ପିନ୍ଧାଇ ଦେଇଥିଲା । ସେଇଠୁ ଆମେ ସଭିଏଁ ତାକୁ ଚଉଁରି ବୋଲି ଡାକୁ ,ଏବେ ଛଅ ବର୍ଷର ହେଲାଣି , କଥା ମାନୁନି ଇଆଡେ ସିଆଡେ ଡିଆଁ କୁଦା କରୁଛି । ଚଉଁରି ମାଳଟା ତା ବେକକୁ ଛୋଟ ହୋଇଗଲାଣି ବୋଲି ଏ ବର୍ଷ ଭାଇନା ତାପାଇଁ ଘାଗୁଡି ମାଳଟେ ଆଣିଛନ୍ତି ଶିବରାତ୍ରି ମେଳାରୁ । ତାକୁ ଆଉ ପୋଷି ହେବନି ଭାବି ଗାଁ ଦେଉଳରେ ଦାନ ଦେଇ ଦେବାକୁ କହୁଥିଲେ । ହେଲେ ବୋଉ ରାଜି ହେଉନି ।
ଆମ ଗାଁ ମଝିରେ ଥିବା ନଈଟି ଆଉ ଆଗ ଭଳି ନାହିଁ । ଉପର ଗାଁର ଲୋକେ ଜିଲ୍ଲାପାଳଙ୍କ ଅନୁମତିରେ ଦଶ ବାର ବର୍ଷ ଆଗରୁ ମାଟିବନ୍ଧଟିଏ ବନ୍ଧେଇ ଦେବା ପରଠୁ ବର୍ଷରେ ଆଠ ମାସ ଶୁଖିଲା ପଡି ରହେ । ଦୁଇ କୂଳର ଝାଡିଲଟା ଧୀରେ ଧୀରେ ସଂକୀର୍ଣ୍ଣ କରି ଦେଲାଣି ।
ସେବର୍ଷ ପ୍ରଚଣ୍ଡ ବୈଶାଖର ଅପରାହ୍ନରେ ଦିନ ଢଳି ଆସୁଥିଲେ ବି ସୂର୍ଯ୍ୟ ଅସ୍ତ ହେବାକୁ ବାକି ଥାଏ । ହଳିଆକୁ ଧରି ଭାଇନା କୌଣସି କାମରେ ଗାଁଠାରୁ ଦୂରକୁ ନଈର ଉପର ମୁଣ୍ଡରେ ଯାଉଥାନ୍ତି । ପାହାଡିଆ ନଈର କଙ୍କରିତ ଶଯ୍ୟାରେ ଠାବେ ଠାବେ ଗଣ୍ଡ ଥାଏ ସିନା ବାଷ୍ପିକରଣ ପରେ ବଳି ଯାଇଥିବା ଅଳ୍ପ ପାଣି ବହଳ ଶାଗୁଆ ଦିଶୁଥାଏ । ବଣି କି ଚଟିଆ ଯୋଡି ଚଞ୍ଚୁ ବୁଡେଇ ପୁଣି ଆକାଶ ଆଡକୁ ଅନାଉଥାନ୍ତି । ଏକ ଶୂନ୍ ଶାନ୍ ଇଲାକାରେ ଏମିତି ଗୋଟେ ବଡ ଗଣ୍ଡରେ ମେଘଖଣ୍ଡର ପ୍ରତିବିମ୍ବ ମାନେ ପହଁରି ପହଁରି ପାର ହେଉଥାନ୍ତି। ତରଳ ଅବସ୍ଥାରେ ଥିବା ଜୀବନର ଆଧାର ପାଇଁ ହରିଣୀଟିଏ ତରକି ତରକି ଆଗପଛ ହେଉଥାଏ । ଉଦ୍ଦେଶ୍ୟ ଏକା ନା କେବଳ ଲାଳସା , ଈଶ୍ଵରଙ୍କୁ ଜଣା , ଅନତିଦୂରରେ ମଣିଷଟିଏ ବୁଦା ଆଢୁଆଳରେ ସ୍ଥିର ଆଉ ନିଶ୍ଚଳ ହୋଇ ଛିଡ଼ା ହୋଇଥାଏ ।
ପବନ ବି ଥମି ଆସୁଥାଏ , ହଠାତ୍ ଧଡାମ୍ କରି ଶବ୍ଦ ହେଲା , ପକ୍ଷୀମାନେ ଫଡଫଡ କରି ଉଡିଗଲେ । ଆଉ ଅଧିକ ବୁଝିବା ଆଗରୁ ଛଟପଟ ହୋଇ ପଡିଗଲା ହରିଣୀଟି । ଉତ୍ତପ୍ତ ଶିଳା ଉପରେ ରକ୍ତରେ ଜୁଡୁବୁଡୁ ହୋଇ ଗୋଡ ପିଟୁଥାଏ ଆଉ ଡିମା ପଡି ଆସୁଥିବା କଳା ଡୋଳା ବୁଲାଇ ଲଟା ଉହାଡରେ ଥିବା ନିଜ ଶାବକକୁ ଦେଖିବାର ବିଫଳ ଚେଷ୍ଟା କରୁଥାଏ । ପ୍ରକୃତିର ନିୟମ ପ୍ରତି ଅନଭିଜ୍ଞ ହରିଣ ଶାବକ ମାଆର ଦୃତ ହଲୁଥିବା ପୁଚ୍ଛ ପାଖକୁ ଆସି କିଛି ବୁଝିବାର ଚେଷ୍ଟା କରୁଥାଏ ।
ସେ ମଣିଷଟି ନିଜ ସାଥିଙ୍କ ସହିତ ହରିଣୀକୁ ଉଠାଇ ନେଇଗଲା । ହତବାକ୍ ହୋଇ ଭାଇନା ସେମାନଙ୍କ ସହ କଳି ଝଗଡା କରିବାର ସାହସ ଯୁଟାଇ ପାରିଲେନି । କେବଳ ଅନୁନୟ କରି ହରିଣ ଶିଶୁଟିକୁ ଧରି ନିଜ ସହିତ ନେଇ ଆସିଲେ ଘରକୁ । ଏବେ ସମସ୍ୟା ହେଉଛି ତାକୁ ଜଙ୍ଗଲରେ ଛାଡି ହେବ ନା ଦେଉଳରେ ! ଚିଡିଆଖାନାରେ ବି ଦେଇ ହେବନି , ଯାହା ସବୁ କଡା ନିୟମ ଅଛି।
ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩
ସେକ୍ଟର - ୪
ରାଉରକେଲା - ୭୬୯୦୦୨
ଦୂରଭାଷ -୭୯୭୮୧୯୨୨୨୭