Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସୁପାରି
ସୁପାରି
★★★★★

© Urbashi Satpathy

Others

6 Minutes   116    2


Content Ranking

ଗଦାଧର ଓରଫ ଗଦାଦାଦା । ଏ ଅଞ୍ଚଳରେ ସେ ଖୁବ୍ ଖ୍ୟାତି ଲାଭ କରିଥିଲା। ତେବେ ଭଲରେ ନୁହେଁ, ଗୋଟେ ଗୁଣ୍ଡା ହିସାବରେ ସେ ଏ ଅଞ୍ଚଳରେ ଭାରି ଜଣାଶୁଣା । କାହାକୁ ପିଟି ହାତଗୋଡ ଭାଙ୍ଗି ପକେଇ ଦେବା ଅବା ଜୀବନରେ ମାରିଦେବା ତାର ବାଆଁ ହାତର ଖେଳ। ସବୁ କାମ ପାଇଁ ଦାମ୍ ଅଲଗା ଅଲଗା। କାହାକୁ ଖାଲି ଧମକ ଦେଇ ଛାଡ଼ିବାକୁ ଅବା କାହାକୁ ଜୀବନରେ ମାରିବା, ସବୁଥିପାଇଁ ଯେଉଁ ଟଙ୍କା ସିଏ ନିଏ ତାକୁ ସୁପାରି କହେ। ଥରେ ସୁପାରି ନେଲା ମାନେ ଗଦାଦାଦା କାମଟା ନିଶ୍ଚୟ କରିବ।

ଗଦାଧର ର ଏ ଦୁନିଆଁରେ କେହି ନାହାନ୍ତି। ବାପ ମା' କୋଉ କାଳରୁ ସେପାରିକୁ ଗଲେଣି। ଘରଟା ଏବେ ନିହାତି ଉଜୁଡି ଉପୁଡି ଯିବା ଅବସ୍ଥାରେ ପଡ଼ିରହିଛି। ଚାଳଛପର ଘର ଟାର ରୁଅ ବତା ସବୁ ଦାନ୍ତ ନିକୁଟି ରହିଛି। ଆଉ ଘର ର ଚାଳ ଉପରେ ନାନାଦି ଲଟାଝଟା ଗୁଡେଇ ହେଇ ଚାଳ ଟା ଏମିତି ଭାବରେ ଢାଙ୍କି ହେଇ ଯାଇଛି ଯେ ଦୂରକୁ ଗୋଟାଏ ବିରାଟ ବୁଦା ର ଭ୍ରମ ସୃଷ୍ଟି କରେ ।

ଗଦାଧର ନାଁରେ ଥାନାରେ ଅନେକ ମାମଲା। ସେଇଥିପାଇଁ ସେ ଘରକୁ କେବେ ଆସିବା ନାଁ ଧରେନି। ପୋଲିସ ର ଛଞ୍ଚାଣ ଆଖିରୁ ବର୍ତ୍ତିବା ପାଇଁ ସବୁବେଳେ ବାହାରେ ବାହାରେ କଟେଇ ଦିଏ । ଆଜି କୋଉ ପୋଲତଳେ ତ କାଲି କୋଉ କ୍ଯାବିନ୍ ତଳେ ମୁଣ୍ଡ ଗୁଞ୍ଜିଦିଏ । ଯାଯାବରଟା ......

ଏ ସବୁ ଭିତରେ ଗଦାଧର ଭଲପାଉଥିଲା ସେଇ ଜଣକୁ। ସମ୍ପର୍କରେ ତାର କେହି ନୁହେଁ। ତଥାପି ପଥର ହୃଦୟ ଭିତରେ କୋଉଠି ନା କୋଉଠି ଗୋଟେ କୋମଳ ଜାଗାରେ ତାକୁ ସିଏ ବସେଇଥିଲା। ସେ ବି ମଣିଷ ଟାଏ ।ଗୁଣ୍ଡା ହଉ ପଛେ । ତା'ର ବି ହୃଦୟ ଗୋଟାଏ ଅଛି । ସୃଷ୍ଟିର ୟେ ଗୋଟାଏ ବଡ ବୈଚିତ୍ର୍ଯ ।

ଆଜିକୁ ପ୍ରାୟ ଦଶବର୍ଷ ତଳେ ଗଦାଧର ଭୁବନେଶ୍ୱରରୁ ଫେରୁଥିବା ବେଳେ ପୋଲିସ କୋଉଠୁ କେମିତି ଖବର ପାଇ ଗଦାଧର ପଛରେ ଲାଗି ଯାଇଥିଲା ଆଉ ପୋଲିସ ହାତରୁ ବଞ୍ଚିବା ପାଇଁ ସେ ଛପି ଯାଇଥିଲା ଗୋଟିଏ ଅବ୍ୟବହୃତ କ୍ୟାବିନ ପଛରେ।

ସେଠାରେ ବୁଲୁଥିବା ଗୋଟିଏ ଛୋଟ ପିଲା ସେତେବେଳେ ତାକୁ ଛପି ଥିବାର ଦେଖି ଦେଇଥିଲା କିନ୍ତୁ ପୋଲିସ ପଚାରିବାରେ ସିଏ କାହାକୁ ଦେଖିନାହିଁ ବୋଲି କହିଥିଲା। ଗଦାଧର ଭାବୁଥିଲା ତାର ଲମ୍ବା ଚଉଡା କଳା ଭୁଷୁଣ୍ଡା ଚେହେରା, ବାଘ ଭଳିଆ ବସନ୍ତ ଚିହ୍ନ ଥିବା ମୁହଁ ଆଉ ସେଥିରେ ନାକତଳେ ଗହଳିଆ ବୀରାପ୍ପାନ୍ ପରି ନିଶ ଦେଖି ପିଲାଟା ହୁଏତ ଡରିଯାଇଥିବ। ଆଠ କି ନଅ ବର୍ଷର ପିଲାଟା, ଡରିଯିବା ସ୍ବାଭାବିକ। ତଥାପି ଗଦାଧର ତାକୁ ପଚାରିଲା, କିବେ ଟୋକା, ତୋ ନାଁ କ'ଣ ? ମତେ ବଞ୍ଚେଇବା ପାଇଁ ପୋଲିସକୁ ମିଛ କାହିଁକି କହିଲୁ? କ'ଣ ମୋତେ ଦେଖି ଡରିଗଲୁ? ହଁ, ହେଇଥିବ। ଛୋଟ ପିଲାଟେ ତୁ, ଡରିଯିବା କଥା।

ଅତି ନିର୍ଭିକ ଭାବରେ ଛୋଟ ପିଲାଟା ଉତ୍ତର ଦେଇଥିଲା, " ମୋ ନାଁ ଅରୁଣ , ଡରିବି କାହିଁକି? ତୁମେ କ'ଣ ବାଘ ନା ଭାଲୁ? ମଣିଷ ଜଣେ। ଖାଲି ତୁମକୁ ଭଲ ମଣିଷଟିଏ ହେବା ପାଇଁ ଗୋଟେ ସୁଯୋଗ ଦେଲି ।କାଳେ ତୁମେ ସୁଧୁରିଯିବ, ସେଇଥିପାଇଁ ମୁଁ ପୋଲିସକୁ ମିଛ କହିଲି।"

ଛୋଟିଆ ପିଲାଟା ମୁହଁରୁ ଏମିତିକା ଓଜନଦାର କଥା ଶୁଣି ଗଦାଧର ଦଣ୍ଡେ ଭାବିଲା ଏ ପିଲା ଟା ନିଶ୍ଚୟ ଭବିଷ୍ୟତରେ ବଡ଼ ମଣିଷ ହେବ। ତୁଳସୀ ଦୁଇ ପତ୍ର ରୁ ବାସେ । ଛୋଟ ପିଲାଟି ପ୍ରତି ଗଦାଧର ର କେମିତି ଗୋଟେ ମାୟା ଆସିଗଲା । ତାକୁ ଗଦାଧର ପଚାରିଲା, "ତୋର ଘରେ ଆଉ କିଏ କିଏ ଅଛନ୍ତି?" ଟିକେ କାନ୍ଦ କାନ୍ଦ ସ୍ବରରେ ପିଲାଟି " , ମୋର କେହି ନାହାନ୍ତି" ବୋଲି କହିଲା। ତାଠାରୁ ସବୁକିଛି ଜାଣିବା ପରେ ଗଦାଧର ତାକୁ ପଚାରିଲା, "ପାଠ ପଢ଼ିବୁ?" ତାଠାରୁ ସମ୍ମତି ପାଇବା ପରେ ଗଦାଧର ତାକୁ ନେଇ ଗୋଟିଏ ଭଲ ବୋର୍ଡିଂ ସ୍କୁଲରେ ନାଁ ଲେଖେଇ ଦେଲା। ଯାହା ଯାହା ସବୁ ଆବଶ୍ୟକ ସେସବୁ ପାଇଁ ଟଙ୍କା ପଇଠ କରିଦେଇ ସେ ଏକରକମ ନିଶ୍ଚିନ୍ତ ହେଇଗଲା ଯେ ଅରୁଣର ଆଉ କିଛି ଅସୁବିଧା ହେବନି। ଜୀବନରେ ଏଇ ଗୋଟିଏ ଭଲକାମ କରିଥିବାରୁ ଗଦାଧର ଖୁବ୍ ଆତ୍ମସନ୍ତୋଷ ଅନୁଭବ କରୁଥିଲା।

ମନେ ମନେ ଅରୁଣକୁ ଗଦାଧର ଖୁବ୍ ଭଲ ପାଇଯାଇଥିଲା। ତା'ର ଯେମିତି କିଛି ଅସୁବିଧା ନହୁଏ, ସେଥିପାଇଁ ପ୍ରତି ମାସରେ ତା ହଷ୍ଟେଲ ତତ୍ତ୍ବାବଧାରକଙ୍କୁ ଟଙ୍କା ପଠେଇବାକୁ ଭୁଲୁ ନଥିଲା। କିନ୍ତୁ ନିଜର ପରିଚୟ ସବୁବେଳେ ଅରୁଣଠାରୁ ଲୁଚେଇ ରଖିଥିଲା।

ଏଇମିତି ପ୍ରାୟ ଦଶ ବର୍ଷ ବିତିଗଲାଣି। ଗଦାଧର ମନେମନେ ଭାବୁଥାଏ କେଡୁଟେ ହେଇଯିବଣି ଅରୁଣ। ପ୍ରାୟ ସତର କି ଅଠର ବର୍ଷର ଭେଣ୍ଡିଆ। ନାକତଳେ ନିଶ କଅଁଳି ଆସିବଣି। ତେଣେ ଅରୁଣ ସତକୁସତ ଗୋଟେ ସୁନ୍ଦର ସୁଗଠିତ ତରୁଣରେ ପରିଣତ ହେଇସାରିଥାଏ। ଅରୁଣ ଏବେ କଲେଜରେ ପଢିଲାଣି। ଭଲ ପଢେ। ସବୁଥିରେ ପ୍ରଥମ ନହେଲେ ଦ୍ବିତୀୟ। ଖେଳକୁଦ ମଧ୍ୟ ଅନୁରୂପ ଭାବେ ଭଲ। କଲେଜଟା ଭିତରେ ତା ସହ ପ୍ରତିଯୋଗୀ କହିଲେ ସେଇ ଝିଅଟି, ମନୀଷା। କେତେବେଳେ ଅରୁଣ ପ୍ରଥମ ହୁଏ ତ କେତେବେଳେ ମନୀଷା। ସୁନ୍ଦର ଝିଅଟିଏ ମନୀଷା। ସାରା କଲେଜରେ ଏଇ ଦିଜଣ ସମସ୍ତଙ୍କ ନଜରରେ। ସମସ୍ତେ ଦି ଜଣଙ୍କୁ ଭଲ ପାଆନ୍ତି ଆଉ ସ୍ନେହ ମଧ୍ୟ କରନ୍ତି।

ଏଇ ଭିତରେ ଅରୁଣ ଆଉ ମନୀଷା ପାହାଚ ପରେ ପାହାଚ ଚଢି ପରିଚୟରୁ ବନ୍ଧୁତା, ଆଉ ବନ୍ଧୁତ୍ବ ନିବିଡ଼ରୁ ନିବିଡତର ହେଇ କେତେବେଳେ ଭଲପାଇବା ହେଇଯାଇଛି ଜାଣି ପାରିନଥିଲେ। ସେଇ ପ୍ରେମର ପ୍ରଥମ ପାହାଚରେ ପରସ୍ପର ଏକାଠି ବଞ୍ଚିବା ମରିବାର ଶପଥ ମଧ୍ୟ ନେଇ ଯାଆନ୍ତି।

ମନୀଷାର ବାପା, ଉଦୟନାଥ ଜଣେ ନାଁ କରା କଣ୍ଟ୍ରାକ୍ଟର। ଅନେକ ବଡ଼ ବଡ଼ ଠିକା ନେଇ ଢେର ଉପରକୁ ଉଠିଛନ୍ତି। ଅଚଳାଚଳ ସମ୍ପତ୍ତି। ବହୁ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ, ବଡ଼ବଡ଼ ନେତା ମନ୍ତ୍ରୀଙ୍କ ସହ ତାଙ୍କର ବସାଉଠା। ଝିଅକୁ ଆସି ଅଠର ପୂରିବ। ସେଇ ମାନ୍ଧାତା ଯୁଗର ମାନସିକତାର ବଶବର୍ତ୍ତୀ ହୋଇ ଉଦୟନାଥ ବାବୁ ଭାବୁଥିଲେ ଝିଅଟାର ହାତକୁ ଦି ହାତ କରି ଦେବେ। ଝିଅ ଘିଅ। ବେଶୀ ଦିନ ରଖିବା ଭଲ ନୁହେଁ। ଆଜିକାଲି ଯେମିତି ବେଳକାଳ ହେଲାଣି। ଝିଅ ତାଙ୍କର ବି ସୁନ୍ଦର। କେତେବେଳେ କୋଉ କଥା। କେତେ କେତେ ଡାକ୍ତର ଇଞ୍ଜିନିୟର ପ୍ରସ୍ତାବ ଆସୁଛି। କିନ୍ତୁ ଯାହା ହେଲେବି ଆଜିକାଲିର ଛୁଆ। ଥରେ ମନକଥା ଜାଣିଲେ ଭଲ ହେବ ବୋଲି ଚିନ୍ତାକରି ଉଦୟନାଥ ସ୍ତ୍ରୀଙ୍କୁ ଏ ଦାୟିତ୍ଵ ଦେଇଥିଲେ। ସିଏ ମନୀଷାକୁ ସିଧାସଳଖ ପଚାରି ଯାହା ଉତ୍ତର ପାଇଥିଲେ ସେଥିରେ ତାଙ୍କ ପାଦତଳୁ ଯେମିତି ମାଟି ଖସିଗଲା। କୋଉ ଗୋଟେ ପୁଅକୁ ତାଙ୍କ ଝିଅ ଭଲ ପାଉଛି। ସେ ଦିଜଣ ଯାକ ବାହା ହବାକୁ ସ୍ଥିର କରିଛନ୍ତି। ସିଏ ଉଦୟବାବୁଙ୍କୁ ସେକଥା କହିବାରୁ ସିଏ ଅତ୍ୟନ୍ତ ଉତ୍କ୍ଷିପ୍ତ ହେଇଉଠିଲେ। କିନ୍ତୁ ଯଥାସମ୍ଭବ ନିଜକୁ ନିୟନ୍ତ୍ରଣ କରି ଉଦୟବାବୁ ଝିଅକୁ ପଚାରିଥିଲେ ସେ ପୁଅ ବିଷୟରେ। ମନୀଷା ସବୁ କହିଥିଲା । ଆଉ ଏକଥା ବି କହିଥିଲା ଯେ ଅରୁଣର ଏ ଦୁନିଆଁରେ କେହି ନାହାନ୍ତି। ସେମାନେ ଦିଜଣ ଯାକ ବାହା ହେବାପାଇଁ ଦୃଢ଼ ନିଷ୍ପତି ନେଇଛନ୍ତି ।

ଉଦୟନାଥ ଜାଣିନେଲେ ଯେ ତାଙ୍କରି ରକ୍ତ ସିଏ। ତାଙ୍କରି ପରି ଏକଜିଦିଆ। କାଉଁରିଆ କାଠି, ଭାଙ୍ଗିଯିବ ପଛେ ନଇଁ ଯିବନି। କିନ୍ତୁ ଗୋଟିଏ ବୋଲି ଛୁଆର କଥାକୁ ସିଧାସଳଖ କାଟି ଦେବାର ସତ୍ ସାହସ ବି ତାଙ୍କର ନ ଥିଲା। କାଳେ କିଛି ଅଘଟଣ କରି ବସିବ। ସେଥିପାଇଁ ଉଦୟବାବୁ ଦ୍ବିତୀୟ ପନ୍ଥା ଅବଲମ୍ବନ କରିବା ପାଇଁ ଶ୍ରେୟସ୍କର ମଣିଲେ।

ଉଦୟନାଥ ତାଙ୍କ ଗୁମାସ୍ତା ମାଧ୍ୟମରେ ଯୋଗାଡ଼ ଚଳେଇଲେ ଏ ଟୋକାଟାକୁ ବାଟରୁ ହଟେଇ ଦେବାପାଇଁ। ସଂଯୋଗ କ୍ରମେ ଏଥିପାଇଁ ସୁପାରି ନେଇଥିଲା ଗଦାଦାଦା। ଫଟୋ ସହ ଠିକଣା ଆଉ ଅଗ୍ରୀମ ଟଙ୍କା ନେଇ ଗୁମାସ୍ତାକୁ କଥା ଦେଇଥିଲା କାମ ହେଇଯିବ ବୋଲି। ଭରସା ଦେଇଥିଲା ଉଦୟବାବୁଙ୍କ ବୁଢା ଗୁମାସ୍ତାକୁ।

ମନୀଷା ଏ ଭିତରେ ଖୁବ୍ ଖୋଜିଲାଣି ଅରୁଣକୁ। ଦୁଇ ଦିନ ହେଲା ତାର କୌଣସି ଖବର ନାହିଁ। କଲେଜରେ ତାର ଦେଖା ବି ନାହିଁ। ତା'ର ସାଙ୍ଗମାନଙ୍କୁ ପଚାରିଥିଲା ଘର ଠିକଣା। ହେଲେ କେହି କିଛି କହିପାରିଲେ ନାହିଁ। ମନୀଷା ହଷ୍ଟେଲର ୱାର୍ଡନଙ୍କୁ ପଚାରିବାରୁ କଥାର ଗୁରୁତ୍ବ ଅନୁଭବ କରି ୱାର୍ଡନ ମହାଶୟ ଗଦାଦାଦା କଥା କହିଥିଲେ।

ତାପରେ ମନୀଷା ଯାଇଥିଲା ଗଦାଦାଦାର ଠିକଣାକୁ। ମନୀଷା ଠାରୁ ସେ ଦୁଇ ଜଣଙ୍କ ଯୁଗ୍ମ ଫଟୋ ଦେଖି ହଠାତ୍ ଚିହ୍ନିପାରି ନଥିଲା ଗଦାଧର । ଉଦୟନାଥ ବାବୁ ଦେଇଥିବା ଫଟୋ ସହ ମିଳାଇ ଦେଖିଲା ପରେ ଜାଣି ପାରିଥିଲା ଯେ ଯାହା କଥା ମନୀଷା ପଚାରୁଛି ତାକୁ ତାରି ଆଦେଶରେ ତା ଲୋକ ମାରି ଦେଇଛନ୍ତି।

ଗଦାଧର ମୁଣ୍ଡରେ ସତେ ଯେମିତି ବଜ୍ର ପଡ଼ିଲା। ସିଏ ଜାଣିପାରିଥିଲା ଯାହାକୁ ବଡ଼ ମଣିଷ କରିବା ପାଇଁ ସିଏ ଏତେ ଦିନ ଧରି ତପସ୍ୟା କରିଆସିଥିଲା ଆଜି ତାରି ପାଇଁ ସୁପାରି ନେଇ ତାକୁ ମାରିଦେଇଛି। ମନୀଷାକୁ କ'ଣ କହିବ ସିଏ ଚିନ୍ତା କରିପାରୁନଥିଲା। ଗଦାଧର ର ସହଯୋଗୀ ପହଲି କହିଲା, "ଦାଦା, ଏ ଟୋକାଟାକୁ ରାସ୍ତାରୁ ହଟେଇ ଦିଆହେଇଚି।"

ଏକଥା ଶୁଣି ମନୀଷାର ପାଦତଳୁ ଯେମିତି ମାଟି ଖସିଗଲା। ଆଉ କିଛି କହି ନପାରି ଖାଲି କାନ୍ଦିଥିଲା। ସେଇ ଧାରଧାର ବହିଯାଉଥିବା ଲୁହ ନେଇ ଫେରି ଆସିଥିଲା ଘରକୁ ଆଉ ତାପରେ ନେଇଥିଲା ଚରମ ନିଷ୍ପତ୍ତି।

ଗୋଟାଏ ସପ୍ତାହ ପରେ ଗଦାଧର ପାଗଳ ହେଇ ରାସ୍ତାରେ ବୁଲୁ ଥିବାର ଲୋକମାନେ ଦେଖିବାକୁ ପାଇଲେ ।ଗଦାଦାଦା ରୁ ସେ ହେଇ ଯାଇଥିଲା ପାଗଳ ଗଦେଇ । ଛୁଆ ଠା'ରୁ ବୁଢା ଯାହାକୁ ଦେଖେ ସେ ଗୋଟିଏ କଥା ପଚାରେ , ମୋ ଅରୁଣ କୁ ଦେଖିଛ ? କିଏ ହସି ପାଗଳ ଟା କହି ମୁହଁ ମୋଡିଦିଏ ତ କେହି ତା ଦୁଃଖ ରେ ସମଦୁଃଖୀ ହୁଏ ।

କେବେ କେବେ କୋଉ ଗଛ ତଳେ ବସି ଧୋ ରେ ବାୟା ଧୋ......ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ମୋ ଅରୁଣ ଶୋ......ବୋଲି ଗୀତ ବୋଲେ।

ଖୁନୀ ହିସାବରେ ଗଦାଧର ର କେସ୍ ଚାଲିଲା ଆଉ ଶେଷରେ ସେ ଦୋଷୀ ସାବ୍ଯସ୍ତ ହେଲା । ବାକି ଜୀବନ ଗୋଟାଏ ପାଗଳ ବିକୃତ ମସ୍ତିଷ୍କ ହିସାବରେ ଗଣା ହେଇ ଜେଲ୍ ହାଜତରେ ତାକୁ ରହିବାକୁ ପଡିଲା ।

ଆଉ ମନୀଷା ନିଜ ଘରେ ଦଉଡି ଦେଇ ଆତ୍ମହତ୍ୟା କରିବା ପରେ ଉଦୟନାଥ ବାବୁଙ୍କ ଅବସ୍ଥା ମଧ୍ୟ ପାଗଳ ପ୍ରାୟ। ନିଜର ଏକମାତ୍ର ସନ୍ତାନର ଅକାଳ ବିୟୋଗରେ ସିଏ ଭାଙ୍ଗି ପଡିଥିଲେ। ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଜନକଲ୍ୟାଣ ପାଇଁ ଦାନ କରିଦେଇ ନିଜ କଲାକର୍ମର ପ୍ରାୟଶ୍ଚିତ କରିବାକୁ ଚେଷ୍ଟା କରୁଥିଲେ।

* * * * * * * * *

ସୁପାରି ହୃଦୟ କୋମଳ

Rate the content


Originality
Flow
Language
Cover design

Comments

Post

Some text some message..